ପଡୋଶୀ ପାକିସ୍ତାନରୁ ଆସିଲା ବିକଳ ଚିତ୍ର: ଖାଦ୍ୟ ପାଇଁ ଅଟା ଟ୍ରକ୍ ପଛରେ ଗୋଡାଉଛନ୍ତି ଲୋକେ

171

କନକ ବ୍ୟୁରୋ: ଆର୍ଥକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରୁ ଆସିଛି ଏଭଳି କିଛି ଭିଡିଓ । ଏହା କୋଣସି ବାଇକ୍ ରାଲି ନୁହେଁ । ଖାଦ୍ୟ ପାଇଁ ଏକ ଗହମ ଟ୍ରକ୍ ପଛରେ ଲୋକେ କପରି ବାଇକରେ ଗୋଡାଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗହମ ଟ୍ରକ ନିକଟକୁ ଆସି ଟଙ୍କା ଦେଖାଇ ଏକ ପ୍ୟାକେଟ୍ ଗହମ ଦେବାକୁ ଅନୁରୋଧ କରୁଛନ୍ତି । ପାକିସ୍ତାନରେ ଦେଖାଦେଇଥିବା ଖାଦ୍ୟ ସଙ୍କଟ । ଏବେ ପାକିସ୍ତାନରେ ଗହମ କିଲୋ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗାମୀ ଦିନରେ ଆହୁରୀ ବଢିବ ବୋଲି କୁହାଯାଉଛି ।

ଆର୍ଥିକ ଓ ଖାଦ୍ୟ ସଙ୍କଟରେ ପଡିଯାଇଥିବା ପାକିସ୍ତାନରେ ଏବେ ଅଧିକାଂଶ ଲୋକଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । ପରିବାପତ୍ରଠୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ ଦର ଆକାଶଛୁଆଁ ହୋଇଥିବା ବେଳେ ରୋଷେଇ ଗ୍ୟାସ ଆଉ ମିଳୁନି । ଖାଇବାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଦେଶର ୬୦ ଭାଗ ଲୋକ ।

ଦେଶ ସଙ୍କଟରେ ଥିବା ବେଳେ ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଋଣ ଅବା ଆର୍ଥିକ ସହାୟତା ପାଇଁ କାହା ପାଖରେ ଭିକ ମାଗିବା ଦେଶ ପାଇଁ ଲଜ୍ୟାଜନକ କଥା ବୋଲି କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । କିନ୍ତୁ ବାସ୍ତବରେ ସ୍ଥିତି ଭିନ୍ନ ରହିଛି । ଋଣ ଭାରରେ ବୁଡିଥିବା ପାକିସ୍ତାନକୁ ସହାୟତା ଦେବାକୁ ଆଇଏମଏଫ୍ ସହ ସବୁ ବଡ ବଡ ଦେଶ ମନା କରିଦେଇଛନ୍ତି । ଏପଟେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ସରିବାକୁ ବସିଲାଣି । ତେଣୁ ପାକିସ୍ତାନ ବାହାର ଦେଶରୁ ଆଉ ଅଧିକ ଆମଦାନୀ କରିପାରୁନି । ସେପଟେ ବିଦ୍ୟୁତ୍ ସଙ୍କଟ ଯୋଗୁ ସନ୍ଧ୍ୟା ପୁର୍ବରୁ ଲୋକଙ୍କୁ କାମ ସାରି ଘରକୁ ପଳାଇଯିବାକୁ କୁହାଯାଇଛି ।

ପାକିସ୍ତାନରେ ମୁଦ୍ରାସ୍ଫିତୀ ୨୫ ପ୍ରତିଶତ ଛୁଇଁଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଦର ହୁଁ ହୁଁ ବଢିବାରେ ଲାଗିଛି । ଯଦି ପାକିସ୍ତାନରେ ଏଭଳି ସ୍ଥିତି ଲାଗି ରହେ ତେବେ ଆଗାମୀ ନିର୍ବାଚନରେ ସେହେବାଜ ସରିଫଙ୍କୁ ହଟାଇ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଇମ୍ରାନ୍ ଖାନ୍ ।