କନକ ବ୍ୟୁରୋ : ପୁଣିଥରେ ହ୍ୟାକ୍ ହୋଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ । ବିଶ୍ୱବିଦ୍ୟାଳୟର ଗ୍ରିଭାନ୍ସ ୱେବସାଇଟକୁ ହ୍ୟାକ କରିଥିଲେ ପାକିସ୍ତାନୀ ହ୍ୟାକର । ଲିଙ୍କ ଖୋଲିବା ମାତ୍ରେ- ‘କିଲର୍- ହ୍ୟାକ୍ ବାଏ ଡେଭିଲ୍’ ଲେଖା ଆସୁଥିଲା । ଏଥିସହ ସ୍କ୍ରିନରେ ହ୍ୟାକରଙ୍କ ବାର୍ତା ମଧ୍ୟ ଦେଖିବାକୁ ମିଳୁଥିଲା । ହ୍ୟାକରଙ୍କ ମେସେଜ ତଳକୁ ପିସିଏ ଅର୍ଥାତ ପାକିସ୍ତାନ ସାଇବର ଏଜେଂଟ ବୋଲି ଉଲ୍ଲେଖ ରହିଥିଲା ।
ସୂଚନା ଅନୁସାରେ, ପାକିସ୍ତାନ ହ୍ୟାକର୍ ସମ୍ବଲପୁର ବିଶ୍ବବିଦ୍ୟାଳୟର ଗ୍ରିଭାନ୍ସ ୱେବ୍ସାଇଟ୍ (grievance.suniv.ac.in)କୁ ହ୍ୟାକ୍ କରିଥିଲେ । ଲିଙ୍କ୍ ଖୋଲିଲେ ‘କିଲର୍- ହ୍ୟାକ୍ ବାଏ ଡେଭିଲ୍’ ଲେଖାଯାଉଥିଲା । ଏହାସହିତ ପରଦାରେ ହ୍ୟାକର୍ର ଏକ ବାର୍ତ୍ତା ମଧ୍ୟ ଥିଲା । ବାର୍ତ୍ତାରେ ବିଶ୍ବବାସୀଙ୍କୁ ଅଭିବାଦନ କରାଯିବା ସହ ଲେଖାଥିଲା ‘ଆପଣମାନେ ନିଜ ଆଖିକୁ ଭଲ ଭାବେ ଖୋଲି ବର୍ତ୍ତମାନ ଆମ ଚାରିପାଖରେ କ’ଣ ଚାଲିଛି ଦେଖନ୍ତୁ। ସମାଜରେ ମାନବୀୟ ଗୁଣ ମରିଗଲାଣି । କ୍ରୂରତା ଓ ହିଂସା ବଳରେ ଏବେ ଆମକୁ ଚାପି ଦିଆଯାଉଛି । ଏହା ଆଦୌ ଗ୍ରହଣୀୟ ନୁହେଁ ଓ ବନ୍ଦ ହେବା ଜରୁରି। କୌଣସି ଧର୍ମ ଓ ଆଇନ୍ ଏଭଳି କାର୍ଯ୍ୟକୁ ଅନୁମତି ଦିଏନାହିଁ ।
ତେଣୁ ଆପଣଙ୍କ ମସ୍ତିଷ୍କକୁ ଖୋଲନ୍ତୁ ଏବଂ କ’ଣ ଠିକ୍, କ’ଣ ଭୁଲ ଚିନ୍ତା କରନ୍ତୁ । ଆଡ୍ମିନ୍ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ, ଆପଣଙ୍କ ଡାଟାବେସ୍ ୧୦୦% ସୁରକ୍ଷିତ ଅଛି ।’ ଏହାସହିତ ବାର୍ତ୍ତା ତଳେ ପିସିଏ (ପାକିସ୍ତାନ ସାଇବର ଏଜେଣ୍ଟ) ବୋଲି ମଧ୍ୟ ଉଲ୍ଲେଖ କରାଯାଇ ସମସ୍ତ ପାକିସ୍ତାନୀ ହ୍ୟାକର୍ସଙ୍କ ତରଫରୁ ପୁଣିଥରେ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏହା ଜଣାପଡିବା ପରେ ୱେବସାଇଟ ପରିଚାଳନାକାରୀ ସଂସ୍ଥା ସହ ଯୋଗାଯୋଗ କରି ୱେବସାଇଟକୁ ଠିକ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ତେବେ ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।
ଉଲ୍ଲେଖଯୋଗ୍ୟ ଯେ ୱେବ୍ସାଇଟ୍ ହ୍ୟାକ୍ ହେବା ସମ୍ବଲପୁର ବିଶ୍ଵବିଦ୍ୟାଳୟ ପାଇଁ ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ୨୦୧୫ ମସିହାରେ ବିଶ୍ୱବିଦ୍ୟାଳୟର ୱେବ୍ସାଇଟ୍ର କ୍ଲୋନିଂ କରି ଆଉ ଏକ ୱେବ୍ସାଇଟ୍ ତିଆରି କରାଯାଇଥିଲା, ଯାହାକୁ ହ୍ୟାକର୍ମାନେ ବେଶ୍ କିଛିମାସ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ତାହାକୁ ବିଶ୍ବବିଦ୍ୟାଳୟର ଅଫିସିଆଲ୍ ୱେବ୍ସାଇଟ୍ ମନେକରୁଥିଲେ । ୱେବ୍ସାଇଟ୍ ହ୍ୟାକ୍ ହେବାନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୁର୍ଲା ଥାନାରେ ଅଭିଯୋଗ କରାଯାଇଥିଲା ।
ତେବେ ସେହି ଅଭିଯୋଗରେ ହିଁ ସୀମିତ ରହି ଯାଇଥିଲା ବିଶ୍ବବିଦ୍ୟାଳୟର କାର୍ଯ୍ୟାନୁଷ୍ଠାନ । ତା’ପରେ ନା ୱେବ୍ସାଇଟ୍ର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇଥିଲା, ନା କୌଣସି ସେଭଳି ପଦକ୍ଷେପ ନିଆଯାଇଥିଲା । ଯାହାଫଳରେ ପୁଣିଥରେ ୱେବ୍ସାଇଟ୍କୁ ହ୍ୟାକ୍ କରାଯାଇଛି । ୨ଦିନ ହ୍ୟାକ୍ ହୋଇ ରହିବାପରେ ରବିବାର ଦିନ ୧୦ଟା ୩୦ରେ ୱେବ୍ସାଇଟ୍ ସ୍ବାଭାବିକ ହୋଇପାରିଛି ।