ଗୋଟିଏ ସମୟରେ ହକି ପଡିଆରେ ଗୋଲ ଅଟକାଇ ଭାରତୀୟ ହକିପ୍ରେମୀଙ୍କ ହୃଦୟ ଭାଙ୍ଗିଥିବା ପାକିସ୍ତାନର ବିଶ୍ୱବିଜୟୀ ହକି ଟିମର ଗୋଲକିପର ମନସୁର ଅହମ୍ମଦ ଏବେ ଭାରତରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଇଛା ପ୍ରକାଶ କରିଛନ୍ତି । ମନସୁରଙ୍କ ହାର୍ଟ ସମସ୍ୟା ଏବେ ଗମ୍ଭୀର ରହିଛି । ତେଣୁ ଭାରତରେ ଚିକିତ୍ସା ପାଇଁ ସୁଷମା ସ୍ୱରାଜଙ୍କ ଠାରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । କାରଣ ତାଙ୍କ ପାଖରେ ଭାରତ ଆସିବା ପାଇଁ ଭିସା ନାହିଁ । ତେଣୁ ତାଙ୍କୁ ସାହାର୍ଯ୍ୟ କରିବାକୁ ସୁଷମା ସ୍ୱରାଜଙ୍କୁ ନିବେଦନ କରିଛନ୍ତି ମନସୁର ।
୪୯ ବର୍ଷୀୟ ମନସୁର ଅହମ୍ମଦଙ୍କର ହାର୍ଟରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ତେଣୁ ସେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଭାରତ ଆସିବାକୁ ଚାହୁଁଛନ୍ତି । ଏନେଇ ଏକ ଭିଡିଓ କରି ୟୁଟ୍ୟୁବରେ ସେୟାର କରିଛନ୍ତି ମନସୁର । ଯେଉଁଥିରେ ସେ କହିଛନ୍ତି ତାଙ୍କୁ ଏବେ ଗୋଟିଏ ହାର୍ଟ ଦରକାର ଆଉ ଏଥିପାଇଁ ଭାରତ ସରକାରଙ୍କ ସମର୍ଥନର ଆବଶ୍ୟକତା ରହିଛି । ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ଏଭଳି ସ୍ଥିତିରେ କିନ୍ତୁ ଚିକିତ୍ସା ପାଇଁ ପାକିସ୍ତାନୀ ଲୋକ ଭାରତ ଆସିବାକୁ ଭିସା ଆବେଦନ କରିପାରିବେ ।
ଏକ ୟୁଟ୍ୟୁବ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ମନସୁର କହିଛନ୍ତି, ଯୁବାବସ୍ଥାରେ ହକି ଖେଳୁଥିବା ବେଳେ ସେ ଅନେକ ଭାରତୀୟ ହକିପ୍ରେମୀଙ୍କ ହୃଦୟ ଭାଙ୍ଗିଛନ୍ତି । ଅନେକ ମ୍ୟାଚରେ ଭାରତ ଠାରୁ ବିଜୟ ଛଡାଇ ଆଣିଛନ୍ତି । କିନ୍ତୁ ଏବେ ତାଙ୍କୁ ଭାରତ ସରକାରଙ୍କ ସାହର୍ଯ୍ୟ ଲୋଡା ।
ପାକିସ୍ତାନରେ ମନସୁରଙ୍କୁ ହକି ଜଗତର ଲିଜେଣ୍ଡ ମାନିଥାନ୍ତି । ପାକିସ୍ତାନ ଜାତୀୟ ଦଳ ପକ୍ଷରୁ ମୋଟ ୩୩୮ଟି ମ୍ୟାଚ ଖେଳିଥିବା ମନସୁର ହକି ବିଶ୍ୱକପର ବିଜେତର ଦଳର ପ୍ରମୁଖ ସଦସ୍ୟ ରହିଥିଲେ । କିନ୍ତୁ ଏହି ଜାତୀୟ ଖେଳାଳୀଙ୍କ ଏଭଳି ଅବସ୍ଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।