ଏଲଏସିରେ ଉତ୍ତେଜନା ଜାରି...ଚୀନର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ: ଉତ୍ତେଜନା ହ୍ରାସ ପାଇଁ ଚୀନ୍ ଚାହୁନାହିଁ: ଆମେରିକା, ସୀମାରେ ସ୍ଥାପନ ହେବ ଆଇଟିବିପିର ୪୭ ନୂଆ ଆଉଟପୋଷ୍ଟ

Advertisment
ଏଲଏସିରେ ଉତ୍ତେଜନା ଜାରି...ଚୀନର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ: ଉତ୍ତେଜନା ହ୍ରାସ ପାଇଁ ଚୀନ୍ ଚାହୁନାହିଁ: ଆମେରିକା, ସୀମାରେ ସ୍ଥାପନ ହେବ ଆଇଟିବିପିର ୪୭ ନୂଆ ଆଉଟପୋଷ୍ଟ

କନକ ବ୍ୟୁରୋ: ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଅଂଚଳରେ ଚୀନ୍ ସେନାର ଅତିକ୍ରମଣ ଏବଂ ବିପୁଳ ସୈନ୍ୟ ମୁତୟନକୁ ନେଇ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ବଳବତ୍ତର ରହିଛି। ଚୀନ୍ ସେନାର ଯେ କୌଣସି ଚାଲକୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ତୟାର ରହିଛି। ପ୍ରଥମେ ଭାରତୀୟ ସେନା ନିଜ ଦଖଲରେ ରଖିଥିବା ପର୍ବତ ଶିଖର ଖାଲି କରିବା ଏବଂ ସେନା ପ୍ରତ୍ୟାହାର ପାଇଁ ଚୀନର ଦାବିକୁ ଭାରତ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଇଛି। ଏହା ସହିତ ସୀମାରେ ସୁରକ୍ଷା ସୁଦୃଢ଼ କରିବାକୁ ଆଇଟିବିପିର ୪୭ ନୂଆ ଆଉଟପୋଷ୍ଟ ସ୍ଥାପନ ପାଇଁ ସରକାର  ମୁଂଜରି ଦେଇଛନ୍ତି। ଗତ ଏପ୍ରିଲରେ ଏଲଏସିରେ ଯେଭଳି ସ୍ଥିତି ଥିଲା ଚୀନ୍ ପ୍ରଥମେ ସେହି ସ୍ଥିତିକୁ ଫେରିବା ସହ ଅକ୍ସାଇ ଚୀନ୍ ଏବଂ ଡୋଗ୍ରା ଅଂଚଳରେ ସମସ୍ତ ନିର୍ମାଣ ବନ୍ଦ କରିବାକୁ ଭାରତ ଚେତାଇ ଦେଇଛି। ଚୀନ୍ ଏଲଏସିରେ ଅତିକ୍ରମଣ ଉଦ୍ଦେଶ୍ୟରେ ମୁତୟନ କରିଥିବା ସମସ୍ତ ଯୁଦ୍ଧାସ୍ତ୍ର ହଟାଇବା ସହ ସେନା ପ୍ରତ୍ୟାହାର ଆରମ୍ଭ କଲେ ହିଁ ଭାରତ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବ ବୋଲି ଚୀନ ସ୍ପଷ୍ଟ କରିଦିଆଯାଇଛି।

ଅନ୍ୟପକ୍ଷରେ ସୀମା ବିବାଦର ସମାଧାନ ଏବଂ ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷର କୁହାଯାଇଛି। ଚୀନ୍ ଏବେ କେବଳ ଭାରତ ଉପରେ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରାୟ ୬୦ ହଜାର ସୈନ୍ୟ ମୁତୟନ କରିବା ସହ ପାକିସ୍ତାନକୁ ମଧ୍ୟ ଉସୁକାଇ ଏଲଓସିରେ ଉତ୍ତେଜନା ବଢ଼ାଇବାକୁ ଷଡ଼ଯନ୍ତ୍ର କରିଛି। ତେଣୁ ଚୀନକୁ ହିଁ ଏ ବାବଦରେ ନିଜ ନୀତିର ସମୀକ୍ଷା କରିବାକୁ ହେବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଲଏସିରେ ସନ୍ତୁଳନ ବଜାୟ ରଖିବାକୁ ଭାରତ ଯଥୋଚିତ ପଦକ୍ଷେପ ନେଇଛି ଏବଂ ବିଭିନ୍ନ ରେଂଜର କ୍ଷେପଣାସ୍ତ୍ର ମୁତୟନ କରିଛି। ଚୀନ୍ ସେନାର ପ୍ରତ୍ୟେକ ଗତିବିଧି ଉପରେ ସ୍ୟାଟେଲାଇଟ୍ ମାଧ୍ୟମରେ ନଜର ରଖାଯାଇଛି।

ଲଦାଖ୍ ଏବଂ ଅରୁଣାଚଳ ପ୍ରଦେଶକୁ ନେଇ ଚୀନ୍ ତୁହାକୁ ତୁହା ବିବାଦୀୟ ବୟାନ ଦେଇ ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏଥିରେ ସଫଳତା ପାଇନାହିଁ। ଭାରତର ସୁଦୃଢ଼ କୂଟନୈତିକ ସଂପର୍କ ଏବଂ ଏଲ୍ଏସିରେ ସଫଳ ରଣନୀତି ଯୋଗୁଁ ଚୀନର ସବୁ ଷଡ଼ଯନ୍ତ୍ର ଭଣ୍ଡୁର ହୋଇଯାଇଛି। ଆମେରିକା ବିଦେଶ ସଚିବ ମାଇକ୍ ପୋମ୍ପିଓ କହିଛନ୍ତି ଯେ, ଚୀନ୍ ଉତ୍ତେଜନା ହ୍ରାସ ଦିଗରେ ଜାଣିଶୁଣି କୌଣସି ପଦକ୍ଷେପ ନେଉନାହିଁ। ତେବେ ଉତ୍ତେଜନା ବଢ଼ାଇବା ପାଇଁ ଆମେ ଆଦୌ ଚାହିବୁ ନାହିଁ ଏବଂ ଉଭୟ ପକ୍ଷକୁ ଶାନ୍ତି ରକ୍ଷା ପାଇଁ ପରାମର୍ଶ ଦେବୁ ବୋଲି ସେ କହିଛନ୍ତି। ଆସନ୍ତା ସୋମବାର ଦିନ ଭାରତ-ଆମେରିକା ୨+୨ ଆଲୋଚନାରେ ଚୀନର ଅତିକ୍ରମଣ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe