ହିନ୍ଦୁତ୍ୱକୁ ନେଇ ପାକିସ୍ତାନୀ ବିଦେଶ ମନ୍ତ୍ରୀଙ୍କ ମନ୍ତବ୍ୟ । କ’ଣ କହିଲେ କୁରୈଶି?

165

କନକ ବ୍ୟୁରୋ: ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୈଶି ନିକଟରେ ହିନ୍ଦୁତ୍ୱ ବିଚାରଧାରା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ହିନ୍ଦୁତ୍ୱ ବିଶ୍ୱ ସୁରକ୍ଷା ଦିଗରେ ଏକ ବଡ ବିପଦ ବୋଲି କହିଛନ୍ତି କୁରୈଶି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତ କିଛି ଦିନ ହେବ ହିନ୍ଦୁ ଧର୍ମ ଓ ହିନ୍ଦୁତ୍ୱ ଉପରେ ମତବ୍ୟକ୍ତ କରିଆସୁଛନ୍ତି । ହିନ୍ଦୁ ଧର୍ମ ଠାରୁ ହିନ୍ଦୁତ୍ୱ ଅଲଗା । ହିନ୍ଦୁତ୍ୱ ବିଜେପି ଦଳର ହିଂସା ମନୋଭାବର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ରାହୁଲ କହିଛନ୍ତି । ଏବେ ପୁଣି ପାକିସ୍ତାନୀ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୈଶି ହିନ୍ଦୁତ୍ୱ ଉପରେ ମତ ପ୍ରକାଶ କରିଛନ୍ତି । ବିଶ୍ୱ ସୁରକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ହିନ୍ଦୁତ୍ୱ ବିଚାରଧାରା ହିଁ ବଡ ବିପଦ ସୃଷ୍ଟି କରିଛି ବୋଲି କୁରୈଶୀ କହିଛନ୍ତି । ଅପରପକ୍ଷେ ପାକିସ୍ତାନ ଏକ ସକ୍ରିୟ ବିଦେଶ ନୀତି ପାଳନ କରିଆସୁଛି, ଯାହା ବିଶ୍ୱର ଗତିଶୀଳତାକୁ ସୁହାଉଛି । ବିଶ୍ୱ ପରିସ୍ଥିତି ସହ ଖାପ ଖୁଆଇ ଚଳିବା ପରି ନୀତି ଓ ଅନୁଭୂତି ପାକିସ୍ତାନ ପାଖରେ ରହିଛି ବୋଲି ମଧ୍ୟ ସେ କହିଛନ୍ତି । ‘ରାଷ୍ଟ୍ରିୟ ରକ୍ଷା ବିଶ୍ୱବିଦ୍ୟାଳୟ’ରେ ଛାତ୍ରମାନଙ୍କୁ ସମ୍ବୋଧନ କରିବା ଅବସରରେ ଏହା କହିଥିଲେ କୁରୈଶି । ତାଙ୍କର ମନ୍ତବ୍ୟ ଶୁଣିବାକୁ ଛାତ୍ରମାନଙ୍କ ସହ ଅନେକ ସେନାଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ କୁରୈଶୀ ଆଉ କ’ଣ କହିଲେ ଜାଣିବା । କୁରୈଶି ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଏସିଆ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ଜମ୍ମୁ-କାଶ୍ମୀର ପ୍ରସଙ୍ଗର ସ୍ଥାୟୀ ସମାଧାନ ଉପରେ ନିର୍ଭର କରେ । କାଶ୍ମୀର ପ୍ରସଙ୍ଗରେ ନିଷ୍କର୍ଷ ବାହାର କରିବା ଭାରତର ଗୁରୁ ଦାୟିତ୍ୱ । ୨୦୧୯ରେ ଅଗଷ୍ଟରେ କାଶ୍ମୀର ଉପରେ ଭାରତ ଅବୈଧ ପଦକ୍ଷେପ ନେବା ପରେ ଏଠାରେ ଥିବା ଅଧିବାସୀଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ପ୍ରସଙ୍ଗକୁ ପାକିସ୍ତାନ ବିଶ୍ୱ ସମକ୍ଷରେ ଉପସ୍ଥାପନ କରିଆସୁଛି ।

ଭାରତର ଅସହଯୋଗ ଭିତରେ ବି ପାକିସ୍ତାନ ଧର୍ମ ସୁରକ୍ଷା ନେଇ ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ଗତ ୨୦ ମାସ ଧରି ବନ୍ଦ ଥିବା କରତାରପୁର କରିଡରକୁ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଶିଖ ମାନଙ୍କ ଧାର୍ମିକ ଭାବନା ପ୍ରତି ପାକିସ୍ତାନର ଏକ ସମ୍ମାନ କହିଲେ ଭୁଲ ହେବ ନାହିଁ । ପାକିସ୍ତାନ ଅଧିକୃତ ପଂଜାବର କରତାରପୁର ଠାରେ ଥିବା ଏହି ଧର୍ମପୀଠକୁ ଅଖଣ୍ଡତା ଓ ଶିଖମାନେ ବିନା ଭିସାରେ ଆସିପାରିବେ । ଭାରତ ଯେତେ ଉସକାଇଲେ ବି ପାକିସ୍ତାନ ନିଜର ପ୍ରଭୁତ୍ୱ, କ୍ଷେତ୍ରିୟ ଅଖଣ୍ଡତା ଓ ସ୍ୱତନ୍ତ୍ରତାକୁ ବଜାୟ ରଖିଛି ବୋଲି କୁରୈଶି କହିଛନ୍ତି ।