ପାକିସ୍ତାନ ରାଜନୀତିରେ ଘଡିକେ ଛୁଟୁଛି ଘୋଡା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଲେ, ଖାରଜ କରାଯାଇପାରିବନି ଅନାସ୍ଥା ପ୍ରସ୍ତାବ ।

169

କନକ ବ୍ୟୁରୋ : ପାକିସ୍ତାନରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସୁପ୍ରିମକୋର୍ଟ ଶୁଣାଣୀ ପୁଣିଥରେ ଘୁଞ୍ଚିଛି । ଆସନ୍ତା ଶୁଣାଣି ବୁଧବାର ହେବ । ଅନ୍ୟପଟେ ପାକିସ୍ତାନରେ ୩ ମାସ ମଧ୍ୟରେ ନିର୍ବାଚନ କରିବା ସପକ୍ଷରେ ନାହାନ୍ତି ନିର୍ବାଚନ ଆୟୋଗ । ରବିବାର ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଆଜି ଏହି ପ୍ରସଙ୍ଗରେ ଚୂଡାନ୍ତ ରାୟ ଆସିବାର ସମ୍ବାବନା ରହିଥିଲା ।

ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ଦିନକୁ ଦିନ ନୂଆ ମୋଡ଼ ନେଉଛି । ସଂସଦରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଯାଇପାରିବ ନାହିଁ ବୋଲି ରୋକଠୋକ କହିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଏବଂ ସଂସଦ ଭଙ୍ଗ କରିବା ପରେ ଏଠାରେ ବିରୋଧୀ ଦଳ ଲଗାତାର ଏହାକୁ ଅସାମ୍ବିଧାନିକ ବୋଲି କହିଆସୁଛନ୍ତି । ଯେଉଁ କାରଣରୁ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ନ୍ୟାସନାଲ୍ ଆସେମ୍ବଲି ଭଙ୍ଗ କରିବା ଏବଂ ସାଧାରଣ ନିର୍ବାଚନ କରିବା ବିରୋଧରେ ମାମଲାରେ ସୁପ୍ରିମକୋର୍ଟରେ ଅଛି । କିନ୍ତୁ ପାକିସ୍ତାନର ମୁଖ୍ୟ ବିଚାରପତି ଉମର ଅତା ବନ୍ଦିୟାଲ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଖାରଜ କରାଯାଇପାରିବ ନାହିଁ । ବାଚସ୍ପତିଙ୍କ ପାଖରେ ଅନାସ୍ଥା ପ୍ରସ୍ତାବ ଖାରଜ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟ ବିଚାରପତି ।

ସେପଟେ ଇମ୍ରାନ୍ ଖାନ୍ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ବିରୋଧୀ ଦଳ ଜନତାଙ୍କ ରାୟଙ୍କୁ ଭୟ କରୁଛନ୍ତି ଏବଂ ନିର୍ବାଚନରୁ ଦୂରେଇ ପାଇଁ ଚାହୁଁଛନ୍ତି । ନିର୍ବାଚନ ହେଲେ ହାରିବା ଭୟ ସେମାନଙ୍କ ମନରେ ରହୁଛି ବୋଲି ଇମ୍ରାନ୍ ଖାନ୍ କହିଛନ୍ତି । ସେପଟେ ପାକିସ୍ତାନରେ ତିନି ମାସ ଭିତରେ ନିର୍ବାଚନ କରାଇବା କଷ୍ଟକର ବୋଲି କହିଛନ୍ତି ନିର୍ବାଚନ କମିଶନର । ସାଧାରଣ ନିର୍ବାଚନ ପାଇଁ ଅତି କମରେ ୬ ମାସ ସମୟ ଲାଗିବ ବୋଲି ପାକିସ୍ତାନ ନିର୍ବାଚନ କମିଶନ୍ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ମନୋଭାବ ଦେଖି ଲାଗୁଛି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ସେ ନିର୍ଦ୍ଦେଶ ଦେଇପାରନ୍ତି । ଆଉ ଏପରି ହେଲେ ଇମ୍ରାନ ଖାନଙ୍କ ପାଇଁ ପରିସ୍ଥିତି ବେଶ ଖରାପ ହୋଇଯିବ । ଆଉ ଏଭଳି ପରିସ୍ଥିତିରେ ପାକ୍ ସେନାର କଣ ଭୂମିକା ରହିବ ତାହା ଉପରେ ନଜର ।