ପାକିସ୍ତାନ ଅଭିଯୋଗର କଡା ଜବାବ ରଖିଲା ଭାରତ । ମିଳିତ ଜାତିସଂଘରେ ବୈଦେଶିକ ସଚିବ ବିଦିଶା ମୈତ୍ରା କହିଲେ, ଇମ୍ରାନଙ୍କ ଭାଷଣରେ ରହିଛି ଡାହା ମିଛ

ଚାଲିଛି ଆତଙ୍କବାଦର କାରଖାନା ପାକିସ୍ତାନ ଯାଇ ଦେଖି ଆସୁ ବିଶ୍ୱ

400

କନକ ବ୍ୟୁରୋ: ମିଳିତ ଜାତିସଂଘରେ ପ୍ରତିକ୍ରିୟା ରଖିବାର ଅଧିକାରକୁ ବ୍ୟବହାର କଲା ଭାରତ । ଆଉ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମିଛ ଉପରୁ ହଟାଇଲା ପରଦା । ଇମ୍ରାନଙ୍କ ଅଭିଭାଷଣକୁ କାଉଂଟର କରିଛନ୍ତି ମିଳିତ ଜାତିସଂଘରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମୈତ୍ରା । କହିଛନ୍ତି, ଜାତିସଂଘରେ ଡାହା ମିଛ କହିଛନ୍ତିି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ ଭୁଲ ତଥ୍ୟ ଦେଇ ବିଶ୍ୱକୁ ବିଭ୍ରାନ୍ତ କରୁଛନ୍ତି । ଏହା ସହିତ ପାକିସ୍ତାନରେ କୌଣସି ଆତଙ୍କବାଦୀ ସଂଗଠନ ନାହିଁ ବୋଲି ଜାତିସଂଘରେ ଇମ୍ରାନ ଦେଇଥିବା ବିବୃତିକୁ କାଉଂଟର କରିଛନ୍ତି ବିଦିଶା ।

ବିଦିଶା ମୈତ୍ରା କହିଛନ୍ତି, ପାକ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜାତିସଂଘର ଅନୁଧ୍ୟାନକାରୀ ଦଳ ପାକିସ୍ତାନ ଯାଇ ଆତଙ୍କବାଦୀଙ୍କ ଉପସ୍ଥିତିର ଯାଂଚ କରନ୍ତୁ । ବିଶ୍ୱ ସମୁଦାୟକୁ ପାକିସ୍ତାନରେ ଆସି ଆତଙ୍କବାଦୀ ଅଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରିବା ପାଇଁ ଆହ୍ୱନ ଦେଇଥିଲେ ଇମ୍ରାନ । ସେହିପରି ବିଶ୍ୱ ଆତଙ୍କବାଦୀ ହାଫିଜ୍ ସଇଦ୍କୁ ପାକିସ୍ତାନ ସରକାର ପେନସନ ଦେଉଥିବା କଥା ମଧ୍ୟ ଉଠାଇଛନ୍ତିି ବିଦିଶା । ଏପରିକି ଜାତିସଂଘ ଦ୍ୱାରା ନିଷିଧ ଘୋଷିତ ଅନେକ ଆତଙ୍କବାଦୀ ପାକିସ୍ତାନରେ ରହୁଥିବା ସେ ଦାବି କରିଛନ୍ତିି । ଜାତିସଂଘ ଦ୍ୱାରା ନିଷିଧ ଘୋଷିତ ୧୩୦ ଆତଙ୍କବାଦୀ ଓ ୨୫ ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ରହିଛି । ଏକଥାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଅସ୍ୱୀକାର କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଦିଶା ।

ବିଶ୍ୱ ମଂଚରେ କାଶ୍ମୀର କାନ୍ଦଣା କାନ୍ଦିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । ଭାରତକୁ ଇଙ୍ଗିତ କରି କହିଥିଲେ, ବେଆଇନ୍ ଭାବେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟାଇ ଦେଇଛି । ଏଠାରୁ ସୈନ୍ୟ ପ୍ରତ୍ୟାହାର ହେଲେ ଘାଟିରେ ପୁଣି ରକ୍ତପାତ ହେବ । ଭାରତ ଦେଖିବ ଆଉ ଏକ ପୁଲୱମା । ଆଉ ଏସବୁ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିବ ବୋଲି ମିଳିତ ଜାତିସଂଘରେ କହିଥିଲେ ଇମ୍ରାନ୍ ଖାନ୍ । ହେଲେ ତାଙ୍କ ଭାଷଣରେ ନଥିଲା ପାକିସ୍ତାନର କଥା । ଭାଷଣର ପୁରା ଫୋକସରେ ଥିଲା ଇସଲାମ୍ ଆତଙ୍କବାଦ ଓ କାଶ୍ମୀର କଥା ।