କନକ ବ୍ୟୁରୋ : ପାକିସ୍ତାନୀଙ୍କ ମୁହଁରେ ଭାରତର ଜୟଜୟକାର । ୟୁକ୍ରେନରୁ ଭାରତ ସରକାର ନିଜ ଦେଶବାସୀଙ୍କୁ ଉଦ୍ଧାର ପାଇଁ ନେଇଥିବା ପଦକ୍ଷେପ ଖାଲି ଭାରତୀୟ ନୁହେଁ, ବରଂ ପାକିସ୍ତାନୀଙ୍କୁ ମଧ୍ୟ ସହାୟକ ହୋଇଛି । ଏପରିକି କିଛି ପାକିସ୍ତାନୀ ଛାତ୍ରଛାତ୍ରୀ ଭାରତୀୟ ପତାକା ଧରି ଯୁଦ୍ଧଭୂମିରୁ ଉଦ୍ଧାର ପାଇଥିବା କଥା କନକ ନ୍ୟୁଜକୁ କହିଛନ୍ତି ବିଶିଷ୍ଟ ପାକିସ୍ତାନୀ ମାନବାଧିକାର କର୍ମୀ ଅମଜାଦ ଆୟୂବ ମୀର୍ଜା ।
ପାକିସ୍ତାନ ଭାରତକୁ ଯେତେ ଘୃଣା କରୁନା କାହିଁକି, ଖରାପ ସମୟରେ ଭାରତ ପାକିସ୍ତାନ ଓ ପାକିସ୍ତାନୀ ନାଗରିକଙ୍କୁ ସହାୟତା କରିବାକୁ ପଛେଇ ନଥାଏ । ଏଭଳି ଖବର ଆସିଛି ଯଦ୍ଧଭୁମି ୟୁକ୍ରେନରୁ ।
ପାକିସ୍ତାନୀ ଝିଅର ଭିଡିଓ ଭାଇରାଲ । କହିଲେ, ଭାରତ ପାଇଁ ଉଦ୍ଧାର ହେଲି । ୟୁକ୍ରେନର କିଭ୍ ସହରରେ ଫସିଥିବା ଏହି ପାକିସ୍ତାନୀ ଝିଅକୁ ଉଦ୍ଧାର କରିବାରେ ସହାୟତା କରିଥିଲେ ଭାରତୀୟ ଦୂତାବାସର କର୍ମଚାରୀ । ୟୁକ୍ରେନର ପଶ୍ଚିମାଞ୍ଚଳରେ ପହଞ୍ଚିବା ପରେ ଜଣେ ପାକିସ୍ତାନୀ ଝିଅ ଅସମା ସଫିକ ଭିଡିଓ ମେସେଜ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଦୂତାବାସକୁ ଧନ୍ୟବାଦ ଦେଇଛନ୍ତି । ସେହି ଭିଡିଓ ଏବେ ଭାଇରାଲ ହେଉଛି ।
ପାକିସ୍ତାନୀ ଧରିଲେ ତ୍ରିରଙ୍ଗା । ଭାରତୀୟ ପତାକା ଧରି ପାଇଲେ ଉଦ୍ଧାର । କିଭ, ଖାରକିଭ୍ ଓ ଅନ୍ୟ ସ୍ଥାନରେ ପାକିସ୍ତାନୀ ଛାତ୍ରଛାତ୍ରୀ ୟୁକ୍ରେନରୁ ସୁରକ୍ଷିତ ବାହାରିବା ପାଇଁ ଭାରତୀୟ ପତାକା ଧରି ରାସ୍ତାକୁ ଓହ୍ଲାଇଥିଲେ । ଏକଥା କହିଛନ୍ତି ଜଣେ ପାକିସ୍ତାନର ମାନବାଧିକାର କର୍ମୀ ଅମଜାଦ ଆୟୁବ ମିର୍ଜା । ସେ କହିଛନ୍ତି ଭାରତୀୟ ପତାକା ଧରିଲେ, ସମସ୍ତେ ଛାଡି ଦେଉଥିଲେ । ସେ ଆଶଙ୍କା ପ୍ରକାଶ କରିଛନ୍ତି, ଭାରତକୁ ପ୍ରଶଂସା କରିଥିବା ଅସମା ସଫିକଙ୍କୁ ପାକିସ୍ତାନରେ ହଇରାଣ କରାଯାଇପାରେ ।
ୟୁକ୍ରେନ-ରୁଷ ଯୁଦ୍ଧ ୧୪ ଦିନରେ ପହଞ୍ଚିଥିବା ବେଳେ ସେଠାରୁ ୧୭ ହଜାରରୁ ଅଧିକ ଭାରତୀୟଙ୍କୁ ଅପରେସନ ଗଙ୍ଗା ଜରିଆରେ ସୁରକ୍ଷିତ ଭାରତ ଫେରାଇ ଅଣାଯାଇଛି । ସୁମିରେ ଫସିଥିବା ୭ ଶହ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଅସ୍ତ୍ରବିରତି ସମୟରେ ଉଦ୍ଧାର କରାଯାଇଛି । ଯୁଦ୍ଧ ଚାଲିଥିବା ୟୁକ୍ରେନର ପୂର୍ବାଞ୍ଚଳରୁ ସମସ୍ତ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନର ପଶ୍ଚିମାଞ୍ଚଳକୁ ଅଣାଯାଇଛି । ପଡୋଶୀ ଦେଶ ଜରିଆରେ ସେମାନଙ୍କୁ ଭାରତ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଭାରତ ସରକାର ।