କନକ ବ୍ୟୁରୋ: ଆଜି ଏସିଆ କପରେ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ସୁପର-୪ ମୁକାବିଲାରେ ଏହି ଚିର ପ୍ରତିଦ୍ୱନ୍ଦ୍ୱୀ ଆଜି କ୍ରିକେଟ୍ ମୈଦାନକୁ ଓହ୍ଲାଇବେ । ଭାରତୀୟ ସମୟ ଦିନ ୩ଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ, ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଏହି ମ୍ୟାଚ୍ ଖେଳାଯିବ । ତେବେ ମ୍ୟାଚ୍ ଆରମ୍ଭ ହେବାର ବହୁ ପୂର୍ବରୁ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କରିଛି ପାକିସ୍ତାନ ଟିମ୍ ।

Advertisment

ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଟିମ୍ ମ୍ୟାନେଜମେଣ୍ଟ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି । ତେବେ ଏଥର ଦଳରେ ଗୋଟିଏ ପରିବର୍ତ୍ତନ ହେଇଛି । ଗ୍ରୁପ ଷ୍ଟେଜରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିଥିବା ମହମ୍ମଦ ନବାଜଙ୍କ ସ୍ଥାନରେ ଦଳ ଏଥର ଫହୀମ ଅଶରଫଙ୍କୁ ସୁଯୋଗ ଦେଇଛି । ତେବେ ନବାଜ ଜଣେ ସ୍ପିନ୍ ଅଲରାଉଣ୍ଡର ହେଇଥିବାବେଳେ, ଫହିମ ହେଉଛନ୍ତି ଜଣେ ଫାଷ୍ଟ ଅଲରାଉଣ୍ଡର । ତେଣୁ ଭାରତକୁ ଚକମା ଦେବାକୁ ବାବର ଏହି ରଣନୀତି ଆପଣାଇଛନ୍ତି । ଅର୍ଥାତ ଆଜିର ମ୍ୟାଚରେ ପାକିସ୍ତାନର ୪ ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇବ ।

ଗତ ମ୍ୟାଚରେ ପାକିସ୍ତାନର ଦ୍ରୁତ ବୋଲରମାନେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଶାହିନ ଶାହା ଆଫ୍ରିଦି ୪ ୱିକେଟ୍ ନେଇଥିବାବେଳେ, ନସୀମ ଶାହା ଏବଂ ହାରିସ ରୌଫ ୩ଟି ଲେଖାଏଁ ସଫଳତା ପାଇଥିଲେ । ଯାହାକୁ ଦେଖି, ଏବେ ଆଉ ଜଣେ ଅତିରିକ୍ତ ଫାଷ୍ଟ ବୋଲରଙ୍କୁ ଖେଳାଇଛନ୍ତି ବାବର । ତେବେ ପାକିସ୍ତାନର ଚୂଡାନ୍ତ ଏକାଦଶ ଦେଖିବା ପରେ, ଭାରତର ଚୂଡାନ୍ତ ଏକାଦଶ କଣ ହେବ, ଏବେ ତା ଉପରେ ସମସ୍ତଙ୍କର ନଜର ।