ତାଲିବାନ ପାଇଁ ସଂକଟରେ ପାକିସ୍ତାନ, ଅସ୍ୱଭାବିକ ଭାବେ ଖସୁଛି ପାକ୍ ମୁଦ୍ରାର ମୂଲ୍ୟ

235

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ପାକିସ୍ତାନ ମୁଦ୍ରାର ମୂଲ୍ୟ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି । ଏବେ ଡଲାର ତୁଳାନରେ ପାକ୍ ମୁଦ୍ରାର ମୂଲ୍ୟ ଖସିବାରେ ଲାଗିଛି । ପ୍ରଥମରୁ ପାକିସ୍ତାନ ଅର୍ଥନୀତି ସଂକଟରେ ଥିବା ବେଳେ ଏବେ ନିଜ ଦେଶ ମୁଦ୍ରାର ମୂଲ୍ୟ ଏଭଳି କମିବା ପରେ ଇମରାନଙ୍କ ଚିନ୍ତା ବଢିଛି ।

ପାକିସ୍ତାନୀ ଗଣମାଧ୍ୟମ ‘ଦି ନ୍ୟୁଜ’ ମୁତାବକ ବୁଧବାର ଦିନ ମୁଦ୍ରା ବଜାରରେ ପାକ୍ ମୁଦ୍ରା ପୁରା ୧ ଟଙ୍କା ହ୍ରାସ ପାଇଛି । ଏବେ ଏହା ଡଲାର ତୁଳନାରେ ୧୬୯.୯ ଟଙ୍କାରେ ପହଂଚିଛି । କହିରଖୁ କି ଚଳିତମାସ ମେ’୧୪ ତାରିଖରୁ ଏପର୍ଯ୍ୟନ୍ତ ପାକ୍ ମୁଦ୍ରା ୧୮ ଟଙ୍କା ହ୍ରାସ ପାଇଛି ।

ଏବେ ପୁରା ଏସିଆ ମହାଦେଶରେ ପାକିସ୍ତାନ ମୁଦ୍ରାର ପ୍ରଦର୍ଶନ ଖରାବ ରହିଛି । ଏଭଳି ପାକ୍ ମୁଦ୍ରାର ବିନିମୟ ମୂଲ୍ୟ ଖସିବାର ମୁଖ୍ୟ କାରଣ ଭାବେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ଦ୍ୱାରା ହୋଇଛି ବୋଲି କୁହାଯାଉଛି । ଏହାସହ କିଛି ଘରୋଇ କାରଣ ପାଇଁ ଏଭଳି ହୋଇଛି ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଆଲ୍ଫା ବେଟା କୋରର ସିଇଓ ଖୁସରମ ଶହାଜାଦ କହିଛନ୍ତି କି ଆଫଗାନିସ୍ତାନ ପାଇଁ ପାକ୍ ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସ ପାଉଛି । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ଓ ତାଲିବାନ କ୍ଷମତା ଦଖଲ କରିବା ପରେ ପାକ୍ ମୁଦ୍ରାର ମୂଲ୍ୟ ହ୍ରାସ ପାଇଥିବା କଥା ସେ କହିଛନ୍ତି ।

ମୁଖ୍ୟତ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଅନେକ ଦେଶ ଆଫଗାନକୁ ଦେଉଥିବା ଫଣ୍ଡ ବନ୍ଦ କରିଦେଇଛନ୍ତି । ସେପଟେ ପାକିସ୍ତାନ ତରଫରୁ ବିପୁଳ ପରିମାଣର ଡଲାର ଆଫଗାନିସ୍ତାନକୁ ପଠା ଯାଉଛି । କେବଳ ସେତିକି ନୁହେଁ, ପାକିସ୍ତାନରେ ବଢୁଥିବା ଖାଦ୍ୟ ଆମଦାନୀ ଓ ରପ୍ତାନୀ ହ୍ରାସ ଯୋଗୁଁ ପାକ୍ ମୁଦ୍ରା ବିପଦରେ ରହିଛି । ଆଗକୁ ଏଭଳି ଲାଗି ରହିବ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଅଗଷ୍ଟ ମାସରେ ପାକିସ୍ତାନର ବାଣିଜ୍ୟିକ କ୍ଷତି ୧୩୩ ପ୍ରତିଶତ ବୃଦ୍ଧି ପାଇ ୪.୦୫ ଆରବ ଡଲାରରେ ପହଂଚିଛି । ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ‘ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ’ ଏପର୍ଯ୍ୟନ୍ତ ଏହା ଉପରେ କିଛି ପଦକ୍ଷେପ ନେଇ ନଥିବା ଜଣାପଡିଛି ।