କନକ ବ୍ୟୁରୋ : ଦିନିକିଆ ବିଶ୍ୱକପକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ । ତେବେ ଏହି ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଯଥେଷ୍ଟ କ୍ରେଜ ରହିଛି । ଚଳିତ ବିଶ୍ୱକପରେ ୧୦ଟି ଟିମ ମଧ୍ୟରେ ୪୮ଟି ମ୍ୟାଚ ଖେଳାଯିବ । କିନ୍ତୁ ସମସ୍ତଙ୍କର ନଜର ରହିବ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ । ଚଳିତ ବିଶ୍ୱକପ ପାଇଁ ବିସିସିଆଇ ୧୨ଟି ଭେନ୍ୟୁ ସର୍ଟଲିଷ୍ଟ କରିଛି । ଅଥାର୍ତ ପ୍ରତି ଭେନ୍ୟୁରେ ୪ଟି ମ୍ୟାଚ ଖେଳାଯିବ । ପୂର୍ବରୁ ପାକିସ୍ତାନ ବିଶ୍ୱକପରେ ଖେଳିବ କି ନାହିଁ ତାହାକୁ ନେଇ ସଂଶୟ ଦେଖାଦେଇଥିଲା । କିନ୍ତୁ ପିସିବି ଚେୟାରମ୍ୟାନ ନଜମ ସେଠୀ ସ୍ପଷ୍ଟ କରିଛନ୍ତି ଯେ, ଯେହେତୁ ବିଶ୍ୱକପ ଆଇସିସି ଇଭେଣ୍ଟ ତେଣୁ ଏଥିରେ ଭାଗ ନେବାରେ କୌଣସି ଅସୁବିଧା ନାହିଁ । ଅଥାର୍ତ ପାକିସ୍ତାନ ଟିମ ଭାରତରେ ଖେଳିବା ଏକପ୍ରକାର ସ୍ପଷ୍ଟ ।

Advertisment

ତେବେ ବିଶ୍ୱକପରେ ପାକିସ୍ତାନ କେଉଁ ଭେନ୍ୟୁରେ ଖେଳିବ ତାହା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନକୁ ପସନ୍ଦ ମୁତାବକ ଭେନ୍ୟୁ ମିଳିନପାରେ । ଅଥାର୍ତ ପାକିସ୍ତାନ ଟିମର ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ନିର୍ଦ୍ଦିଷ୍ଟ ଭେନ୍ୟୁରେ ଖେଳାଇପାରେ ବିସିସିଆଇ । ଚଳିତ ବିଶ୍ୱକପରେ ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୯ଟି ମ୍ୟାଚ୍ ଖେଳିବେ । ତେଣୁ ଦିଲ୍ଲୀକୁ ପାକିସ୍ତାନ ଟିମର ବେସ୍ ପଏଣ୍ଟ କରିପାରେ ବିସିସିଆଇ । ଦିଲ୍ଲୀର ନିକଟବର୍ତ୍ତୀ ଷ୍ଟାଡିୟମରେ ପାକିସ୍ତାନର ସମସ୍ତ ମ୍ୟାଚ ଖେଳାଯାଇପାରେ ।

ଏହାପୂର୍ବରୁ ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବନାହିଁ ବୋଲି କହିବା ପରେ ପାକିସ୍ତାନ ମଧ୍ୟ ବିଶ୍ୱକପ ଖେଳିବାକୁ ଭାରତ ଆସିବନି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ଭାରତର ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବା ନେଇ ଘୋଷଣା ହେବା ପରେ ଏସିଆ କପରେ ଭାଗ ନେବାକୁ ରାଜି ହୋଇଥିଲା ବିସିସିଆଇ । ସମାନ ଫର୍ମୁଲା ବିଶ୍ୱକପରେ ଲାଗୁ କରିବାକୁ ପାକିସ୍ତାନ ମଧ୍ୟ ଚାହୁଁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଇସିସିକୁ ପିସିବି ସେମିତି କୌଣସି ନିର୍ଦ୍ଦିଷ୍ଟ ଭେନ୍ୟୁ ବାବଦରେ ପ୍ରସ୍ତାବ ଦେଇନାହିଁ । ତେବେ ଏଭଳି ଚର୍ଚ୍ଚା ଭିତରେ ବିସିସିଆଇ ବିଶ୍ୱକପରେ ପାକିସ୍ତାନର ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ କରାଇବା ଦାବିକୁ ସିଧାସଳଖ ଖାରଜ କରିଛି ।

ଅହମ୍ମଦାବାଦ ଓ ମୁମ୍ବାଇରେ ଗୋଟିଏ ଲେଖାଏଁ ନକ୍ ଆଉଟ ମୁକାବିଲା ଖେଳାଯାଇପାରେ । ତେଣୁ ଏଠାରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିନପାରେ । ଯଦି ଇଡେନ ଗାର୍ଡେନରେ କୌଣସି ନକ୍ ଆଉଟ ମ୍ୟାଚ୍ ଖେଳାନଯାଏ ତେବେ ଏଠାରେ ଭାରତ-ପାକିସ୍ତାନ ମଧ୍ୟରେ ବଡ ମୁକାବିଲା ଦେଖିବାକୁ ମିଳିବ । ୨୦୧୧ ବିଶ୍ୱକପରେ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା ମଧ୍ୟ କୋଲକାତାରେ ଖେଳାଯାଇଥିଲା । ୨୦୧୬ରେ ଟି-୨୦ ବିଶ୍ୱକପରେ ମଧ୍ୟ ଉଭୟ ଟିମ୍ ଇଡେନ ଗାର୍ଡେନରେ ମୁହାଁମୁହିଁ ହୋଇଥିଲେ ।
ଏସବୁ ଭିତରେ ଦିନିକିଆ ବିଶ୍ୱକପ ପାଇଁ କେବେ ତାରିଖ ଘୋଷଣା ହେବ ଏବଂ ଭାରତ-ପାକିସ୍ତାନ ମଧ୍ୟରେ କେବେ ମ୍ୟାଚ୍ ରହିବ ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଯେହେତୁ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଉନାହିଁ ତେଣୁ ଆଇସିସି ଇଭେଣ୍ଟରେ ଉଭୟ ଦେଶ ମୈଦାନରେ ମୁହାଁମୁହିଁ ହୋଇଥାନ୍ତି ।