କନକ ବ୍ୟୁରୋ : ଭାରତ ପରେ ଏବେ ପାକିସ୍ତାନରେ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଗୋଟିଏ ପଟେ ପାକିସ୍ତାନର ଆର୍ଥିକ ସଂକଟ ଲୋକଙ୍କ ଉପରେ ଦାଉ ସାଧୁଥିବା ବେଳେ ପ୍ରକୃତି ବି ଦାଉ ସାଧିଛି । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏବେ ପାଣିଘେରରେ ରହିଛନ୍ତି ।

Advertisment

ପାକିସ୍ତାନର ବେଲୁଚିସ୍ତାନ ଓ କରାଚୀରେ ସବୁଠାରୁ ଅଧିକ ବର୍ଷ ହୋଇଛି । ବର୍ଷା କାରଣରୁ କେବଳ ବେଲୁଚିସ୍ତାନର ଦକ୍ଷୀଣାଞ୍ଚଳରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ବନ୍ୟା କାରଣରୁ କିଛି ସଂକ୍ରମିତ ରୋଗ ବ୍ୟାପିବା ବି ଆରମ୍ଭ ହୋଇଥିବା କଥା କୁହାଯାଉଛି ।

ସେପଟେ ପାକିସ୍ତାନରେ ବିଜୁଳି ସଂକଟ ଲାଗି ରହିଥିବା ବେଳେ ଏବେ ବର୍ଷା କାରଣରୁ ବିଜୁଳି ସଂକଟ ଆହୁରି ଘନିଭୂତ ହୋଇଛି । ଲୋକମାନେ ବିଜୁଳି ସଂକଟରୁ ବର୍ତ୍ତିବା ପାଇଁ ସୋଲାର ପ୍ୟାନେଲ ବ୍ୟବହାର କରୁଥିଲେ । ହେଲେ ପ୍ରବଳ ବର୍ଷା କାରଣରୁ ୨୪ ହଜାରରୁ ଅଧିକ ସୋଲାର ପ୍ୟାନେଲ ନଷ୍ଟ ହୋଇଯାଇଥିବା କଥା କୁହାଯାଇଛି । ଏହାସହ ଜଳ ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହାର ହେଉଥିବା ୧୬ ଟି ଡ୍ୟାମ ଭାଙ୍ଗିଯାଇଥିବା କଥା ମଧ୍ୟ କୁହାଯାଉଛି ।

ପାକିସ୍ତାନ ପାଣିପାଗ ବିଭାଗର ନିର୍ଦ୍ଦେଶକ ସରଦାର ସଫରାଜ ଦେଶର ନ୍ୟୁଜ ଚ୍ୟାନେଲ ଏଏଫପିକୁ ଦେଇଥିବା ବୟାନ ମୁତାବକ ଚଳିତମାସରେ କେବଳ କରାଚିରେ ୫୬୮ ମିଲିଲିଟର ବର୍ଷା ହୋଇଛି ।