ପୁରୁଷ ଜୁନିୟର ହକି ବିଶ୍ୱକପ୍ : ଓଡ଼ିଶାରେ ପହଞ୍ଚିଲା ପାକିସ୍ତାନ ଦଳ; ନଭେମ୍ବର ୨୪ରୁ ବିଶ୍ୱକପ୍ ଆରମ୍ଭ

102

କନକ ବ୍ୟୁରୋ : ଜୁନିୟର ପୁରୁଷ ହକି ବିଶ୍ୱକପ । ଶନିବାର ସଂଧ୍ୟାରେ ପାକିସ୍ତାନ ଦଳ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ୍‌ ଯାଇଛନ୍ତି । ବୁଧବାର ପ୍ରଥମ ଦିବସରେ ଜର୍ମାନି ବିପକ୍ଷରେ ଖେଳି ପାକିସ୍ତାନ ଅଭିଯାନ ଆରମ୍ଭ କରିବ । ପୁଲ୍ ‘ଡି’ରେ ପାକିସ୍ତାନ ସହିତ ଜର୍ମାନି, ଇଜିପ୍ଟ ଏବଂ ଆର୍ଜେଣ୍ଟିନା ରହିଛନ୍ତି । ଆଜି କିନ୍ତୁ ପାକିସ୍ତାନ କଳିଙ୍ଗ ଷ୍ଟାଡିୟମ୍‌ରେ ଚିଲି ସହ ଅଭ୍ୟାସ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ପାକିସ୍ତାନ ପୂର୍ବରୁ କୋରିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ଶନିବାର ଭୁବନେଶ୍ବର ପହଞ୍ଚିଥିଲେ ।

୧୬ ଦଳୀୟ ଏହି ପ୍ରତିଯୋଗିତାରେ ପାକିସ୍ତାନ ୧୪ତମ ଦଳ ଭାବେ ପହଞ୍ଚିଛି । ସୂଚନାଯୋଗ୍ୟ, ୨୦୧୬‌ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଅନୁଷ୍ଠିତ ପୂର୍ବ ସଂସ୍କରଣ କନିଷ୍ଠ ବିଶ୍ବକପ୍‌ରେ ଭିସା ନମିଳିବାରୁ ପାକିସ୍ତାନ ଅଂଶଗ୍ରହଣ କରିପାରିନଥିଲା । କିନ୍ତୁ ୨୦୧୮ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଅଂଶଗ୍ରହଣ କରିଥିଲା । କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଇତିହାସରେ ପାକିସ୍ତାନ ଥରେ ମାତ୍ର ୧୯୭୯ରେ (ଫ୍ରାନ୍ସ) ବିଜେତା ହୋଇଥିଲା ।

ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା କନିଷ୍ଠ ହକି ବିଶ୍ବକପ୍ ପାଇଁ ଆସୁଥିବା ବିଦେଶୀ ଦଳଗୁଡ଼ିକର କୋଭିଡ୍ ପରୀକ୍ଷା ପୂରା ଦମ୍‌ରେ ଚାଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିଲାଗି ତ୍ରୁଟିହୀନ ବ୍ୟବସ୍ଥା କରାଯାଇଛି। ପ୍ରତି‌‌ଯୋଗିତାକୁ କୋଭିଡ୍‌-୧୯ ମୁକ୍ତ ରଖିବା ଲାଗି ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଏପର୍ଯ୍ୟନ୍ତ ହାରାହାରି ୫୦୦ ପରୀକ୍ଷା କରାଯାଇ ସାରିଥିଲା ବେଳେ ପରୀକ୍ଷା ଦିନ ହିଁ ରିପୋର୍ଟ ମିଳିବାର ବନ୍ଦୋବସ୍ତ କରାଯାଇଛି ବୋଲି କ୍ରୀଡ଼ା ସଚିବ ଆର ଭିନିଲକୃଷ୍ଣା ସୂଚନା ଦେଇଇଛନ୍ତି ।

ସେହିଭଳି ରିଜିଓନାଲ ମେଡିକାଲ ରିସର୍ଚ ସେଣ୍ଟର ରିପୋର୍ଟ ବାହାର କରୁଥିଲା ବେଳେ ପ୍ରତି ୭୨ ଘଣ୍ଟାରେ ଖେଳାଳି, ଅଧିକାରୀ, ହୋଟେଲ କର୍ମଚାରୀ ଓ ସେମାନଙ୍କ ସହଯୋଗୀଙ୍କ ପରୀକ୍ଷା କରାଯାଉଛି । କ୍ରୀଡ଼ା‌ ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ପରୀକ୍ଷା ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ଭାରତୀୟ ଦଳ ଚଳିତ ମାସ ୮ ତାରିଖରେ ପହଞ୍ଚିବା ପରେ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସେମାନଙ୍କର ପରୀକ୍ଷା କରାଯାଇଥିଲା। ତେବେ ଅନ୍ତର୍ଜାତୀୟ ଦଳଗୁଡ଼ିକ ପହଞ୍ଚିବା ପରେ ଏହି ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଯାଇଛି ।

ଭୁବନେଶ୍ବର ମହାନଗର ନିଗମ ଓ କ୍ୟାପିଟାଲ୍ ହସ୍ପିଟାଲର ଗୋଟିଏ ଲେଖାଏଁ ଦଳ ଖେଳାଳିମାନେ ରହୁଥିବା ହୋଟେଲରୁ ସେମାନଙ୍କ ନମୁନା ସଂଗ୍ରହ ଦାୟିତ୍ବରେ ସାମିଲ ଅଛନ୍ତି । ଖେଳାଳି ବିମାନ ବନ୍ଦରରେ ପହଞ୍ଚିବା, ‌ହୋଟେଲରେ ପହଞ୍ଚିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ସମାପନ କରିବାକୁ ମୋଟ ୧୨ଟି ଦଳକୁ ନିୟୋଜିତ କରାଯାଇଛି । ଖେଳାଳିମାନେ ଏହି କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି । ପଜିଟିଭ୍ ବାହାରୁଥିବା ଖେଳାଳି, ଅଧିକାରୀ ଓ ପ୍ରଶିକ୍ଷକଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଉଛି ।