ପାକିସ୍ତାନରେ କାଙ୍ଗାଳ ଅବସ୍ଥା: ଆର୍ଥିକ ଅବସ୍ଥା ସୁଧାରିବାକୁ ଭାଙ୍ଗକୁ ଭରସା କଲେ ସରକାର

359

କନକ ବ୍ୟୁରୋ: ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବେ କାଙ୍ଗାଳ ଅବସ୍ଥାରେ ପହଞ୍ଚିଛି । ପ୍ରତି ପାକିସ୍ତାନିଙ୍କ ମୁଣ୍ଡରେ ଏବେ ଲକ୍ଷ ଲକ୍ଷ ଟଙ୍କାର କରଜ । ଏଭଳି ଆର୍ଥିକ ସ୍ଥିତି ସୁୁଧାରିବାକୁ ପାକିସ୍ତାନ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଆର୍ଥିକ ସ୍ଥିତି ସୁଧାରିବାକୁ ସେ ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି । ହେଲେ କୃଷିଜାତ ଦ୍ୟବର ଚାଷ ନୁହେଁ ବରଂ ଭାଙ୍ଗ ଚାଷ ।ଏହି ଚାଷ କରିବାକୁ ସେ ଦେଶର ଚାଷୀଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଏହି ଚାଷକୁ ଅନେକ ଦେଶରେ ବାରଣ କରାଯାଉଥିଲେ ବି ପାକିସ୍ତାନ ସରକାର ଏହାକୁ ବୈଧ ବୋଲି ଘୋଷଣା କରିଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ୍ ଚୌଧୁରୀ ଦେଶର ପ୍ରଥମ ଭାଙ୍ଗ ଚାଷର ଉଦଘାଟନ କରିଛନ୍ତି । ଏହି ଚାଷରେ ସେ ପାକିସ୍ତାନୀ ଚାଷୀଙ୍କୁ ଆଗକୁ ବଢିବାକୁ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ପାକିସ୍ତାନ ବିଦେଶରେ କୋଟିକୋଟି ଡଲାରର ଭାଗିଦାରୀ ହୋଇପାରିବ ବୋଲି ସେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଭାଙ୍ଗ ଏକ ମାଦକ ଦ୍ରବ୍ୟ ହୋଇଥିଲେ ବି ଏହାକୁ ଚିକିତ୍ସା ବିଜ୍ଞାନରେ ତଥା ମେଡିସିନ୍ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି । ତେଣୁ ଦେଶରେ ଭାଙ୍ଗ ଚାଷ ସବୁଠୁ ଲାଭ ଦାୟକ ହେବ ବୋଲି ମନ୍ତ୍ରୀ ମତ ଦେଇଛନ୍ତି ।