ପାକିସ୍ତାନ୍ ସେନା ମୁଖ୍ୟଙ୍କୁ ବଡ଼ ଝଟକା ! ଏଥର ବୃଦ୍ଧି ହୋଇନପାରେ କାର୍ଯ୍ୟକାଳ, ଇମ୍ରାନଙ୍କ ସ୍ୱପ୍ନ ଭାଙ୍ଗିଦେଇ ପାରନ୍ତି ପାକ୍ ସୁପ୍ରିମକୋର୍ଟ ।

707

କନକ ବ୍ୟୁରୋ: ପାକିସ୍ତାନ ସୁପ୍ରିମକୋର୍ଟରେ କାଟ୍ ଖାଇବାକୁ ଯାଉଛି ଇମ୍ରାନଙ୍କ ଆଉ ଏକ ଚାଲ୍ । ପାକ୍ ସେନାମୁଖ୍ୟ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦେଖୁଥିବା ସ୍ୱପ୍ନ ଭାଂଗିଯିବାକୁ ବସିଲାଣି । କାରଣ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ପାକିସ୍ତାନର ସୁପ୍ରିମକୋର୍ଟ । ମଙ୍ଗଳବାର ଏହି ମାମଲାର ଶୁଣାଣି କରିବା ବେଳେ ପାକ୍ ସରକାର ଜାରି କରିଥିବା କାର୍ଯ୍ୟକାଳ ବୃଦ୍ଧିର ଅଧିସୂଚନାକୁ ପ୍ରଥମେ ନିଲଂବିତ କରିଦେଇଛନ୍ତି ଅଦାଲତ । ଏହି ମାମଲାର ଶୁଣାଣି ଆସନ୍ତାକାଲି ଯାଏଁକୁ ଟାଳି ଦିଆଯାଇଛି ।

ଯେଉଁ ଜେନେରାଲ କମର ବାଜୱାଙ୍କୁ ହାତ କରି ଇମ୍ରାନ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ, ଆଜି ସେହି ବାଜୱାଙ୍କୁ ନେଇ ସେ ଫସିବାକୁ ଯାଉଛନ୍ତି । ଇମ୍ରାନ ସ୍ୱପ୍ନ ଦେଖିଥିଲେ ବାଜୱାଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ବଢାଇବେ । ଏଥିପାଇଁ ଆଗୁଆ ତିଆରି କରିଥିଲେ ରୋଡ୍ ମ୍ୟାପ୍ । ଆଉ ଏହି ରୋଡ୍ ମ୍ୟାପ୍ ହିଁ ତାଙ୍କୁ ଫସାଇ ଦେଇଛି । ଆସନ୍ତା ନଭେମ୍ୱର ୨୯ରେ ଶେଷ ହେଉଛି ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳ । ପାକ୍ ସଂବିଧାନ ଅନୁସାରେ କୌଣସି ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିବା ପରେ ହିଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧିର ନିଷ୍ପତି ନିଆଯିବ । ଏହି କ୍ଷମତା ପାକିସ୍ତାନର ରାଷ୍ଟ୍ରପତିଙ୍କ ହାତରେ ରହିଛି । ହେଲେ ଗତ ଅଗଷ୍ଟ ମାସରେ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଅଧିସୂଚନାକୁ ଜାରି କରିଦେଇଛନ୍ତି ଇମ୍ରାନ୍ । ନିଜେ ଏହାକୁ ସୁପାରିଶ କରି ପାକ୍ ରାଷ୍ଟ୍ରପତିଙ୍କ ଠାରୁ ମୋହର ବି ମରାଇ ନେଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ ।

ମାମଲାର ଶୁଣାଣି କରି ଆଜି ପାକିସ୍ତାନ ସୁପ୍ରିମକୋର୍ଟ ସରକାରଙ୍କ ଅଧିସୂଚନାକୁ ନିଲଂବିତ କରିଦେଇଛନ୍ତି । ଏହା ସହିତ ପାକ୍ ସରକାରଙ୍କ ସମେତ ସମସ୍ତ ପକ୍ଷଙ୍କୁ ନୋଟିସ୍ କରିଛନ୍ତି । ଆସନ୍ତାକାଲି ଯାଏଁ ଟାଳି ଦିଆଯାଇଛି ଶୁଣାଣି । ଇମ୍ରାନଙ୍କୁ ଅଡୁଆ ବାଜୱା ମୋହ । ସୁପ୍ରିମକୋର୍ଟରୁ ଆସିପାରେ ଛାଟ । କାର୍ଯ୍ୟକାଳ ସରିବାର ମାସକ ଆଗରୁ ଇମ୍ରାନ ପାକିସ୍ତାନର ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇ ଆଇନଗତ ପ୍ରକ୍ରିୟାରେ ଫସି ଯାଇଛନ୍ତି । ସେପଟେ ସରକାରଙ୍କୁ ବଂଚାଇବାକୁ ବୟାନ ରଖିଛନ୍ତି ପାକିସ୍ତାନର ଆଟର୍ଣ୍ଣି ଜେନେରାଲ । ସରକାରଙ୍କ ପକ୍ଷ ରଖି ସୁପ୍ରିମକୋର୍ଟରେ ପାକିସ୍ତାନର ଆଟର୍ଣ୍ଣି ଜେନେରାଲ କହିଛନ୍ତି ଦେଶର ବର୍ତମାନର ସୁରକ୍ଷା ସ୍ଥିତିକୁ ଦେଖି ଏପରି ନିଷ୍ପତି ନିଆଯାଇଛି ।