କନକ ବ୍ୟୁରୋ : ଆସନ୍ତାକାଲି ଅନାସ୍ଥା ଭୋଟର ସାମ୍ନା କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହା ପୂର୍ବରୁ ଆଜି ପୁଣିଥରେ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରିଛନ୍ତି, ଯଦି ବିରୋଧୀ ଦଳ ନେତା ଶାହବାଜ ପ୍ରଧାନମନ୍ତ୍ରୀ ହେବେ ତାହେଲେ ସେ ଆମେରିକାର ଗୋଲାମି କରିବେ । ସେହିପରି ଆମେରିକା ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଦାବି କରିଥିଲେ । ଏହାର ଜବାବ ଦେଇ ପାକିସ୍ତାନ ସେନା ମୁଖ୍ୟ ବାଜୱା କହିଛନ୍ତି, ଆମେ ଆମେରିକା ସହିତ ଭଲ ସମ୍ପର୍କ ଚାହୁଁଛୁ । ଆଉ ଏହାପରେ ଇମ୍ରାନ ଖାନ୍ ବ୍ୟାକଫୁଟରେ ।
ରବିବାର ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା । ଗାଦି ରହିବ ନା ହାତରୁ ଖସିଯିବ ? ଆସନ୍ତାକାଲି ପାକିସ୍ତାନ ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ପଡିବ । ଏହା ପୂର୍ବରୁ ପାକିସ୍ତାନ ରାଜନୀତି ସରଗରମ । ବିରୋଧୀ ଏକ ହେଇଥିବାରୁ କ୍ଷମତା ଦଖଲ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ସେ ଇସ୍ତଫା ଦେବେ ନାହିଁ । ଅନ୍ୟପଟେ ଅନାସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ୍ ସରକାର ଭାଙ୍ଗିଦେବାକୁ ଚିନ୍ତା କରିପାରନ୍ତି । ବିରୋଧୀ କହିଛନ୍ତି ଇମ୍ରାନ ଖାନ୍ ଭୋଟ୍ ପୂର୍ବରୁ କୌଣସି ଅସାମ୍ବିଧାନିକ ପଦକ୍ଷେପ ଗ୍ରହଣ ନକରନ୍ତୁ । ବିରୋଧୀ ଦଳର ନେତା ଶାହବାଜ ସରିଫ କହିଛନ୍ତି, ଇମ୍ରାନ୍ ଡ୍ରାମା ନକରି ତୁରନ୍ତୁ ଇସ୍ତଫା ଦିଅନ୍ତୁ ।
ଏବେ ଇମ୍ରାନ ସରକାରକୁ କାଉଣ୍ଟର କରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ରହିଛି । ଇମ୍ରାନଙ୍କ ପରି ବିରୋଧୀ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିପାରନ୍ତି । ଏଥିପାଇଁ ପ୍ରଶାସନକୁ ମଧ୍ୟ ବିରୋଧୀ ଅବଗତ କରାଇଥିବା ଜଣାପଡିଛି ।
କେମେତି ଅନାସ୍ଥା ଭୋଟରୁ ବର୍ତ୍ତିବେ ଇମ୍ରାନ୍ ? ଇମ୍ରାନ ଖାନଙ୍କ ପାଖରେ ରହିଛି ୩ଟି ବିକଳ୍ପ । ସଂସଦରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇପାରିବେନି ଇମ୍ରାନ୍ । ନିଜ ଦଳ ତେହରିକ-ଏ-ଇନସାଫର ଅନେକ ସାଂସଦ ଦଳ ଛାଡି ବିରୋଧୀଙ୍କ ସହ ହାତ ମିଳାଇବା ପରେ ମଜବୁତ ସ୍ଥିତିରେ ବିରୋଧୀ । ତେଣୁ ଅନାସ୍ଥା ଭୋଟକୁ ଟାଳିବା ପାଇଁ ଇମ୍ରାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ଆଉ ତିନୋଟି ବିକଳ୍ପ ଉପରେ ଇମ୍ରାନ ବିଚାର କରୁଥିବା ଶାସକ ଦଳର ନେତା ତଥା ମନ୍ତ୍ରୀ ଶେଖ ରସିଦ କହିଛନ୍ତି ।
୧- ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି ଇମ୍ରାନ
୨- ପାକିସ୍ତାନ ମୁସଲିମ୍ ଲିଗ୍, ଜାମିଆତ ଉଲେମା-ଏ-ଇସଲାମ ଭଳି ଦଳକୁ ବ୍ୟାନ କରିବା ସହିତ ତଦନ୍ତ ପରିସରଭୁକ୍ତ ଦାବି
୩- ପାକିସ୍ତାନ ତେହରିକ-ଏ-ଇନସାଫର ସଦସ୍ୟଙ୍କୁ ଗୃହରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇପାରନ୍ତି ।
ଖାଲି ଏତିକି ନୁହେଁ ଅନାସ୍ଥା ଭୋଟ୍ ଟାଳିବା ପାଇଁ ଏକ ଚିଠିକୁ ଆଧାର କରି ସୁପ୍ରିମକୋର୍ଟ ଯାଇପାରନ୍ତି ଇମ୍ରାନ୍ ଖାନ୍ । ଯେଉଁ ଚିଠିରେ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଦେଶୀ ଶକ୍ତିର ସମର୍ଥନ ରହିଛି ବୋଲି ସେ ଦାବି କରିଛନ୍ତି । ସେହିପରି ବିରୋଧୀ ଦଳର ନେତା ଶାହବାଜ ସରିଫଙ୍କ ବିରୋଧରେ ଥିବା ପୁରୁଣା ମାମଲାକୁ ପୁଣି ଥରେ ଖୋଲି ତାଙ୍କୁ ଅକଳରେ ପକାଇପାରନ୍ତି । ଏମିତିକି ଆବଶ୍ୟକ ପଡିଲେ ପାକିସ୍ତାନରେ ଜରୁରୀ ପରିସ୍ଥିତି ଲାଗୁ କରିପାରନ୍ତି ଇମ୍ରାନ୍ ଖାନ୍ ।