ସାମ୍ନାକୁ ଆସିଲା ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ କରୁଣ ଚିତ୍ର । ତମ୍ବୁରେ ରହୁଛନ୍ତି ଆକ୍ରାନ୍ତ, ନାହିଁ ବେଡ, ନାହାନ୍ତି ଡାକ୍ତର

ସୀମାନ୍ତ ତଫତାନ କ୍ୟାମ୍ପରେ ଅବ୍ୟବସ୍ଥା ଭିତରେ ଚାଲିଛି ଚିକିତ୍ସା

2,406

କନକ ବ୍ୟୁରୋ: ପାକିସ୍ତାନରେ କରୋନା ଚିନ୍ତା ବଢାଇ ଦେଇଛି । ବିଶେଷକରି ସୀମାନ୍ତ ତଫତାନ କ୍ୟାମ୍ପରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । କ୍ୟାମ୍ପରେ ପାଣିଠାରୁ ଆରମ୍ଭ କରିବା ଚିକିତ୍ସା ପ ର୍ଯ୍ୟନ୍ତ ସବୁଥିରେ ଅବ୍ୟବସ୍ଥା ଲାଗିରହିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସରକାରୀ ସ୍ତରରେ ଏହି ଅଭିଯୋଗକୁ ଖଣ୍ଡନ କରାଯାଉଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ।

ପାକିସ୍ତାନରେ ବଢିଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ସଂକ୍ରମଣକୁ ମିଶାଇ ସଂଖ୍ୟା ପହଂଚିଛି ୧୮୪ରେ । ଠିକ ଭାବେ କ୍ୱାରେଂଟାଇନ ପ୍ରକ୍ରିୟା କରାଯାଉନଥିବାରୁ କ୍ୟାମ୍ପରେ ୧୩୪ଜଣଙ୍କ ଠାରେ କରୋନା ସଂକ୍ରମଣ ହୋଇଥିବା ଜଣାପଡିଛି। ପାକିସ୍ତାନର ତଫତନ ସୀମାରେ ଥିବା ଏହି କ୍ୟାମ୍ପରେ ସଂକ୍ରମଣର ଏହି ସାଂଘାତିକ ଖବର ଆସିଛି । ତେବେ ପାକିସ୍ତାନରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମିଳିଥିବା ସୂଚନାରୁ ଜଣାପଡିଛି । ତଫତାନ ସୀମାନ୍ତରୁ ଆସୁଥିବା ଲୋକମାନଙ୍କ ପାଇଁ କରୋନା ସଂକ୍ରମଣ ହେଉଥିବା ଜଣାପଡିଛି । ସିନ୍ଧ ପ୍ରୋଭିନସର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୁଖପାତ୍ରଙ୍କ କହିବାନୁସାରେ, ତଫତାନରେ କ୍ୱେରେଂଟାଇନରେ ରଖାଯାଇଥିବା ଲୋକମାନଙ୍କୁ ନିଜ ଅଂଚଳକୁ ଅଣାଯାଇ ପରୀକ୍ଷା କରାଯାଇଛି ।

ତଫତାନ କ୍ୟାମ୍ପରେ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ, ସେଠାରେ ସଠିକ ଭାବେ ସ୍କ୍ରିନିଂ କରାଯାଉନାହିଁ । ଏକା ସାଙ୍ଗରେ ଶତାଧିକ ଲୋକ ରହୁଛନ୍ତି । ଯାହାକି ଭୂତାଣୁ ବ୍ୟାପିବାର ଅନ୍ୟତମ କାରଣ ବୋଲି କୁହାଯାଉଛି । ସିନ୍ଧ ପ୍ରୋଭିନସର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୁଖପାତ୍ରଙ୍କ କହିବାନୁସାରେ ଏହି କ୍ୟାମ୍ପରୁ ଆସୁଥିବା ଲୋକମାନଙ୍କୁ ନିଜ ଅଂଚଳରେ କ୍ୱାରେଂଟାଇନରେ ୧୪ଦିନ ପାଇଁ ରଖାଯାଉଛି । ଯଦି ସେମାନଙ୍କ ଠାରେ କୌଣସି କରୋନା ଲକ୍ଷଣ ଦେଖାଯାଏ ତେବେ ପରୀକ୍ଷା ନୀରିକ୍ଷା କରାଯିବ । ବଡ କଥା ହେଲା ତଫତାନ କ୍ୟାମ୍ପରେ ତମ୍ବୁ କରାଯାଇ ୫ଜଣ ଲୋକଙ୍କୁ ଏକାଠି ରଖାଯାଉଛି । ନା ପାଣିର ବ୍ୟବସ୍ଥା ଅଛି ନା ଟଏଲେଟର ବ୍ୟବସ୍ଥା ଅଛି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି ।

ତଫତନ କ୍ୟାମ୍ପରେ ଡାକ୍ତରଙ୍କ ଅଭାବ ରହିଛି । ରୋଗୀଙ୍କ ପାଇଁ ବେଡ ମଧ୍ୟ ନାହିଁ । ସ୍ଥିତି ଏପରି ହୋଇଛି ଯେ ସୁସ୍ଥ ଲୋକମାନେ ଏହି କ୍ୟାମ୍ପକୁ ଆସିବା ପରେ ମଧ୍ୟ ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଏପରି ଅଭିଯୋଗକୁ ସେଠାକାର ସରକାର ଖଣ୍ଡନ କରୁଛନ୍ତି । ସୁବନ୍ଦବସ୍ତ ହୋଇଥିବା କଥା କହୁଛନ୍ତି ।