ମୋଦିଙ୍କ କୂଟନୀତି ଆଗରେ ଇମ୍ରାନ୍ ଖାନଙ୍କ ଷଡ଼ଯନ୍ତ୍ର ଫିକା : ପାକ୍ କହିଲା, ପ୍ରଥମେ ବ୍ୟବହାର କରିବୁ ନାହିଁ ପରମାଣୁ ଅସ୍ତ୍ର

449

କନକ ବ୍ୟୁରୋ : ଭାରତ ବିରୋଧରେ ପ୍ରତିଦିନ ବିଷ ଓଗାଳୁଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତ ପଡିଛନ୍ତି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପର ଠାରୁ ପ୍ରତିଦିନ ପାକିସ୍ତାନରୁ ଆସୁଥିଲା ପରମାଣୁ ଯୁଦ୍ଧର ଧମକ । ଏହାକୁ ନେଇ ବିଶ୍ୱମଂଚରେ ପାକିସ୍ତାନ ଏକ ଘରିକିଆ ହୋଇଯିବା ପରେ ନାକେଦମ ହୋଇଥିଲା । ଏହା ପରେ ଏବେ ସାମ୍ନାକୁ ଆସିଛି ଇମ୍ରାନଙ୍କ ଥଣ୍ଡା ଅବତାର । ଇମ୍ରାନ୍ କହିଛନ୍ତି ଭାରତ ବିପକ୍ଷରେ ପାକିସ୍ତାନ କେବେ ପ୍ରଥମେ ପରମାଣୁ ଆକ୍ରମଣ କରିବ ନାହିଁ । ଏହା ହିଁ ପ୍ରମାଣ କରୁଛି ବିଶ୍ୱରେ ଏକ ଘରିକିଆ ହେବା ପରେ ପାକିସ୍ତାନର ମନୋଭାବ ନରମ ପଡିଗଲାଣି ।

ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ଭାରତ ସହିତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରଥମେ ମତ ରଖିଥିଲେ । ପାକ୍ ବିଦେଶ ମନ୍ତ୍ରୀଙ୍କ ଏହି ବୟାନ ପରେ ପରେ ସ୍ୱର ବଦଳାଇ ଦେଇଛନ୍ତି ଇମ୍ରାନ୍ ଖାନ୍ । କହିଛନ୍ତି କାଶ୍ମୀରକୁ ନେଇ ଭାରତ ସହିତ ଯୁଦ୍ଧ ହେଲେ ପାକିସ୍ତାନ କେବେ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ । କାଶ୍ମୀର ପ୍ରସଙ୍ଗକୁ ନେଇ ବିଶ୍ୱ ମଂଚରେ ହଟହଟା ହୋଇଯିବା ପରେ ଏହା ହେଉଛି ଇମ୍ରାନଙ୍କ ବଦଳୁଥିବା ସ୍ୱର । କିଛି ଦିନ ତଳେ ଏହି ଇମ୍ରାନ୍ କହିଥିଲେ ପରମାଣୁ ଶକ୍ତି ସଂପନ୍ନ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ହେଲେ , ଏଥିରେ କେବଳ ଏହି ଦୁଇ ଦେଶ ନୁହଁନ୍ତି, ବରଂ ସାରା ବିଶ୍ୱ ପ୍ରଭାବିତ ହେବ ।

ଏହାକୁ ନେଇ ଆମେରିକାକୁ ହସ୍ତକ୍ଷେପ କରିବାକୁ ଗୁହାରୀ କରିଥିଲା ପାକ୍ । ନିକଟରେ ଋଷରେ ଶେଷ ହୋଇଥିବା ଜି ସେଭେନ୍ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ପରେ , ଟ୍ରମ୍ପ କହିଥିଲେ ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ । ଭାରତ ମଧ୍ୟ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ସିଧାସଳଖ ମନା କରିଥିଲା । କାଶ୍ମୀରକୁ ନେଇ ବିଶ୍ୱ ମଂଚରେ ଚାରି ଆଡୁ ବାଟ ବନ୍ଦ ହେବା ପରେ ବାଧ୍ୟ ହୋଇ ନିଜର ସ୍ୱର ବଦଳାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।