ପାକିସ୍ତାନ ଆର୍ଥିକ ସ୍ଥିତିର ସ୍ପଷ୍ଟ ଚିତ୍ର, ଅର୍ଥ ଯୋଗାଡ କରିବାକୁ ବିଦେଶରୁ ମିଳିଥିବା ପୁରସ୍କାର ବି ବିକିଦେଲେ ଇମ୍ରାନ

171

କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ସଂକଟ ସହ ମହଙ୍ଗା ମାଡକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହାରି ମଧ୍ୟରେ ଇମ୍ରାନ ଖାନ ପୁରସ୍କାର ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମାରିୟମ ନୱାଜ ଅଭିଯୋଗ କରିଛନ୍ତି କି, ଅନ୍ୟ ଦେଶରୁ ପାକିସ୍ତାନକୁ ମିଳିଥିବା ପୁରସ୍କାରକୁ ଇମ୍ରାନ ଖାନ ବିକ୍ରି କରିଦେଇଛନ୍ତି । ଏନେଇ ଏକ ଟ୍ୱିଟ୍ କରିଛନ୍ତି ମାରିୟମ ।

ପିଏମଏଲ-ଏନ ର ଉପାଧ୍ୟକ୍ଷ ମାରିୟମ ଉର୍ଦ୍ଧୁରେ ଟ୍ୱିଟ୍ କରି ଲେଖିଛନ୍ତି କି, ଇମ୍ରାନ ଖାନ ଅନ୍ୟ ଦେଶରୁ ମିଳିଥିବା ପୁରସ୍କାର ବିକ୍ରି କରିଦେଇଛନ୍ତି । ସେ ଆହୁରି ଲେଖିଛନ୍ତି କି, ଖଲିଫା ହଜରତ ଓମର (ପେଗାମ୍ବର ମହମ୍ମଦଙ୍କ ସାଥୀ) ନିଜ ଗାମୁଛା ଓ ଆବରଣ ପାଇଁ ଜବାବଦେହୀ ଥିବା କଥା କହୁଥିବା ଇମ୍ରାନ ଦେଶର କୋଷାଗାରକୁ ଲୁଟ କରି ଦେଶର ଜନତାଙ୍କୁ ମଦିନା ଭଳି ରାଜ୍ୟ ସ୍ଥାପନ କରିବାର ସ୍ୱପ୍ନ ଦେଖାଉଛନ୍ତି । ସେ ଇମ୍ରାନଙ୍କୁ ଅକ୍ଷେପ କରି କହିଛନ୍ତି କି, କୌଣସି ବ୍ୟକ୍ତି ଏବେ ଅସମ୍ବେଦନଶୀଳ, କାଲ, ଜଡା ଓ ଅନ୍ଧ ହେବା ସମ୍ଭବ ନୁହେଁ ।

ସେପଟେ ବିରୋଧୀ ମେଣ୍ଟ ପାକିସ୍ତାନ ଡେମୋକ୍ରେଟିକ ମୁଭମେଣ୍ଟ (ପିଡିଏମ) ର ପ୍ରମୁଖ ମୌଲାନା ଫଜଲୁର ରହମାନ ବି ଇମ୍ରାନଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଶୁଣାଯାଉଛି କି ଇମ୍ରାନ ଖାନଙ୍କୁ ଜଣେ ରାଜକୁମାର ପୁରସ୍କୃତ କରିଥିବା ଏକ ଦାମିକା ଘଂଟା ବି ଇମ୍ରାନ ବିକ୍ରି କରିଦେଇଛନ୍ତି । ଏହାଏକ ଲଜ୍ଜାଜନକ ଘଟଣା ବୋଲି ମୌଲାନା କହିଛନ୍ତି ।

କହିରଖୁ କି ପାକିସ୍ତାନ ଗିଫ୍ଟ ଡିପୋଜିଟୋରୀ ନିୟମ ମୁତାବକ ପୁରସ୍କୃତ ସଂପତ୍ତି ସେତେବେଳେ ପର୍ଯ୍ୟନ୍ତ ଦେଶର ସଂପତ୍ତି ବୋଲି ଗଣନା କରାଯିବ, ଯେତେବେଳ ପର୍ଯ୍ୟନ୍ତ ଏହା ଖୋଲା ନିଲାମୀରେ ବିକ୍ରି ନହୋଇଛି । ଏହାସହ ପାକିସ୍ତାନ ନିୟମ ମୁତାବକ କୌଣସି ବି ଅଧିକାରୀ ତାଙ୍କୁ ମିଳିଥିବା ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ପୁରସ୍କାର ନିଜ ପାଖରେ ରଖିପାରିବେ ନାହିଁ ।