ଦାଉଦ ଇବ୍ରାହିମକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ପ୍ରଥମେ ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା କହିଲା, ପୁଣି ନିଜ ଦାବିରୁ ଓହରିଗଲା ସଇତାନ ପାକିସ୍ତାନ ।

723

କନକ ବ୍ୟୁରୋ : ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ, ମାଫିଆ ଡନ୍ ଦାଉଦ ଇବ୍ରାହିମ କେଉଁଠି ? ପୁଣିଥରେ ପାକିସ୍ତାନ ମିଛ କହିବା ଆରମ୍ଭ କରିଦେଇଛି । କାରଣ ପ୍ରଥମେ ପାକିସ୍ତାନ କହିଲା ଦାଉଦ ପାକିସ୍ତାନରେ ଅଛି । କିନ୍ତୁ ମିଡିଆରେ ଯେତେବେଳେ ଏହି ଖବର ଚାଲିଲା, ପୁଣି ପଲଟିଗଲା ପାକିସ୍ତାନ । ସଇତାନ ପାକିସ୍ତାନର ଚାଲାକି ଦେଖନ୍ତୁ, ଯେଉଁ ତାଲିକାକୁ ଇସଲାମାବାଦର ସ୍ୱିକାରୋକ୍ତି ବୋଲି କୁହାଯାଉଛି, ତାକୁ ଜାତିସଂଘ ଦ୍ୱାରା ଜାରି କରାଯାଇଥିବା ତାଲିକା ବୋଲି ସଫେଇ ରଖିଛି ।

ଦାଉଦ ଇବ୍ରାହିମକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ପ୍ରଥମେ ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା କହିଲା, ପୁଣି ନିଜ ଦାବିରୁ ଓହରିଗଲା ସଇତାନ ପାକିସ୍ତାନ । ଦାଉଦ… ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ମାଫିଆ ଡନ୍ ମୋଷ୍ଟ ୱାଂଟେଡ ଦାଉଦ ଇବ୍ରାହିମକୁ ନେଇ ଇସଲାମାବାଦ ଘଡିକି ଘଡି ବଦଳାଉଛି ରଙ୍ଗ । ଶନିବାର ପାକିସ୍ତାନରେ ଦାଉଦ ରହୁଥିବା ନେଇ ସ୍ୱିକାର କରିବା ପରେ, ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ବୟାନ ଜାରି କରି ନିଜ ସ୍ୱିକାରୋକ୍ତିକୁ ଖାରଜ କରିଦେଇଛି । ପାକ ବୈଦେଶିକ ମନ୍ତ୍ରାଳୟ ଏବେ କହି ବୁଲୁଛି ଯେ, ଡି-କମ୍ପାନିର ମୁଖିଆ ତା ମାଟିରେ ରହୁଥିବା କଥା ମିଛ । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କହିଛି,

– ୧୮ ଅଗଷ୍ଟ ୨୦୨୦ରେ ପାକିସ୍ତାନ ୨ଟି ଏସଆରଓ ଜାରି କରିଛି
– ଏଥିରେ ତାଲିବାନ, ଆଇଏସଆଇ, ଅଲକାଏଦାର ଆତଙ୍କବାଦୀଙ୍କ ତାଲିକା ରହିଛି
– ତାଲିକାରେ ଥିବା ଆତଙ୍କବାଦୀଙ୍କ ତାଲିକା ମଝିରେ ମଝିରେ ଜାରି କରାଯାଏ
– ତେଣୁ ଜାରି କରାଯାଇଥିବା ଏସଆରଓର ଭୁଲ ଅର୍ଥ ବାହାର କରାଯାଉଛି
– ଏସଆରଓ ଜାରି କରିବା ଅର୍ଥ ନୂଆ ପ୍ରତିବନ୍ଧକ ଲଗାଇବା ଆଦୌ ନୁହେଁ
– ସେହିପରି ଦାଉଦ ପାକିସ୍ତାନରେ ଅଛି ବୋଲି ସ୍ୱିକାର କରିଥିବା ଖବର ମିଛ

ଅର୍ଥାତ ପାକିସ୍ତାନର କହିବା ହେଲା କେବଳ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଜାରି ବୈଧାନିକ ସୂଚନାକୁ ହିଁ କେବଳ ଏହା ଜାରି କରିଛି । ଏଥିରେ ଇସଲାମାବାଦର କୌଣସି ସ୍ୱିକାରୋକ୍ତି ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ପାକିସ୍ତାନ ସଫା ମିଛ କହୁଛି ।

ଏବେ ପ୍ରଶ୍ନ ଉଠୁଛି, ଯଦି ପାକିସ୍ତାନକୁ ଲାଗୁଛି ଯେ, ଦାଉଦ ତା ମାଟିରେ ରହି ଅପରେଟ କରୁନାହିଁ ତାହାହେଲେ ଜାତିସଂଘ ଦ୍ୱାରା ଜାରି କରାଯାଇଥିବା ସୂଚିକୁ ଇସଲାମାବାଦ ପୁଣିଥରେ ଅବିକଳ କାହିଁକି ଜାରି କରିଛି ? କଣ ମିଳିତ ଜାତିସଂଘ ଆଖିରେ ବି ଧୁଳି ଦେବାକୁ ଚେଷ୍ଟା କରୁଛି ପାକିସ୍ତାନ ?

ଯେଉଁ ତାଲିକାକୁ ଜାତିସଂଘ ଦ୍ୱାରା ଜାରି ତାଲିକା କହି ପାକିସ୍ତାନ ନିଜ ସ୍ୱିକାରୋକ୍ତିରୁ ପଲଟି ଯାଇଛି, ସେଥିରେ ଭାରତର ମୋଷ୍ଟ ୱାଂଟେଡ ଦାଉଦ ଇବ୍ରାହିମ ସହିତ ମୋଟ୍ ୮୮ କୁଖ୍ୟାତ ଆତଙ୍କବାଦୀଙ୍କ ନାଁ ରହିଛି । ଏହି ତାଲିକାରେ
– ଦାଉଦ ଇବ୍ରାହିମ
– ହାଫିଜ ସୟିଦ
– ମାସୁଦ ଆଝାର
– ମୁଲ୍ଲା ଫଜଲୁଲ୍ଲା
ଭଳି ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କ ନାଁ ରହିଛି । ଯେଉଁ ମାନଙ୍କ ବିରୋଧରେ କଡା ଅର୍ଥନୈତିକ ପ୍ରତିବନ୍ଧକ ଲଗାଯାଇଛି । ସବୁଠୁ ବଡ କଥା ହେଉଛି, ଏଥିରେ କେବଳ ଦାଉର ନାଁ ଉଲ୍ଲେଖ ନାହିଁ ବରଂ କରାଚିରେ ଦାଉଦ ତାର ବଙ୍ଗଳା ହ୍ୱାଇଟ ହାଉସରେ ରହୁଥିବା ମଧ୍ୟ କୁହାଯାଇଛି । ଜାରି ହୋଇଥିବା ନୋଟିଫିକେସନ ଅନୁସାରେ ଦାଉଦର ସମସ୍ତ ଚଳାଚଳ ସଂପତି ଜବତ କରିବା ସହ ବ୍ୟାଙ୍କ ଖାତାକୁ ସିଲ କରିବା ଓ ତା ବିରୋଧରେ ଶକ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

୧୮ ଅଗଷ୍ଟରେ ପାକିସ୍ତାନ ଦୁଇଟି ନୋଟିଫିକେସନ ଜାରି କରି ଏହି ପ୍ରସଙ୍ଗରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜମାତ-ଉଦ-ଦାୱାର ମୁଖିଆ ହାଫିଜ ସୟିଦ ଏବଂ ଜୈସ-ଏ-ମହମ୍ମଦର ମୁଖିଆ ମାସୁଦ ଆଝାର ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ।

ପାକିସ୍ତାନ ଜାରି କରିଥିବା ନୋଟିଫିକେସନରେ ଦାଉଦର ଠିକଣା ଲେଖାଯାଇଛି,

ଦାଉଦର ପ୍ରଥମ ଠିକଣା
– ହ୍ୱାଇଟ ହାଉସ, ସାଉଦି ମସଜିଦ ପାଖ କ୍ଲିଫ୍ଟନ, କରାଚି

ଦାଉଦର ଦ୍ୱିତୀୟ ଠିକଣା
– ହାଉସ ନମ୍ବର- ୩୭, ଷ୍ଟ୍ରିଟ୍ ନମ୍ବର- ୩୦, ଡିଫେନ୍ସ ହାଉସିଂ ଅଥୋରିଟି, କରାଚି

ଦାଉଦର ତୃତୀୟ ଠିକଣା
– କରାଚି ନିକଟ ନୁରବନ୍ଦ ପାହାଡି ଇଲାକାରେ ମହଲନୁମା ବଙ୍ଗଳା

କିନ୍ତୁ ପାକିସ୍ତାନ ଏବେ ନିଜ ସ୍ୱିକାରୋକ୍ତିରୁ ଓହରି ଯିବା ସହ ଜାରି ହୋଇଥିବା ଏସଆରଓ ବାବଦରେ ମିଡିଆ ଭୁଲ ଅର୍ଥ ବାହାର କରିଥିବା ସଫେଇ ରଖୁଛି । ପାକିସ୍ତାନ ମହାମିଛର ବଡ ଉଦାହଣର ହେଲା ପାକିସ୍ତାନର ନ୍ୟାସନାଲ କାଉଂଟର ଟେରରିଜିମ ଅଥୋରିଟି ଦ୍ୱାରା ଜାରି ତାଲିକାରେ ନା ଦାଉଦ ଅଛି, ନା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକିଉର- ରେହମାନ-ଲକଭି ଅଛି । ଏହି ତାଲିକାରେ ମାସୁଦ ଆଝାରର ନାଁ ରହିଛି । ହେଲେ ପାକିସ୍ତାନରେ ସେ ରହୁଥିବା କଥାକୁ ବାରମ୍ବାର ଅସ୍ୱିକାର କରିଆସିଛି ଇସଲାମାବାଦ ।

ପାକିସ୍ତାନରେ ୧୮ ଅଗଷ୍ଟରେ ଜାରି ହୋଇଥିବା ଏସଆରଓକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କାରଣ ପାକିସ୍ତାନ ଦାଉଦକୁ ଦେଇଛି ତାର ନ୍ୟାସନାଲ ଆଇଡିଏଂଟିଟି ଫିକେସନ ନମ୍ବର । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯଦି ପାକିସ୍ତାନରେ ଦାଉଦ ଇବ୍ରାହିମ ନାହିଁ, ତାହାହେଲେ ସେହି ଦାଉଦକୁ ଏହି ନ୍ୟାସନାଲ ଆଇଡି କେମିତି ଦେଇଛି? ଅର୍ଥାତ ମୂଳରୁ ହିଁ ଦାଉଦକୁ ନେଇ ଦୁନିଆକୁ ମିଛ କହିଆସୁଛି ସଇତାନ ପାକିସ୍ତାନ ।