ଓଡିଶାକୁ ଖ୍ରୀଷ୍ଟମାସ୍ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ସେନା ମୁଖପାତ୍ର : ଭାରତରେ ଏତେ ରାଜ୍ୟ ଥାଉ ଥାଉ ଖାଲି ଓଡିଶାକୁ କାହିଁକି ଶୁଭେଚ୍ଛା ଜଣାଇଲା ପାକ୍ ଏହାକୁ ନେଇ ହେଉଛି ଚର୍ଚ୍ଚା ।
କେନ୍ଦ୍ର ସରକାର କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ, ସିଏଏ ଲାଗୁ କରିବା ପରେ ପାକିସ୍ତାନ ଭାରତ ପଛରେ ପଡ଼ିଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ବିଭିନ୍ନ ସମୟରେ ବୟାନବାଜି ଜାରି ରଖିଛି। ହେଲେ ଏବେ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବା ବାହାନାରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଘଫୁର୍ ଓଡ଼ିଶାକୁ ଟାର୍ଗେଟ୍ କରିଛନ୍ତି। ହଠାତ୍ ପାକିସ୍ତାନ ସେନା ଟାର୍ଗେଟରେ ଓଡ଼ିଶା ଆସିବା ପରେ ଓଡ଼ିଶାକୁ ଅଶାନ୍ତ କରିବା ପାଇଁ ପାକିସ୍ତାନ କୌଣସି ଚାଲ୍ ଖେଳୁଛି କି ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଶାନ୍ତିପ୍ରିୟ ରାଜ୍ୟ ଭାବେ ପରିଚିତ ଓଡ଼ିଶାରେ ଥିବା ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍ କରି ହଠାତ୍ କାହିଁକି ପାକିସ୍ତାନ ସେନାର ମୁଖପାତ୍ର ଶୁଭେଚ୍ଛା ଜଣାଇଲେ ତାହା ଜଣାପଡ଼ୁନି। ପୂର୍ବରୁ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଥିବା ଅଭିଯୋଗରେ ଓଡ଼ିଶାରୁ କେତେକ ଯୁବକଙ୍କୁ ଗିରଫ କରାଯାଇଛି। ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ସାମିଲ୍ ଥିବା ସନ୍ଦିଗ୍ଧ ଆତଙ୍କବାଦୀ ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର ଭଳି ସହରରେ କିଛିଦିନ ରହିବା ପରେ ଖସିଯାଇଥିବାରୁ ଏବେ ପାକିସ୍ତାନ ଓଡ଼ିଶାରେ ବଡ଼ ଧରଣର ବଡ଼ ଆକ୍ରମଣ କରିବାକୁ ଯୋଜନା ଯେ ନ କରୁଛି ତାହା କହିହେବନି।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
Very Merry Christmas to Christians in Pakistan, across the globe and especially to the the ones in the states of Odisha and alike under the Hindutva obsessed environment.#MerryChristmas#BeginningOfEnd pic.twitter.com/XFOnUjnMz6
— Asif Ghafoor (@peaceforchange) December 25, 2019
ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଘଫୁର୍ ଟୁଇଟ୍ କରିଛନ୍ତି ଯେ, ‘ପାକିସ୍ତାନ ଏବଂ ବିଶ୍ୱର ସମସ୍ତ ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା। ବିଶେଷ କରି ଓଡ଼ିଶା ରାଜ୍ୟ ଏବଂ ସେଭଳି ହିନ୍ଦୁତ୍ୱ ପରିବେଶରେ ଥିବା ରାଜ୍ୟଗୁଡ଼ିକର ଖ୍ରୀଷ୍ଟିଆନଙ୍କୁ ମଧ୍ୟ ଶୁଭେଚ୍ଛା’। ଦେଶର ଅନ୍ୟ ରାଜ୍ୟରେ ବହୁସଂଖ୍ୟକ ଖ୍ରୀଷ୍ଟିଆନ ଥିବା ବେଳେ ସେ ଓଡ଼ିଶାକୁ କାହିଁକି ବାଛିଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି। ଓଡ଼ିଶା ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ପ୍ରାୟ ୧୭.୧୩% ଆଦିବାସୀ ଅଛନ୍ତି। ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବହୁ ଆଦିବାସୀ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ହେଁ ଓଡ଼ିଶାରେ ଏବେ ୨.୭୭% ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଅଛନ୍ତି। ଭାରତର ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ୍। ୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାରେ ୧୧ଲକ୍ଷ ୬୧ହଜାର ୭୦୮ଜଣ ଖ୍ରୀଷ୍ଟିଆନ ଅଛନ୍ତି। ଯେତେବେଳେକି ନାଗାଲାଣ୍ଡ, ମିଜୋରାମ୍ ଓ ମେଘାଳୟ ଭଳି ରାଜ୍ୟରେ ଅଧାରୁ ଅଧିକ ଖ୍ରୀଷ୍ଟିଆନ ଥିଲେ ହେଁ ହଠାତ୍ କାହିଁକି ଓଡ଼ିଶାର ଖ୍ରୀଷ୍ଟିଆନଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବାକୁ ପାକିସ୍ତାନ ସେନା ମନ ବଳାଇଲା ତାହା ଏବେ ବିରାଟ ପ୍ରଶ୍ନ ହୋଇଛି।
ପାକିସ୍ତାନ ସେନାର ଏହି ଚାଲ୍ ପଛରେ କ’ଣ ରହସ୍ୟ ରହିଛି ସେନେଇ ନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ , ବୈଦେଶିକ ମନ୍ତ୍ରଣାଳୟ ମୁହଁ ଖୋଲୁଛି ନା ଓଡ଼ିଶା ପୁଲିସ କିଛି ସ୍ପଷ୍ଟ କରୁଛି। କିନ୍ତୁ ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପାକିସ୍ତାନ ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛି। ବୋଧହୁଏ କନ୍ଧମାଳ ଦଙ୍ଗାକୁ ଲକ୍ଷ୍ୟ ରଖି ଖ୍ରୀଷ୍ଟିଆନମାନଙ୍କୁ ଉସୁକାଇବାକୁ ଟୁଇଟ୍ କରିଥାଇପାରେ। ଏ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶାରେ ଖ୍ରୀଷ୍ଟିଆନମାନେ ସୁରକ୍ଷିତ ଓ ସଶକ୍ତ ଅଛନ୍ତି। ପାକିସ୍ତାନ ଭଳି ନିର୍ୟାତିତ ନାହାନ୍ତି।