ଦୁଷ୍କର୍ମ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ପୂର୍ବ ପତ୍ନୀଙ୍କ ଉପଦେଶ । ଜେମିମା ଗୋଲ୍ଡସ୍ମିଥ କହିଲେ, କୋରାନ ପଢନ୍ତୁ ଇମ୍ରାନ…

175

କନକ ବ୍ୟୁରୋ: ବଢୁଥିବା ବଳାତ୍କାର ପ୍ରସଙ୍ଗରେ ଇମ୍ରାନ ଖାନ ଦେଇଥିବା ବୟାନକୁ କେବଳ ପାକିସ୍ତାନ ନୁହେଁ ସାରା ବିଶ୍ୱରେ ସମାଲୋଚନା କରାଯାଉଛି । ଏହାରି ଭିତରେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି । ଏପରିକି ଇମ୍ରାନଙ୍କୁ କୋରାନ ପଢିବା ପାଇଁ ଉପଦେଶ ଦେଇଛନ୍ତି ଜେମିମା ଏବଂ କହିଛନ୍ତି ସେ ଯେଉଁ ଇମ୍ରାନଙ୍କୁ ଜାଣିଥିଲେ ସେ ମହିଳା ସଶକ୍ତିକରଣ ଉପରେ ଜୋର ଦେଉଥିଲେ ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ ଉପୁଜିଛି । ବଢୁଥିବା ବଳାତ୍କାର ପ୍ରସଙ୍ଗରେ ଇମ୍ରାନ ଖାନ ଦେଇଥିବା ବୟାନକୁ କେବଳ ପାକିସ୍ତାନ ନୁହେଁ ସାରା ବିଶ୍ୱରେ ସମାଲୋଚନା କରାଯାଉଛି । ଏବେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି । ଏପରିକି ଇମ୍ରାନଙ୍କୁ କୁରାନ ପଢିବା ପାଇଁ ଉପଦେଶ ଦେଇଛନ୍ତି ଜେମିମା ।

ଦୁଷ୍କର୍ମ ପାଇଁ ଅଶ୍ଲୀଳତାକୁ ଦାୟୀ କରିଥିଲେ ଇମ୍ରାନ ଖାନ । ଦେଶରେ ବଢୁଥିବା ଦୁଷ୍କର୍ମକୁ ନେଇ ତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତରରେ ଇମ୍ରାନ ଖାନ କହିଥିଲେ, ଝିଅ ମାନଙ୍କ ଅଶ୍ଲୀଳତା ପୁରୁଷଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରୁଛି । ସବୁ ପୁରୁଷ ନିଜକୁ ସଂଯମ କରିବା ସମ୍ଭବ ନୁହେଁ । ଏହାର ଜବାବ ରଖିଛନ୍ତି ଜେମିମା ଗୋଲ୍ଡସ୍ମିଥ । ସେ ଟ୍ୱିଟ କରି ଲେଖିଛନ୍ତି, କୋରାନରେ ଉଲ୍ଲେଖ ଅଛି ଯେ ପୁରୁଷଙ୍କ ଆଖିରେ ଏକ ପ୍ରକାର ପରଦା ରହିବାର ଆବଶ୍ୟକ । ମହିଳାଙ୍କ କିଛି ଅଙ୍ଗକୁ ନେଇ ପୁରୁଷ ମାନେ ଦୃଷ୍ଟି ଏଡାଇ ରଖିବା ଉଚିତ । ମୁଁ ଯେଉଁ ଇମ୍ରାନ ଖାନଙ୍କୁ ଜାଣିଥିଲି ସେ ମହିଳାଙ୍କ ନୁହଁ ପୁରୁଷଙ୍କ ଆଖିରେ ପରଦା ରହିବା ଉପରେ ଜୋର ଦେଉଥିଲେ ।

ବଳାତ୍କାର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏପରି ମନ୍ତବ୍ୟକୁ ନେଇ ‘ଦ ୱିମେନ୍ସ ଆକ୍ସନ ଫୋରମ’ ସମେତ ଅନ୍ୟାନ୍ୟ ସଂଗଠନ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଭୁଲ୍, ଅସମ୍ବେଦନଶୀଳ ଓ ଭୟାବହ ବୋଲି କହିଥିଲେ । ଏପରିକି ଏନେଇ ସାମାଜିକ ସଂଗଠନ ଗୁଡିକ ଇମ୍ରାନକୁ ସମାଲୋଚନା କରି କହିଛନ୍ତି ତାଙ୍କ ବକ୍ତବ୍ୟ ଦୁଷ୍କର୍ମକୁ ପ୍ରୋତ୍ସାହିତ କଲା ଭଳି । ପାକିସ୍ତାନରେ ଦୁଷ୍କର୍ମକୁ ଏକ ସଂସ୍କୃତିରେ ପରିଣତ କରିବା ପାଇଁ ଇମ୍ରାନଙ୍କ ଚେଷ୍ଟା ଦେଶକୁ କଳଙ୍କିତ କରିବ ବୋଲି ସେମାନେ କହିଥିଲେ ।

ମୁସଲମାନ ବହୁଳ ଦେଶ ପାକିସ୍ତାନରେ ରକ୍ଷଣଶୀଳତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଥିବା ଜଣେ ବ୍ୟକ୍ତି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅନେକଙ୍କୁ ଉତକ୍ଷିପ୍ତ କରିଛି । ପାକିସ୍ତାନରେ ଦୁଷ୍କର୍ମ ମାମଲା ଖୁବ୍ କମ ଥିବା ବେଳେ ଇମ୍ରାନଙ୍କ ମନ୍ତବ୍ୟ ଏ ମାମଲାକୁ ବଢାଇବ ବୋଲି ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ । ପାକିସ୍ତାନର ମାନବାଧିକାର କମିଶନ ବିଭିନ୍ନ ମହିଳା ସଂଗଠନ, ଗଣମାଧ୍ୟମ ଓ ଓକିଲ ସଂଘ ଇମ୍ରାନଙ୍କ ବକ୍ତବ୍ୟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ବେଳେ ତାଙ୍କ ମନ୍ତବ୍ୟ କିନ୍ତୁ ପାକିସ୍ତାନରେ ମହିଳାଙ୍କ ସମ୍ମାନ ହାନି କରିଛି ବୋଲି କୁହାଯାଉଛି ।