ଚରମ ସୀମାରେ ପାକିସ୍ତାନର ବେରୋଜଗାରୀ, ଗୋଟିଏ ଚପରାଶି ପଦପାଇଁ ୧୫ ଲକ୍ଷ ଆବେଦନ

318

କନକ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ସରକାର ସେଠିକାର ଲୋକଙ୍କୁ ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏବେ ପାକିସ୍ତାନରେ ବେରୋଜଗାରୀ ହାର ସବୁଠାରୁ ଉପରେ ରହିଛି । ଗୋଟିଏ ଚପରାଶି ପଦ ପାଇଁ ୧୫ ଲକ୍ଷ ଯୁବକ ଯୁବତୀ ଆବେଦନ କରିବା ପରେ ଏହା ସ୍ପଷ୍ଟ ହୋଇଛି ।

ଗତ ସୋମବାର ଦିନ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଇକୋନମିକ୍ସ (ପିଆଇଡିଇ) ର ସୂଚନା ମୁତାବକ ପାକିସ୍ତାନରେ ବେରୋଜଗାରୀ ହାର ୧୬ ପ୍ରତିଶତ ପର୍ଯ୍ୟନ୍ତ ପହଂଚିଯାଇଛି । ହେଲେ ଇମ୍ରାନ ଖାନ ସରକାର କିଛି ଦିନ ପୂର୍ବରୁ କହିଥିଲେ କି ଦେଶରେ ବେରୋଜଗାରୀ ଦର ୬.୫ ପ୍ରତିଶତ ରହିଛି । ହେଲେ ପିଆଇଡିଇର ସୂଚନା ଆସିବା ପରେ ଇମ୍ରାନଖାନଙ୍କ ପୋଲ ଖୋଲିଯାଇଛି ।

ପାକିସ୍ତାନ ଗଣମାଧ୍ୟମ ‘ଡନ’ ସୂଚନା ମୁତାବକ ପିଆଇଡିଇ ଦେଶରେ ବଢୁଥିବା ବେରୋଜଗାରୀ ସମସ୍ୟାକୁ ଉଜାଗର କରିଛି । ପିଆଇଡିଇ ମୁତାବକ ପାକିସ୍ତାନରେ ୨୪ ପ୍ରତିଶତ ଶିକ୍ଷିତ ଯୁବକ ଯୁବତୀ ଏବେ ବେରୋଜଗାର ହୋଇଛନ୍ତି । ଯୋଜନା ଓ ବିକାଶ ଉପରେ ସନେଟର ସ୍ଥାୟୀ ସମିତି ବୈଠକରେ ପିଆଇଡିଇ କହିଛନ୍ତି ଯେ ସାରା ଦେଶରେ ୪୦ ପ୍ରତିଶତ ଶିକ୍ଷିତ ମହିଳା (ସ୍ନାତୋକ, କିମ୍ବା ସ୍ନାତୋକରୁ କମ୍) ବେରୋଜଗାର ରହିଛନ୍ତି ।

ରିପୋଟର୍ସ ମୁତାବକ ଏବେ ଏବେ ପାକିସ୍ତାନରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ହାଇକୋର୍ଟରେ ଏକ ଚପରାଶି ପଦପାଇଁ ୧୫ ଲକ୍ଷରୁ ଅଧିକ ପିଲା ଆବେଦନ କରିଥିବା ଜଣାପଡିଛି । ଅଧିକାରୀ କହିଛନ୍ତି କି ଏହି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଏମଫିଲ୍ ଡିଗ୍ରୀ ଧାରକ ବି ସାମିଲ ଅଛନ୍ତି । ପିଆଇଡିଇ କହିଛନ୍ତି କି ସରକାରୀ ସ୍ତରରେ କୌଣସି ଗବେଷଣା କରାଯାଉନାହିଁ । ଦେଶରେ ଅନେକ ଗବେଷଣା ପ୍ରତିଷ୍ଠାନ ଚାଲୁଥିବା ବେଳେ କିନ୍ତୁ ଗବେଷଣାର ଉଦ୍ଦେଶ୍ୟ ପୂରଣ ହୋଇପାରୁ ନାହିଁ ।

କହିରଖୁ କି ପାକିସ୍ତାନର ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ପ୍ରକାଶିତ ଶ୍ରମ ବଳ ସର୍ବେକ୍ଷଣ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ପାକିସ୍ତାନର ବେରୋଜଗାରୀ ହାର ୫.୮ ପ୍ରତିଶତ ଥିଲା । ଏହା ୨୦୧୮-୧୯ ରେ ବୃଦ୍ଧିପାଇ ୬.୯ ପ୍ରତିଶତରେ ପହଂଚିଥିଲା । ଗୋଟେପଟେ ଦେଶରେ ବେରୋଜଗାରୀ ସଂଖ୍ୟା ବୃଦ୍ଧିପାଉଥିବା ବେଳେ ଏହାକୁ ନେଇ ବିରୋଧୀ କହିଛନ୍ତି କି ଇମ୍ରାନ ସରକାର ଦେଶରେ ଯୁବକମାନଙ୍କ ରୋଜଗାର ଦେବା ପରିବର୍ତ୍ତେ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଇବା ନେଇ ବେଶି ଆଗ୍ରହ ଦେଖାଉଛନ୍ତି ।