କନକ ବ୍ୟୁରୋ : ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟ ସାମ୍ନା କରିବା ପାଇଁ ଆଇଏମଏଫରୁ ଆର୍ଥିକ ସାହାଯ୍ୟ ପାଇବାକୁ କସରତ ଚଲାଇଛି । ଯେତେବେଳେ ବି ପାକିସ୍ତାନ ଦେବାଳିଆ ସ୍ଥିତିକୁ ଚାଲି ଆସିଛିି, ସେତିକି ବେଳେ ଆଇଏମଏଫ ଆଗରେ ନତମସ୍ତକ ହୋଇ ସାହାଯ୍ୟ ମାଗିଥାଏ । ଗତ ୭୫ ବର୍ଷ ଭିତରେ ପାକିସ୍ତାନ ଆଇଏମଏଫକୁ ୨୩ ଥର ପାଣ୍ଠି ମାଗିଛି । ୧୯୯୦ ପରଠୁ ଆଇଏମଏଫକୁ ୧୧ ଥର ଆର୍ଥିକ ସହୟାତା ମାଗିଛି ପାକିସ୍ତାନ ।

Advertisment

ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ ଏବେ ୩୦୦ କୋଟି ଡଲାରରୁ କମ ବିଦେଶୀ ମୁଦ୍ରା ରହିଛି । ଉତ୍ପାଦନ ତୁଳନାରେ ବିପୁଳ ବ୍ୟୟ ଓ ରାଜନୈତିକ ଅସ୍ଥିରତା ପାକିସ୍ତାନର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହା ଛଡା ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଖାଦ୍ୟ ଓ ତେଲ ମହଙ୍ଗା ହେବା ଏବଂ ପାକିସ୍ତାନରେ ବନ୍ୟା ସ୍ଥିତି ଦେଶକୁ ଦେବାଳିଆ କରିଦେଇଛି । ତେଣୁ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ପାକିସ୍ତାନ ଏବେ ବାହ୍ୟ ପାଣ୍ଠି ପାଇବା ପାଇଁ ବ୍ୟାକୁଳ ହେଉଛି । ସେପଟେ ରୁଣ ଭାର ବଢୁଥିବା ବେଳେ ପରିଶୋଧ ଚାପ ମଧ୍ୟ ପାକିସ୍ତାନ ସରକାରଙ୍କ ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲୁଛି ।

ୱାଲଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ପାକିସ୍ତାନ ଓ ଇଜିପ୍ଟରେ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଠି ହେବାର ଆଶଙ୍କା ରହିଛି । ପାକିସ୍ତାନ ଚାହିଁଲେ କିନ୍ତୁ କଠୋର ପଦକ୍ଷେପ ନେଇ ଏହି ସ୍ଥିତିରୁ ମୁକୁଳି ପାରିବ । ରିପୋର୍ଟରେ କୁହାଯାଇଛି. ପାକିସ୍ତାନରେ ସଡକ, ଶକ୍ତି ପ୍ରକଳ୍ପ ଓ ବନ୍ଦର ପ୍ରକଳ୍ପରେ ୨୫୦୦ କୋଟି ଡଲାର ବିନିଯୋଗ କରି ଚୀନ ତାହାକୁ ରୁଣ ଯନ୍ତାରେ ପକାଇ ଦେଇଛି । ସେଥିପାଇଁ ଆଗକୁ ବଢିବାକୁ ପାକିସ୍ତାନକୁ ସଂଘର୍ଷ କରିବାକୁ ପଡୁଛି ।