ଆଫଗାନିସ୍ତାନରେ କେମିତି ଚାଲିବ ଶାସନ ? ପରଦା ପଛରେ ସବୁ କରାଉଛି ପାକିସ୍ତାନ ।

237

କନକ ବ୍ୟୁରୋ : ଆଫଗାନିସ୍ତାନରେ ସରକାର ଗଠନ ଆଗରୁ ଆରମ୍ଭରୁ ଦେଖାଗଲାଣି କ୍ଷମତା ଲଢେଇ । ତାଲିବାନ ସରକାରରେ କାହା ପାଖରେ ରହିବ କେତେ ଶକ୍ତି, ଚାଲିଛି ବଳ କଷାକଷି । ଏହାରି ଭିତରେ କିପରି ତାଲିବାନରେ ସରକାର ଗଠନ ହୋଇପାରିବ, ସେନେଇ ତାଲିବାନ ଏହାର ୬ ମିତ୍ର ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରିଛି । ତୁର୍କୀ, ପାକିସ୍ତାନ, ଚୀନ, ଋଷ, ଇରାନ ଓ କତାର ହେଉଛନ୍ତି ଏହି ୬ଟି ଦେଶ । ଆଫଗାନିସ୍ତାନରେ ନୂଆ ସରକାର ଗଠନରେ ପାକିସ୍ତାନର ବଡ ଭୂମିକା ରହିବା ନେଇ ଚର୍ଚ୍ଚା ହେଉଛି ।

ଆଫଗାନିସ୍ତାନରେ ଚାଲିଛି କ୍ଷମତା ଲଢେଇ । ତାଲିବାନଙ୍କ କାବୁଲ ଦଖଲକୁ ମାସେ ହେବାକୁ ଯାଉଛି, ହେଲେ ଏହା ମଧ୍ୟରେ କିନ୍ତୁ ସରକାର ଗଠନ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନି ।

ସୂଚନା ଅନୁସାରେ ସୋମବାର ତାଲିବାନର ସରକାର ଗଠନ ନେଇ ଆଲୋଚନା, ବିଚାରବିମର୍ଷ ଚୂଡାନ୍ତ ସ୍ତରରେ ପହଞ୍ଚିଛି । ଏହି ସରକାର ଗଠନ ସମୟରେ ତାଲିବାନ ଏହାର ବନ୍ଧୁ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡିଛି । ତୁର୍କୀ, ପାକିସ୍ତାନ, ଚୀନ, ଋଷ, ଇରାନ, କତାର । ତାଲିବାନ ସରକାର ଗଠନରେ ଏହି ୬ଟି ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରିଛି ତାଲିବାନ । ଏହି ୬ଟି ଯାକ ଦେଶ ବିଭିନ୍ନ ସମୟରେ କ୍ରମାଗତ ଭାବେ ତାଲିବାନର ସହାୟତା କରି ଆସୁଛନ୍ତି । ଆଉ ସମସ୍ତେ ହେଉଛନ୍ତି ଆମେରିକାର ବିରୋଧୀ । ଟିକେ ତାଲିବାନର ଖେଳକୁ ବୁଝନ୍ତୁ । ଆମେରିକାକୁ ବିରୋଧ କରିବାକୁ ଯାଇ ଆମେରିକା ବିରୋଧୀ ରାଷ୍ଟ୍ରଙ୍କୁ ଏକାଠି କରି, ସେମାନଙ୍କର ଛାତ ତଳେ ସରକାର ଗଠନ ସହ, ଆତଙ୍କି ସଂଗଠନ ଏହି ସରକାରକୁ ମାନ୍ୟତା ପାଇବାକୁ ସୁନ୍ଦର ଯୋଜନାଟିଏ ବନେଇ ଦେଇଛି ।

କତାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଷ୍ଟ୍ରଙ୍କର ଆମେରିକା ସହିତ ସମ୍ପର୍କ ଭଲ ନାହିଁ । ଆମେରିକା ତାଲିବାନ ସହିତ ଯେଉଁ କଥାବାର୍ତା କରିଥିଲା ତାହା କତାର ରାଜଧାନୀ ଦୋହାରେ ହୋଇଥିଲା । ଆମେରିକା ଗୁଇନ୍ଦା ନିର୍ଦ୍ଦେଶକ ନିଜେ ତାଲିବାନୀ ନେତାଙ୍କ ସହ ଦୋହାରେ ଗୁପ୍ତ ଆଲୋଚନା କରି ଫେରିଯାଇଥିଲେ । ଏସବୁ ଭିତରେ ଆମେରିକା ମଧ୍ୟ ସ୍ପଷ୍ଟ କରିସାରିଛି ଆଫଗାନିସ୍ତାନରେ ଆଉ ଏକ ଗୃହ ଯୁଦ୍ଧ ମୁଣ୍ଡ ଟେକିବାକୁ ଯାଉଛି । ସରକାର ଗଠନ ପରେ ଏହା ଦେଖା ଦେବ ବୋଲି ସୂଚନା ଦେଇଛି ସିଆଇଏ । ବର୍ତମାନ ତାଲିବାନ ସଂଗଠନ ଭିତରେ ଦେଖା ଦେଇଥିବା ବିବାଦ ଦେଖିଲେ ଏପରି କିଛି ସମ୍ଭାବନାକୁ ଏଡାଇ ହେବନି ।

ଆଫଗାନିସ୍ତାନରେ ସରକାର ଗଢିବ ତାଲିବାନ । ବଡ ଭୂମିକା ନିଭାଇବାକୁ ଯାଉଛି ପାକିସ୍ତାନ । କାବୁଲରେ ପାକ୍ ଗୁଇନ୍ଦା ମୁଖ୍ୟ । ଏକଥା ହୁଏତ ଆପଣଙ୍କୁ ଟିକେ ଅବୁଝା ଲାଗୁଥିବ । ନଜର ପକାନ୍ତୁ ବର୍ତମାନ ଆଫଗାନିସ୍ତାନର ସ୍ଥିତି ଉପରେ । ବର୍ତମାନ କାବୁଲରେ ଉପସ୍ଥିତ ଅଛନ୍ତି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟ ଫୈଜ ହମିଦ୍ । ଫୈଜ ହମିଦ କାବୁଲରେ ହଠାତ୍ ପହଞ୍ଚିଛନ୍ତି । ତାଙ୍କର କାବୁଲ ଗସ୍ତ ନେଇ ଆଗରୁ କୌଣସି ସୂଚନା ବି ନଥିଲା । ପାକ୍ ଆଇଏସଆଇ ମୁଖ୍ୟ ସେତେବେଳେ ଆସିଛନ୍ତି, ଯେତେବେଳେ ସରକାର ଗଠନକୁ ନେଇ ମୁଲ୍ଲା ବରାଦର ଓ ହକାନୀ ନେଟୱର୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତାଲିବାନ ସରକାରରେ ହକାନୀ ନେଟୱର୍କକୁ ସ୍ଥାନ ଦେବା ସପକ୍ଷରେ ଯୁକ୍ତି ବାଢିଛି ପାକିସ୍ତାନ ।

ହକାନୀ ନେଟୱର୍କ
-ତାଲିବାନର ଛତା ତଳେ ଥିବା ଆତଙ୍କି ସଂଗଠନ
-ସୋଭିଏତ ସେନାକୁ ମାତ୍ ଦେବାକୁ ତିଆରି କରିଥିଲା ଆମେରିକା
-ପାକିସ୍ତାନ ମାଟିରେ ହକାନୀ ନେଟୱର୍କକୁ ମିଳିଥିଲା ତାଲିମ
-ଲାଡେନକୁ ଆମେରିକା ହାତରୁ ବଂଚାଇ ପାକିସ୍ତାନରେ ଆଶ୍ରୟ ଦେଇଥିଲା
-ଆମେରିକା ବିରୋଧ ଯୁଦ୍ଧରେ ନେଇଥିଲା ବଡ ଭୂମିକା
-ସିରାଜ ହକାନୀ, ଖଲିଲ ହକାନୀ ସଂଗଠନର ବଡ ଚେହେରା

ଅବଦୁଲ ଘନୀ ବରାଦର
-ତାଲିବାନୀ ଆତଙ୍କି ସଂଗଠନର ଅନ୍ତର୍ଜାତୀୟ ଚେହେରା
– ତାଲିବାନ ଆତଙ୍କି ସଂଗଠନର ସହ ସଂସ୍ଥାପକ
– ୨୦୧୦ରେ କରାଚିରେ ଆଇଏସଆଇ ଓ ସିଆଇଏ କରିଥିଲା ଗିରଫ
– ଆମେରିକା ସହ ତାଲିବାନର ଚୁକ୍ତି ପରେ ୨୦୧୮ରେ ମୁକୁଳିଥିଲେ
– ତାଲିବାନ ସଂଗଠନର ବିଭିନ୍ନ ଦେଶ ସହିତ ଚୁକ୍ତି କରାଇଥାନ୍ତି

ତାଲିବାନୀ ସୁପ୍ରିମ ନେତା ହିବତୁଲ୍ଲା ଅଖୁନ୍ଦଜାଦା, ଅବଦୁଲ ଘନୀ ବରାଦର ଓ ହକାନୀ ନେଟୱର୍କ ମଧ୍ୟରେ ବର୍ତମାନ ଏକ ପ୍ରକାର ଭିତରେ ଭିତରେ ଯୁଦ୍ଧ ଚାଲିଛି । କାହା ହାତରେ ରହିବ ଦାୟିତ୍ୱ ତାହା ହୋଇପାରୁନି ସ୍ପଷ୍ଟ ।

ତାଲିବାନର ତ୍ରିମୁଖୀ ବିବାଦ । ଅଖୁନ୍ଦଜାଦା-ଅବଦୁଲ ଘନୀ ବରାଦର-ହକାନୀ ନେଟୱର୍କ । ଏହି ପରିସ୍ଥିତିର ଫାଇଦା ନେଇ ପାକିସ୍ତାନ ଏବେ ତାଲିବାନ ସରକାର ଗଠନରେ ମୁଣ୍ଡ ଭର୍ତ୍ତି କରାଇଛି । ଆଇଏସଆଇ ମୁଖ୍ୟ ନିଜେ କାବୁଲରେ ପହଁଚି ବରାଦର ଓ ହକାନୀ ନେଟୱର୍କ ମଧ୍ୟରେ ଆଲୋଚନା ଆରମ୍ଭ କରିଛନ୍ତି । ଆଉ କହିଛନ୍ତି ସବୁ କିଛି ଠିକ୍ ହୋଇଯିବ ।

ଆଇଏସଆଇ ମୁଖ୍ୟ କହିଛନ୍ତି ସବୁ କିଛି ଠିକ୍ ହୋଇଯିବ । ଆଉ କହିବା ସମୟରେ ତାଙ୍କ ମୁହଁକୁ ଦେଖିଲେ, ତାଲିବାନୀ ନେତାଙ୍କ ଠାରୁ ସେ ଅଧିକ ଆତ୍ମବିଶ୍ୱାସରେ ଥିବା ଜଣାପଡୁଛନ୍ତି । ଲାଗୁଛି ଯେମିତି ପରଦା ପଛରେ ସବୁ କରାଉଛି ପାକିସ୍ତାନ । ଏବେ ଭଦ୍ର ମୁଖା ଧରି ବିବାଦ ତୁଟାଇବାକୁ ମଧ୍ୟସ୍ଥ ଭୂମିକାରେ ଓହ୍ଲାଇ ଆସିଛି । ଚର୍ଚ୍ଚା ହେଉଛି କାବୁଲରେ ନିଜ ଆଡୁ ପାକିସ୍ତାନ ଆଇଏସଆଇ ମୁଖ୍ୟ ପହଞ୍ଚି ବରାଦର ଓ ହକାନୀ ନେଟୱର୍କ ମଧ୍ୟରେ ବିବାଦ ତୁଟାଇ, ତାଲିବାନ ସରକାରରେ ହକାନୀ ନେଟୱର୍କକୁ ସ୍ଥାନ ଦେବାକୁ ଉଦ୍ୟମ କରିବେ ।