ଭାରତର ପାକିସ୍ତାନୀ ସରପଂଚ ! ପାକିସ୍ତାନରେ ଜନ୍ମ, ଭାରତରେ ବିବାହ, ଆଉ ଏବେ ନିର୍ବାଚନରେ ବିଜୟୀ ହୋଇ ସରପଞ୍ଚ ବନିଲେ ନୀତା । 

437

କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବିବାଦ ବଢି ବଢି ଚାଲିଛି । କାଶ୍ମୀର ହତାଶାରେ ବିଚଳିତ ହୋଇପଡିଥିବା ପାକିସ୍ତାନ ବାରମ୍ବାର ବିଶ୍ୱ ସମୁଦାୟ ଆଗରେ ଅପଦସ୍ତ ହେଉଥିଲେ ମଧ୍ୟ ସୁଧୁରିବାର ନାଁ ଧରୁନାହିଁ । ତେବେ ଏଭଳି ତିକ୍ତତା ଭିତରେ ଭାରତ ପାକିସ୍ତାନକୁ ନେଇ ଆସିଛି ଆଉ ଏକ ଖବର ।

ଭାରତର ପାକିସ୍ତାନୀ ସରପଂଚ । ଏହା ଶୁଣି ଆପଣ ହୁଏତ ଟିକିଏ ଦ୍ୱନ୍ଦରେ ପଡିଥିବେ । ଆମେ କହୁଛୁ ପାକିସ୍ତାନୀ ଝିଅ ନୀତା କମ୍ବରଙ୍କ କଥା । ପାକିସ୍ତାନରେ ଜନ୍ମ ହୋଇଥିବା ନୀତା ଏବେ କିନ୍ତୁ ଭାରତର ବୋହୂ  । କେବଳ ଏତିକି ନୁହେଁ, ସେ ରାଜସ୍ଥାନର ଟୋଙ୍କରୁ ଗ୍ରାମ ପଂଚାୟତ ନିର୍ବାଚନରେ ବିଜୟ ହାସଲ କରି ସରପଂଚ ମଧ୍ୟ ହୋଇଛନ୍ତି ।

ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଜନ୍ମ ହୋଇଥିଲେ ନୀତା । ସ୍କୁଲ ପାଠପଢା ପାକିସ୍ତାନରେ ହୋଇଥିବା ବେଳେ ୨୦୦୧ରେ ଉଚ୍ଚଶିକ୍ଷା ପାଇଁ ସେ ରାଜସ୍ଥାନ ଜୋଧପୁରକୁ ଚାଲିଆଲିଥିଲେ । ଆଜମେରର ସୋଫିଆ କଲେଜରେ ସ୍ନାତକ ପଢୁଥିବା ବେଳେ ସ୍ଥାନୀୟ ଗାଁ ଗୁଡିକ ପ୍ରତି ନୀତାଙ୍କ ପ୍ରୀତି ବଢିଯାଇଥିଲା । ଏପରିକି ଗାଁର ବିକାଶ ପାଇଁ ସେ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଥିଲେ । ଏହି କାମରେ ସେ ଏତେ ମଜି ଯାଇଥିଲେ ଯେ, ତାଙ୍କର ଆଉ ପାକିସ୍ତାନ ଫେରିବାକୁ ଇଚ୍ଛା ହୋଇନଥିଲା । ଯେଉଁଥିପାଇଁ ସେ ନଟୱାଡା ନିବାସୀ ପୂଣ୍ୟ କରନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଗତ ୨୦୧୬ରେ ଭାରତୀୟ ନାଗରିକତା ପାଇଁ ଆବେଦନ କରିଥିଲେ ନୀତା କମ୍ବର । ଆଉ ଗତ ୨୦୧୯ ସେପ୍ଟେମ୍ବର ମାସରେ ତାଙ୍କୁ ଭାରତୀୟ ନାଗରିକତା ମିଳିଛି । ଭାରତର ବୋହୂ ହେବା ପରେ ଚଳିତ ବର୍ଷ ଗ୍ରାମ ପଂଚାୟତ ନିର୍ବାଚନରେ ଅଂଶଗ୍ରହଣ କରି ବିଜୟୀ ହୋଇଛନ୍ତି ନୀତା । ଆଉ ନିର୍ବାଚନ ଜିତିବା ପରେ ନୀତା କହିଛନ୍ତି, ଏହା ହେଉଛି ଭାରତର ସୁନ୍ଦରତା, ଯେଉଁଠି ନିୟମ ଏବଂ ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ ।