ଏଠି ହତ୍ୟାକାରୀକୁ ମିଳୁଛି ଭିଆଇପି ସୁବିଧା । ପୁଅର ଅୟସ ଆରାମ ପାଇଁ ବାପା କିଣିଦେଲା ହସ୍ପିଟାଲ

199

କନକ ବ୍ୟୁରୋ : ଅପରାଧ ଓ ଆତଙ୍କବାଦ କଥା ଉଠିଲେ ପ୍ରଥମେ ପାକିସ୍ତାନର ନାଁ ସାମ୍ନାକୁ ଆସେ । ଆତଙ୍କବାଦୀଙ୍କୁ ପାକିସ୍ତାନ ଆଶ୍ରୟ ଦେଇ ଅନେକ ଅପରାଧ କରିଆସିଛି । କିନ୍ତୁ ବର୍ତ୍ତମାନ ପାକିସ୍ତାନକୁ ନେଇ ଏପରି ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପାକିସ୍ତାନରେ ଜଣେ କଏଦିକୁ ଜେଲରେ ଭିଆଇପି ସୁବିଧା ମିଳୁଥିବା ଖବର ଚର୍ଚ୍ଚା ସୃଷ୍ଟି କରିଛି । ଅପରାଧୀର ବାପା ପୁଅକୁ ଭିଆଇପି ଟ୍ରିଟମେଣ୍ଟ ଦେବା ପାଇଁ କିଣିଦେଇଛି ହସ୍ପିଟାଲ । ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା ।
୨୫ ଡିସେମ୍ବର ୨୦୧୨ରେ ପାକିସ୍ତାନରେ ଏକ ହତ୍ୟାକାଣ୍ଡ ଘଟିଥିଲା, ସେତେବେଳେ ଏହିକାଣ୍ଡ ସାରା ଦେଶରେ ଚହଳ ପକାଇଦେଇଥିଲା । ୨୫ ଡିସେମ୍ବର ୨୦୧୨ରେ ଏକ ଗାଡିରେ ଶାହାରୁଖ୍ ଜତୋଇ ନାମକ ବ୍ୟକ୍ତି କରାଚୀର ଶାହାଜେବ ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଦେଇଥିଲା । ଏହାପରେ ଶାହାରୁଖକୁ ଅଦାଲତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । କିନ୍ତୁ ୨୦୧୭ରେ ଶାହାରୁଖକୁ ନିର୍ଦ୍ଦୋଶ କହି ଜେଲରୁ ଖଲାସ କରିଦିଆଗଲା । ଏହି ଖବର ମିଡିଆରେ ପ୍ରକାଶ ପାଇବା ପରେ ୨୦୧୮ରେ ସୁପ୍ରିମ୍ କୋର୍ଟ ଘଟଣାର ଯାଞ୍ଚ କରି ଶାହାରୁଖଙ୍କୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କଲେ । କିନ୍ତୁ ବର୍ତ୍ତମାନ ଯେଉଁ ତାଜା ରିପୋର୍ଟ ମିଳିଛି, ତାହା ସମସ୍ତଙ୍କୁ ତାଜ୍ଜୁକ କରିଦେଇଛି ।
ଜେଲରେ ଦେହ ଖରାବ ହେବାରୁ ଶାହାରୁଖକୁ ମେ’ ୫ତାରିଖ ୨୦୨୧ରେ କମର-ଉଲ-ଇସଲାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଗତ ମେ’ ସାମ ଠାରୁ ହସ୍ପିଟାଲରେ ଶାହାରୁଖକୁ ଭିଆଇପି ଟ୍ରିଟମେଣ୍ଟ ମିଳିଆସୁଛି । କାରଣ ଅପରାଧୀର ବାପା ପୁଅ ପାଇଁ ପୂରା ହସ୍ପିଟାଲକୁ କିଣିନେଇଛି । ଆଉ ହସ୍ପିଟାଲରେ ଏସି, ଟିଭି, ଫ୍ରିଜ୍, ଫୋନ୍ ଠୁ ଆରମ୍ଭ କରି ଅନ୍ୟାନ ଭିଆଇପି ସୁବିଧା ସାହାରୁଖକୁ ଦିଆଯାଉଥିଲା । ବାପାର ଟଙ୍କା ବିଡା ଆଗରେ ଛୋଟ ହୋଇଯାଇଛି ଆଇନର ହାତ । ତେବେ ଏହି ଖବର ପ୍ରକାଶ ପାଇବା ପରେ ପୁଣି ସାହାରୁଖକୁ ଜେଲକୁ ପଠାଇଦିଆଯାଇଛି । ଆଉ ଜଣାପଡିଛି ଶାହାରୁଖର ସ୍ୱାସ୍ଥ୍ୟାବସ୍ତା ସମ୍ପୁର୍ଣ୍ଣ ଠିକ୍ ଥାଇ ବି ତାକୁ ହସ୍ପିଟାଲକୁ ପଠାଯାଇଥିଲା ।