ପିଟିଆଇ ନେତା ଓମର ଅୟୁବ ଖାନ ପରାଜିତ । ପୁଣି ପାକିସ୍ତାନର ପ୍ରଧାନମନ୍ତ୍ରୀ ହଲେ ଶାହବାଜ ଶରିଫ୍

147

କନକ ବ୍ୟୁରୋ : ପାକିସ୍ତାନ ମୁସଲିମ୍ ଲିଗ (ଏନ) ର ବରିଷ୍ଠ ନେତା ଶାହବାଜ ଶରିଫ୍ ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ରବିବାର ଦିନ ଭୋଟିଂ ପରେ ତାଙ୍କ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ଶନିବାର ଦିନ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଭରିଥିଲେ । ଭୋଟିଂ ପୂର୍ବରୁ ଅନୁମାନ କରାଯାଉଥିଲା କି ଶାହବାଜ ଶରିଫ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ । ତାଙ୍କ ବିରୋଧରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ତରଫରୁ ଓମର ଅୟୁବ ଖାନ ନାମାଙ୍କନ ଭରିଥିଲେ ।

ପାକିସ୍ତାନ ସଂସଦରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା । ହେଲେ ସଦ୍ୟ ସୂଚନା ମୁତାବକ ଶାହବାଜ ଶରିଫ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଓମର ଅୟୁବ ଖାନଙ୍କ ଠାରୁ ୧୦୦ ଭୋଟରେ ଆଗୁଆ ଅଛନ୍ତି । ଶାହବାଜଙ୍କୁ ମୋଟ ୨୦୧ ଭୋଟି ମିଳିଥିବା ବେଳେ ଓମରଙ୍କୁ ମାତ୍ର ୯୨ ଖଣ୍ଡ ଭୋଟ ମିଳିଛି । ଏହାପରେ ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଶାହବାଜ ଏବେ ପାକିସ୍ତାନର ୨୪ତମ ପ୍ରଧାମନ୍ତ୍ରୀ ଭାବେ ଶପଥ ନେବେ । କୁହାଯାଉଛି କି, ଶାହବାଜ ସୋମବାର ଦିନ ପଦ ଓ ଗୋପନୀୟତାର ଶପଥ ନେବେ ।

ଗତ କିଛିଦିନ ତଳେ ହୋଇଥିବା ନିର୍ବାଚନରେ ପାକିସ୍ତାନରେ କାହାକୁ ବହୁମତ ମିଳିନଥିଲା । ଏହାପରେ ନୱାଜ ଶରିଫଙ୍କ ପାର୍ଟି ପିଏମଏଲ-ଏନ ତରଫରୁ ପିପିପି ଓ ଏମକ୍ୟୁଏମ ସହ ମେଣ୍ଟ କରି ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା । ଶାହବାଜ ଶରିଫ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସାନ ଭାଇ । ଏହାପୂର୍ବରୁ ଶାହବାଜ ଶରିଫ ୨୦୨୨ ଏପ୍ରିଲ ମାସରୁ ୨୦୨୩ ଅଗଷ୍ଟ ମାସ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ।