କନକ ବ୍ୟୁରୋ: ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଅଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଆଇସିସି ଏହାର ଖେଳସୂଚୀ ମଧ୍ୟ ଘୋଷଣା କରିସାରିଛି । ତେବେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏଥର ଏକାକି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଆୟୋଜନ କରୁଛି । ଆଉ ଏହି ବିଶ୍ୱକପରେ ପାକିସ୍ତାନ ଭାଗ ନେବ କି ନାହିଁ ତାହା ଏବେ ବି ଏକ ପ୍ରଶ୍ନ ଚିହ୍ନ ହେଇ ଲାଗିରହିଛି ।

Advertisment

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମୁକାବିଲା ହେବାକୁ ଅଛି । ହେଲେ ଏହି ଷ୍ଟାଡିୟମରେ ମ୍ୟାଚ୍ ଖେଳିବାକୁ ପ୍ରଥମରୁ ଅମଙ୍ଗ ଥିବା ପାକିସ୍ତାନ ଏବେ ବିଶ୍ୱକପ୍ ଆୟୋଜନ ପୂର୍ବରୁ ଭାରତକୁ ଏକ ପ୍ରତିନିଧିମଣ୍ଡଳ ପଠାଇବାକୁ ଚିନ୍ତା କରୁଥିବା ଜଣାପଡିଛି । ଏହି ପ୍ରତିନିଧିମଣ୍ଡଳ ପ୍ରଥମେ ଭାରତକୁ ଆସି, ଏଠାକାର ସ୍ଥିତି ପରଖିବ । ଏହାପରେ ଯାଇ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ଜଣାପଡିଛି ।

ବିଶ୍ୱକପ୍ ଆୟୋଜନ ହେବା ପୂର୍ବରୁ ପାକିସ୍ତାନର ଏହି ପ୍ରତିନିଧିମଣ୍ଡଳ ସେହି ୫ଟି ସ୍ଥାନକୁ ଗସ୍ତ କରିବ, ଯେଉଁଠି ପାକିସ୍ତାନର ଲିଗ୍ ମ୍ୟାଚ୍ ହେବାକୁ ଅଛି । ଚେନ୍ନାଇ ସହିତ ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା ଏବଂ ଅହମ୍ମଦାବାଦକୁ ଯାଇ ପାକିସ୍ତାନର ପ୍ରତିନିଧିମଣ୍ଡଳୀ ସ୍ଥିତି ପରଖିବ । ଏହାପରେ ଯାଇ ପାକିସ୍ତାନ ଟିମ୍ ଭାରତ ଆସିବ ।

ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବା ସମୟରେ ମଧ୍ୟ ଏପରି ଘଟିଥିଲା । ୨୦୧୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ଯେଉଁ ଯେଉଁ ଜାଗାରେ ଲିଗ୍ ମ୍ୟାଚ୍ ଖେଳିବାକୁ ଥିଲା, ସେହି ସ୍ଥାନକୁ ସରକାର ଏକ ସଂଯୁକ୍ତ ପ୍ରତିନିଧିମଣ୍ଡଳୀ ପଠାଇଥିଲେ । ପ୍ରତିନିଧିମଣ୍ଡଳୀର ପରାମର୍ଶକ୍ରମେ ହିଁ, ସେତେବେଳେ ଧର୍ମଶାଳାରେ ଆୟୋଜିତ ହେବାକୁ ଥିବା ଏକ ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତରିତ କରିଦିଆଯାଇଥିଲା ।