କନକ ବ୍ୟୁରୋ : ପାକିସ୍ତାନକୁ ଝଟକା । ଆତଙ୍କବାଦୀଙ୍କ ଫଣ୍ଡିଂ ଉପରେ ନଜର ରଖୁଥିବା ଏଫଏଟିଏଫ ପାକିସ୍ତାନକୁ ପୁଣି ଗ୍ରେ ଲିଷ୍ଟରେ ରଖିଛି । ପାକିସ୍ତାନ ଏହି ଗ୍ରେ ଲିଷ୍ଟରେ ୨୦୧୮ ପାଖରୁ ରହିଛି । ଏଫଏଟିଏଫର ନିୟମକୁ ପାକିସ୍ତାନ ମାନିବାରେ ବିଫଳ ହେବାରୁ ଏହି ତାଲିକାରେ ରହିଛି । ତେବେ ଇଙ୍ଗ କଥା ହେଲା ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବା ପାକିସ୍ତାନର ଅର୍ଥନୀତି ପ୍ରତି ବଡ ବିପଦ ପାଲଟିପାରେ ।
ପାକିସ୍ତାନର ଅର୍ଥନୀତି ଏବେ ଖୁବ ଖରାପ ସମୟ ଦେଇ ଗତି କରୁଛି । ଏପରିକି ଦେଶ ଚଳାଇବାକୁ ଇମ୍ରାନ ଖାନ ସରକାରକୁ ବିଦେଶୀ ଋଣ ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ଏଫଏଟିଏଫର ଗ୍ରେ ଲିଷ୍ଟ ପରେ ଅନ୍ତର୍ଜାତୀୟ ସହାୟତା ମିଳିବା ଖୁବ କଷ୍ଟକର ହୋଇଯିବ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମଏଫ ସହ ଚାଲିଥିବା ପାକିସ୍ତାନର ଆଲୋଚନା ମଧ୍ୟ ଅନିଶ୍ଚିତତା ଘେରକୁ ଚାଲି ଯାଇଛି । ସେପଟେ ତୁର୍କୀ ଏଫଏଟିଏଫର ଗ୍ରେ ଲିଷ୍ଟରେ ପ୍ରଥମ ଥର ପାଇଁ ସାମିଲ୍ ହୋଇଛି ।
ଅନ୍ୟପକ୍ଷରେ, ଇମ୍ରାନ୍ ଖାନ୍ ଅନ୍ୟ ଦେଶରୁ ପାଇଥିବା ଉପହାରଗୁଡ଼ିକୁ ବିକ୍ରି କରିଥିବା ବିଏମ୍ଏଲ୍-ଏନ୍ ଉପାଧ୍ୟକ୍ଷ ମର୍ୟାମ ନୱାଜ ଉର୍ଦ୍ଦୁରେ ଟ୍ବିଟ୍ କରିଛନ୍ତି । ‘ଖଲିଫା ହଜରତ ଓମାର ତାଙ୍କର ଜାମା ଓ ପୋଷାକ ପାଇଁ ଉତ୍ତରଦାୟୀ ଥିଲେ, ଅନ୍ୟ ପକ୍ଷରେ ତୁମେ (ଇମ୍ରାନ୍ ଖାନ୍) ବିଦେଶୀ ଉପହାରଗୁଡ଼ିକୁ ତୋଷଖାନାରୁ ଲୁଟିଛ ଏବଂ ତୁମେ କହୁଛ ମଦିନା ରାଷ୍ଟ୍ର ପ୍ରତିଷ୍ଠା କରିବ ? ଜଣେ ଲୋକ (ଖାନ୍) କିପରି ଭାବେ ଏମିତି ଅସମ୍ବେଦନଶୀଳ, ବଧିର, ମୂକ ଓ ଅନ୍ଧ ହୋଇପାରେ ?’ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ପ୍ରଶ୍ନ ପଚାରିଛନ୍ତି । ଏହିପରି ବିରୋଧୀ ଦଳର ଅନେକ ନେତା ନାନା ଭାବରେ ଇମ୍ରାନ୍ଙ୍କୁ ସମାଲୋଚନା କରିଛନ୍ତି ।
ଇମ୍ରାନ୍ଙ୍କୁ ଏକ ଗଲ୍ଫ ଦେଶର ରାଜକୁମାର ଦାମୀ ଘଣ୍ଟା ଉପହାର ଦେଇଥିଲେ । ଇମ୍ରାନ୍ ତାକୁ ତାଙ୍କର ଜଣେ ସହଯୋଗୀଙ୍କ ଦ୍ବାରା ୧ ନିୟୁତ ଡଲାରରେ ବିଦେଶରେ ବିକି ସେହି ଟଙ୍କା ନେଇଯାଇଛନ୍ତି । ଏ ଖବର ରାଜକୁମାରଙ୍କ ପାଖରେ ପହଞ୍ଚିଥିବା ଖବର ମିଳିଛି । ଏହାଦ୍ବାରା ଇମ୍ରାନ୍ ପାକିସ୍ତାନର ନାଁ ପକାଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଇସଲାମାବାଦ ହାଇକୋର୍ଟରେ ଯାଇ ମାମଲା ପହଞ୍ଚିଛି । ଇମ୍ରାନ୍ ବିଦେଶରୁ ପାଇଥିବା ଉପହାରଗୁଡ଼ିକର ବର୍ଗୀକରଣ କରାଯାଉ ଓ ସେଗୁଡ଼ିକର ତାଲିକା ପ୍ରକାଶ ପାଉ ବୋଲି ଦାବି କରାଯାଇଛି ।