ମିଳିଲା ପାକିସ୍ତାନର ଉଡୁଥିବା ଆତଙ୍କର ପ୍ରମାଣ । ପଞ୍ଜାବରେ ୨୬/୧୧ ଆକ୍ରମଣ ଭଳି ଷଡଯନ୍ତ୍ର କରୁଛି କି ପାକ୍ ? ଡ୍ରୋନ୍ ଯୋଗେ ଆତଙ୍କୀଙ୍କୁ ପହଞ୍ଚାଉଛି ଅସ୍ତ୍ରଶସ୍ତ୍ର ।

346

କନକ ବ୍ୟୁରୋ : କ’ଣ ପଂଜାବରେ ୨୬/୧୧ ଆକ୍ରମଣ ଭଳି ଷଡଯନ୍ତ୍ର କରୁଛି ପାକିସ୍ତାନ ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ପଂଜାବର ତରଙ୍ଗତାରଙ୍ଗରେ ପାକିସ୍ତାନ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପହଂଚାଇଥିବାର ଠୋସ ପ୍ରମାଣ ମିଳୁଛି । ଏହିସବୁ ଫଟୋ ଓ ଭିଡିଓ ପାକିସ୍ତାନ ସଇତାନୀ ଷଡଯନ୍ତ୍ରର ବଡ ପ୍ରମାଣ ।

ଦେଖନ୍ତୁ ପଂଜାବର ତରଙ୍ଗତାରଙ୍ଗରେ ଯେଉଁଠି ପାକିସ୍ତାନୀ ଡ୍ରୋନ ଖସିଥିଲା, ସେଠାରେ ପୋଡାଦାଗ ଏବେ ବି ରହିଛି । ଘଟଣାସ୍ଥଳରୁ ୪ଟି ବ୍ୟାଟେରୀ ଜବତ କରିଛି ପଂଜାବ ପୋଲିସ । ଡ୍ରୋନ ଯୋଗୁଁ ପୋଡିଯାଇଥିବା ସ୍ଥାନ ଓ ୪ଟି ବ୍ୟାଟେରୀ ସଂପର୍କରେ ସେତେବେଳେ ଖୁଲାସା ହେଲା ଯେତେବେଳେ ପଂଜାବ ପୋଲିସ ହାତରେ ଲାଗିଲା ଏହି ମାମଲାର ଜଣେ ସନ୍ଦିଗ୍ଧ । ଆଉ ଏହି ସନ୍ଦିଗ୍ଧକୁ ପଚରାଉଚରା କରିବା ପରେ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପହଂଚା ଯାଇଥିବା ନେଇ ସୁରାଗ ପଂଜାବ ପୋଲିସ ହାତରେ ଲାଗିଥିଲା ।

ପଂଜାବର ତରନ ତାରନରେ ହୋଇଥିବା ବ୍ଲାଷ୍ଟ ମାମଲାର ଛାନଭିନ୍ ଆଗକୁ ବଢିବା ସହ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ପହଂଚା ଯିବାର ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । ପ୍ରାଥମିକ ତଦନ୍ତ ପରେ ଜଣା ପଡିଛି ଡ୍ରୋନ୍ ଜରିଆରେ ହତିଆର ପହଂଚାଇବା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି । ଏବଂ ଆଇଏସଆଇ ପଂଜାବ ଓ ଆଖପାଖ ରାଜ୍ୟରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଭଳି ହମଲା କରିବାକୁ ଷଡଯନ୍ତ୍ର ଚଳାଇଛି । ସେଥିପାଇଁ,

– ଡ୍ରୋନ ଜରିଆରେ ପକାଇଛି ମାରାତ୍ମକ ମାରଣାସ୍ତ୍ର
– ୫ଟି ଏକେ -୪୭ ରାଇଫଲ ପହଂଚାଇଛି ପାକିସ୍ତାନ
– ୧୬ ମାଗାଜିନ୍ ଓ ୪୭୨ ଗୁଳି ବି ପହଂଚାଯାଇଛି
– ଆକ୍ରମଣ ସମୟରେ ପାକିସ୍ତାନରୁ ମିଳିଥାନ୍ତା ନିର୍ଦ୍ଦେଶ
– ଆଇଏସଆଇ ହ୍ୟାଣ୍ଡଲର ପଠାଇଥିଲେ ସାଟେଲାଇଟ୍ ଫୋନ୍
– ୧୦ ଟଙ୍କିଆ ନକଲି ନୋଟ୍ ବି ଡ୍ରୋନ ଜରିଆରେ ପଠାଯାଇଥିଲା

କିଛିଦିନ ତଳେ ପଞ୍ଜାବ ପୋଲିସ ତରଙ୍ଗତାରଙ୍ଗ ଅଂଚଳରୁ ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏମାନଙ୍କୁ ପଚରା ଉଚରା ପରେ ଜଣାପଡିଲା ଯେ, ପାକିସ୍ତାନରୁ ଆଇଏସଆଇ ଡ୍ରୋନ ଜରିଆରେ ଏସବୁ ମାରାତ୍ମକ ମାରଣାସ୍ତ୍ର ପଠାଇଛି ।

ଗତ କିଛିଦିନ ଭିତରେ ପଞ୍ଜାବ ପୋଲିସ ଆତଙ୍କୀ ସଂଗଠନ ଖଲିସ୍ଥାନ ଜିନ୍ଦାବାଦର ଏକ ମୋଡ୍ୟୁଲର ଖୁଲାସା କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଡ୍ରୋନ ଜରିଆରେ ପଂଜାବ ଓ ଏହା ଆଖପାଖ ଅଂଚଳରେ ଆତଙ୍କ ସୃଷ୍ଟି କରିବାକୁ ପାକିସ୍ତାନର ନାପାକ୍ ଉଦ୍ଦେଶ୍ୟ ଉପରୁ ପରଦା ହଟିଥିଲା । ଆଶଙ୍କା କରାଯାଉଛି ଭାରତରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଭଳି କିଛି ବଡ ଆକ୍ରମଣ ଯୋଜନା ଚଳାଇଥିଲା ପାକିସ୍ତାନ । ଯେଉଁ ଷଡଯନ୍ତ୍ରରେ ପାଣି ପୁରାଇ ଦେଇଛି ପଞ୍ଜାବ ପୋଲିସ ।