କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହୋଇଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶିବାଜୀ ପାର୍କରେ ଶେଷ ହୋଇଛି ଅନ୍ତିମ ସଂସ୍କାର । ସାରା ଦେଶବାସୀ, ସେମାନଙ୍କ ପ୍ରିୟ ଲତା ଦିଦିଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କେବଳ ଭାରତରେ ନୁହେଁ ଲତାଙ୍କ ବିୟୋଗରେ ପଡ଼ୋଶୀ ଦେଶରେ ବି ଶୋକର ଛାୟା ଖେଳିଯାଇଛି । ସଂଗୀତର କୌଣସି ଭୌଗଳିକ ସୀମାରେଖା ନାହିଁ, ସଂଗୀତକୁ ନିର୍ଦ୍ଦିଷ୍ଟ ଭାଷାରେ ଆବଦ୍ଧ କରିହେବନି, ତାହା ପୁଣିଥରେ ପ୍ରମାଣିତ ହୋଇଯାଇଛି । ନେପାଳ, ବାଲାଂଦେଶ, ପାକିସ୍ତାନ, ଆଫଗାନିସ୍ତାନ, ଜର୍ମାନୀ, ଆମେରିକା, ଫ୍ରାନସ ଭଳି ଅନେକ ଦେଶରୁ ଆସିଛି ଶୋକବାର୍ତା । ସମସ୍ତେ ଝୁରି ହେଉଛନ୍ତି ମେଲୋଡି କୁଇନଙ୍କୁ, ହୃଦୟକୁ ଛୁଇଁ ଯାଉଥିବା ତାଙ୍କ କଣ୍ଠସ୍ୱରକୁ । କ୍ରିକେଟ ପ୍ରତି ରୁଚି ରଖିଥିବା ଲତାଙ୍କୁ କେବଳ ଭାରତୀୟ କ୍ରିକେଟର ନୁହଁନ୍ତି ବରଂ ପଡୋଶୀ ପାକିସ୍ତାନ କ୍ରିକେଟର ମଧ୍ୟ ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Advertisment

ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଲେଖିଛନ୍ତି, ଏକ ସ୍ୱର୍ଣ୍ଣିମ ଯୁଗର ଅନ୍ତ ଘଟିଲା । ତାଙ୍କର ସୁନ୍ଦର ସ୍ୱର ସବୁବେଳେ ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ଚିର ଅମର ହୋଇ ରହିବ । ଜଣେ ଅଦ୍ୱିତୀୟ ଆଇକନ ହେଉଛନ୍ତି ଲତା ମଙ୍ଗେସକର ।

ସ୍ୱର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପାକିସ୍ତାନ କ୍ରିକେଟର ସେହିଭଳି ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ରମିଜ ରାଜା ଟ୍ୱିଟ୍ କରି ଲେଖିଛନ୍ତି, ଲତା ମଙ୍ଗେସକରଙ୍କ  ନମ୍ର, ଶାନ୍ତ ଓ କରୁଣାମୟୀ ସ୍ୱଭାବ ତାଙ୍କୁ ମହାନ କଳାକାର ଭାବେ ଗଢି ତୋଳିଥିଲା । କିଶୋର କୁମାରଙ୍କ ପରେ ଲତା ଦିଦିଙ୍କର ପରଲୋକ ମୋର ସଙ୍ଗୀତ ପ୍ରତି ଥିବା ଭଲପାଇବାକୁ ଅଧୁରା କରିଦେଲା । ସେହିଭଳି ପାକିସ୍ତାନ କ୍ରିକେଟର ମହମ୍ମଦ ହାଫିଜ ଟ୍ୱିଟ୍ କରି କହିଛନ୍ତି, ମୋର ସ୍ୱର ହିଁ ମୋ ପରିଚୟ । କିଛି ଏଭଳି ଢଙ୍ଗରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ହାଫିଜ୍ ।

ଏମାନଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକର ୟୁନିସ ଲେଖିଛନ୍ତି, ଲତା ମଙ୍ଗେସକରଙ୍କ ପରଲୋକ ମୋତେ ବହୁତ ଦୁଃଖ ଦେଇଛି । ଦ୍ୱିତୀୟ ଲତା ଆଉ କେହି ହୋଇପାରିବେ ନାହିଁ ।

ଲତାଙ୍କ ଗୀତ କେବଳ ଭାରତରେ ନୁହେଁ ପଡୋଶୀ ପାକିସ୍ତାନର ଲୋକଙ୍କ ହୃଦୟ ମଧ୍ୟ ଛୁଇଁଥିଲା । ସେଥିପାଇଁ ତ ତାଙ୍କ ପରଲୋକରେ ପାକିସ୍ତାନରୁ ମଧ୍ୟ ଶୋକବାର୍ତ୍ତା ପଠାଇଥିଲେ ତାଙ୍କର ଅନେକ ପ୍ରଂଶସକ । ଏହାଛଡା ଲତା ଦିଦିଙ୍କର କ୍ରିକେଟ ପ୍ରତି ଥିବା ଭଲପାଇବା ତାଙ୍କୁ କ୍ରିକେଟରଙ୍କ ମଧ୍ୟରେ ବି ବେଶ ଲୋକପ୍ରିୟ କରିଥିଲା । ଭାରତୀୟ କ୍ରିକେଟ ପ୍ରତି ଲତାଙ୍କର ଅବଦାନ କେହି କେବେ ଭୁଲି ପାରିବେ ନାହିଁ । ୧୯୮୩ରେ ଯେତେବେଳେ ଭାରତ ବିଶ୍ୱ ଚାମ୍ପିୟନ ହୋଇଥିଲା ସେତେବେଳେ ଖେଳାଳୀଙ୍କୁ ଟଙ୍କା ଦେବାକୁ ବିସିସିଆଇ ପାଖରେ ଏତେ ଅର୍ଥରାଶି ନଥିଲା । ସେତେବେଳେ ବିସିସିଆଇ ଲତା ମଙ୍ଗେସକରଙ୍କ ସହଯୋଗରେ ବିଭିନ୍ନ ସୋ’ କରି ଖେଳାଳୀଙ୍କ ପାଇଁ ୨୦ ଲକ୍ଷରୁ ଅଧିକ ଟଙ୍କା ଯୋଗାଡ କରିପାରିଥିଲା । ଯାହାକୁ ବିଶ୍ୱ ବିଜୟୀ ଟିମର ଖେଳାଳୀଙ୍କୁ ଦିଆଯାଇଥିଲା ।