କନକ ବ୍ୟୁରୋ : ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି ଶ୍ରୀଲଙ୍କା । ସୁପର୍-୪ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାର ଶେଷ ବଲରେ ପାକିସ୍ତାନକୁ ହରାଇ ଏହି ସଫଳତା ହାସଲ କରିଛି ଦଳ । ଟାଇଟଲ୍ ମୁକାବିଲାରେ ଶ୍ରୀଲଙ୍କାର ସାମ୍ନା ଭାରତ ସହ ହେବ । ଭାରତ ସୁପର୍-୪ରେ ଦୁଇଟି ମ୍ୟାଚ୍ ଜିତି ପ୍ରଥମ ଦଳ ଭାବେ ଫାଇନାଲ୍ ଟିକେଟ୍ କାଟିସାରିଛି ।

Advertisment

ରବିବାର କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଟ୍ରଫି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା-ପାକିସ୍ତାନ ସୁପର୍-୪ ମ୍ୟାଚରେ ମଧ୍ୟ ବର୍ଷାର ଖେଳ ଦେଖିବାକୁ ମିଳିଥିଲା । ୪୨ ଓଭର ବିଶିଷ୍ଟ ମ୍ୟାଚରେ ପାକିସ୍ତାନ ଦଳ ୭ ୱିକେଟ୍ ହରାଇ କରିଥିଲା ୨୫୨ ରନ୍ । ମହମ୍ମଦ ରିଜୱାନ ସର୍ବାଧିକ ୮୬ ରନ୍, ଅବଦୁଲ ସଫିକ୍ ୫୨ ରନ୍ ଏବଂ ମହମ୍ମଦ ଇଫତିକାର ୪୭ ରନ୍ର ଇନିଂସ୍ ଖେଳିଥିଲେ । ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ଏକ ସମୟରେ ମ୍ୟାଚକୁ ସହଜରେ ଜିତିନେବା ଭଳି ସ୍ଥିତିରେ ଥିଲା ।

କିନ୍ତୁ ନିମ୍ନକ୍ରମ ବ୍ୟାଟରଙ୍କ ଭୁଲ୍ ସଟ୍ ଚୟନ ଯୋଗୁଁ ଦଳ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେଇଥିଲା । ଶେଷ ଓଭରରେ ୮ ରନ୍ ଆବଶ୍ୟକ ଥିବା ବେଳେ ଚରିଥା ଅସଲଙ୍କା ନଟଆଉଟ୍ ରହି ଦଳକୁ ଜିତାଇଥିଲେ । ତେବେ ମ୍ୟାଚର ହିରୋ ଥିଲେ କୁଶାଲ ମେଣ୍ଡିସ୍ । ଯିଏ ୮୭ ବଲରେ ଖେଳିଥିଲେ ୯୧ ରନର ଇନିଂସ୍ । ଅସଲଙ୍କା ଅପରାଜିତା ୪୯ ରନ୍ ଏବଂ ସଦୀରା ସମରବିକ୍ରମ ୪୮ ରନ୍ କରିଥିଲେ ।