ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ତା’ର ଘନିଷ୍ଠ ବନ୍ଧୁ ଚୀନ୍ ଠାରୁ ୪ଟି ଆଧୁନିକ ଯୁଦ୍ଧପୋତ ଏବଂ ଆଠଟି ବୁଡ଼ାଜାହାଜ ଆଣିବ ବୋଲି ପାକିସ୍ତାନ ନୌସେନାର ମୁଖ୍ୟ କହିଛନ୍ତି।
ପାକିସ୍ତାନ ନୌସେନା ନିମନ୍ତେ ଜାନୁଆରି ୨୯ ତାରିଖ ଦିନ ଚୀନ୍ ଦ୍ୱିତୀୟ ‘ଟାଇପ୍ ୦୫୪ଏ/ପି’ ବହୁମୁଖୀ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତ ନିର୍ମାଣ ଆରମ୍ଭ କରିଛି । ଏହି ‘ଗାଇଡେଡ୍-ମିସାଇଲ୍’ ଯୁଦ୍ଧପୋତ ହେଉଛି ‘ଚୀନା ପିପୁଲ୍ସ୍ ଲିବରେସନ୍ ଆର୍ମି’ ନୌସେନାର ମେରୁଦଣ୍ଡ । ସେମାନଙ୍କ ପାଖରେ ଏହିପରି ୩୦ଟି ଯୁଦ୍ଧପୋତ ରହିଛି ।
ଚୀନାର ନୌସେନା ବିଶେଷଜ୍ଞମାନେ କହନ୍ତି, ‘ଟାଇପ୍ ୦୫୪୧’ ଉପରେ ଆଧାରିତ ‘ଟାଇପ୍୦୫୪ଏ/ପି’ ହେଉଛି ବିକଶିତ ରାଡାର୍ ସିଷ୍ଟମ୍ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପଣ ବ୍ୟବସ୍ଥା ଥିବା ଚୀନ୍ର ସବୁଠୁ ଉନ୍ନତ ଯୁଦ୍ଧପୋତ।
୨୦୧୭ରେ ଚାରିଟି ‘ଟାଇପ୍୦୫୪ଏ/ପି’ ଯୁଦ୍ଧପୋତ ନିର୍ମାଣ କରିବା ଲାଗି ପାକିସ୍ତାନ ନୌସେନା ଚୀନ୍ ସହ ରାଜିନାମା କରିଥିଲା। ୨୦୨୦ ଅଗଷ୍ଟରେ ପ୍ରଥମ ଯୁଦ୍ଧପୋତର ନିର୍ମାଣ ଆରମ୍ଭ ହୋଇଛି।
ଚୀନ୍ର ରାଷ୍ଟ୍ରାୟତ ଖବରକାଗଜ ‘ଗ୍ଲୋବାଲ୍ ଟାଇମ୍ସ’କୁ ପାକିସ୍ତାନ ନୌସେନାର ଆଡ୍ମିରାଲ୍ ଏମ୍ ଅମଜାଦ ଖାଁ ନିଆଜି କହିଛନ୍ତି, ଆଧୁନିକିକରଣର ଅଂଶବିଶେଷ ଭାବେ ପାକିସ୍ତାନ ନୌସେନା ବନ୍ଧୁଭାବାପନ୍ନ ରାଷ୍ଟ୍ରମାନଙ୍କରୁ ନୂଆ ସରଞ୍ଜାମ ଆଣି ନିଜର ପୁରୁଣା ଯୁଦ୍ଧ ସରଞ୍ଜାମ ହଟାଇବାର ବ୍ୟବସ୍ଥା କରୁଛି।
ଏହା ବ୍ୟତିରେକେ, ଆଧୁନିକ ହେଲିକପ୍ଟର୍ ଏବଂ ଅଗଭୀର ଜଳରାଶିରେ ରହି ଯୁଦ୍ଧ କରିବା ଭଳି ବୁଡ଼ାଜାହାଜ ମଧ୍ୟ ଖରିଦ କରାଯିବ ବୋଲି ସେ କହିଛନ୍ତି।
Follow Us