କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ସୀମାରେ ଶାନ୍ତି ପ୍ରତିଷ୍ଠା ହେବାରେ ନା ଧରୁନାହିଁ । ତେବେ ଭାରତ ସହ ଶାନ୍ତି କଥାବାର୍ତା ପାଇଁ ପାକିସ୍ତାନର ନବନିର୍ବାଚିତ ଇମ୍ରାନ୍ ଖାନ୍ ସରକାର ବ୍ୟଗ୍ର ଥିବା ଦାବି କରୁଥିବା ବେଳେ ଭାରତ ସୀମାରେ ତାହାର ଓଲଟା କାର୍ଯ୍ୟ ଦେଖିବାକୁ ମିଳୁଛି । ଭାରତ ସଂଲଗ୍ନ ଅନ୍ତର୍ଜାତୀୟ ସୀମା ଅଞ୍ଚଳରେ ପାକିସ୍ତାନ ଏବେ ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରୁଛି । ଏକାଧିକ ସ୍ଥାନରେ ଗୋଦାମ ତିଆରି କରି ଅସ୍ତ୍ରଶସ୍ତ୍ର ସମେତ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ମହଜୁଦ ରଖୁଛି। ସୀମା ଅଞ୍ଚଳରେ ଥିବା ସେନାକୁ ଖୁବଶୀଘ୍ର ଅସ୍ତ୍ରଶସ୍ତ୍ର ଯୋଗାଣ ଲାଗି ଏଭଳି ପଦକ୍ଷେପ ନେଉଛି ପାକିସ୍ତାନ। ଭାରତର ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଏ ନେଇ ଏକ ବିସ୍ତତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଦାଖଲ କରିଛି। ଏହାକୁ ନେଇ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗତକାଲି ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ତିନି ଜଣ ପୁଲିସ କର୍ମଚାରୀ ଏବଂ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

Advertisment

publive-imageବିଏସ୍ଏଫ୍ ଏହାର ରିପୋର୍ଟରେ ଦର୍ଶାଇଛି ଯେ ରାଜସ୍ଥାନର ଜୟସଲମେର ସହର ନିକଟବର୍ତ୍ତୀ ପାକ୍ ସହର ରହିମ୍ ୟାର୍ ଖାନରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି। ନବନିର୍ମିତ ଗୋଦାମ ପରିସରରେ ନୂଆ ହେଲିପ୍ୟାଡ୍ ନିର୍ମାଣ ମଧ୍ୟ କରାଯାଇଛି। ଏହାଦ୍ୱାରା ପାକ୍ ସେନାକୁ ଆବଶ୍ୟକ ବେଳେ ତୁରନ୍ତ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଯୋଗାଇ ଦିଆଯିବ। ଏଭଳି କରି ସୀମା ଅଞ୍ଚଳରେ ପାକ୍ ସେନାକୁ ସଶକ୍ତ କରିବାକୁ ଦେଶର ନୂଆ ସରକାର ଉଦ୍ୟମ କରୁଛନ୍ତି। ଭାରତୀୟ ସୀମାଠାରୁ ପାକରେ ଏହି ଗୋଦାମ ପ୍ରାୟ ୩୭ କିଲୋମିଟର ହେବ। ଖାଲି ସେତିକି ନୁହେଁ, ପାକିସ୍ତାନର ଆଉ ଏକ ସହର ବାହାଓ୍ଵଲପୁରରେ ମଧ୍ୟ ଆଉଏକ ଗୋଦାମ ତିଆରି କରାଯାଉଛି। ବାହାଓ୍ଵଲପୁର ଗୋଦାମରେ ପାକିସ୍ତାନ ଅନେକ ବଙ୍କର ନିର୍ମାଣ କରିଛି। ଏଠାରେ ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି। ଏହି ବଙ୍କର ମାଧ୍ୟମରେ ପାକିସ୍ତାନ ଏହାର ମିସାଇଲ୍ ମଧ୍ୟ ଛାଡ଼ିବାକୁ ଯୋଜନା ରଖିଛି।

publive-imageତେବେ ଗୁଇନ୍ଦା ରିପୋର୍ଟ ଦର୍ଶାଇଛି ଯେ ପାକିସ୍ତାନର ଆଇଏସ୍ଆଇ ଦେଶର ଆତଙ୍କବାଦୀମାନଙ୍କୁ ସ୍ୱତନ୍ତ୍ର ତାପ-ନିରୋଧୀ ଜ୍ୟାକେଟ୍ ଯୋଗାଇ ଦେଇଛି। ଏହାଦ୍ୱାରା ନିୟନ୍ତ୍ରଣରେଖା (ଏଲ୍ଓସି) ନିକଟରେ ଭାରତ ଦ୍ୱାରା ଖଞ୍ଜାଯାଇଥିବା ଥର୍ମାଲ୍ ଇମେଜିଂ ଯନ୍ତ୍ରାଂଶକୁ ଠାବ କରାଯାଇ ପାରିବ। ଏମିତି କି ଏହି ଜ୍ୟାକେଟ୍ ପିନ୍ଧି ସୀମା ଡେଇଁ ଆତଙ୍କବାଦୀମାନେ ପ୍ରବେଶ କଲେ ଭାରତୀୟ ସେନା ତାହାର ଟେର୍ ପାଇପାରିବ ନାହିଁ। ସ୍ୱତନ୍ତ୍ର ଜ୍ୟାକେଟ୍ ଏଥିରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀମାନେ ଏଭଳି ଜ୍ୟାକେଟ୍ ପିନ୍ଧି ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଲ୍ଓସିରେ ଥର୍ମାଲ୍ ଇମେଜିଂ ଯନ୍ତ୍ରାଂଶ ଖଞ୍ଚାଯାଇଥିଲା।