ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ କେବେ ହେବ ସାଧାରଣ ନିର୍ବାଚନ

225

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ତରଫରୁ ପାକିସ୍ତାନର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ଆୟୋଗ କହିଛନ୍ତି କି, ଦେଶରେ ୨୦୨୪ ଜାନ୍ରୁଆରୀ ମାସ ଶେଷ ସପ୍ତାହରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ନିର୍ବାଚନ କ୍ଷେତ୍ର ସୀମା ନିର୍ଦ୍ଧାରଣ ନେଇ ହୋଇଥିବା ସର୍ଭେ ମୁତାବକ ନିର୍ବାଚନମଣ୍ଡଳୀର ପ୍ରାରମ୍ଭିକ ସୂଚୀ ସେପ୍ଟେମ୍ବର ୨୭ ତାରିଖରେ ଜାରି କରାଯିବ । ୫୪ ଦିବସୀୟ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଜାନୁଆରୀମାସ ଶେଷ ସପ୍ତାହରେ ଭୋଟ ଗ୍ରହଣ ହେବ ।

ପାକିସ୍ତାନୀ ଗଣମାଧ୍ୟମ ଡନ୍ ର ଏକ ରିପୋର୍ଟ ମୁତାବକ ଗୁରୁବାର ଦିନ ପାକିସ୍ତାନ ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି । ଏବେ ଏହି ଘୋଷଣା ପରେ ପାକିସ୍ତାନ ରାଜନୀତି ସରଗରମ ହୋଇଛି । ଏହି କ୍ରମରେ ଆସନ୍ତୁ ଜାଣିବା ପାକିସ୍ତାନରେ ନିର୍ବାଚନ ପ୍ରକ୍ରିୟା କଣ ଏବଂ ସେଠାରେ ପ୍ରଧାନମନ୍ତ୍ରୀ କିଭଳି ନିର୍ବାଚିତ ହୋଇଥାନ୍ତି ।

ବର୍ତମାନ ପାକିସ୍ତାନରେ ଏକ କେୟାର ଟେକର ସରକାର ଚାଲିଛି । ଏହାର କାରଣ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନିକଟରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ କରିଛନ୍ତି । ପାକିସ୍ତାନ ସମ୍ବିଧାନ ମୁତାବକ ନିର୍ବାଚନ ଆୟୋଗ ଏବେ ୯୦ ଦିନ ମଧ୍ୟରେ ନିର୍ବାଚନ କରିବାକୁ ବାଧ୍ୟ । ଶାହାବାଜ ସରକାର ଚାଲିଯିବା ପରେ କେୟାରଟେକର ସରକାର ଗଠନ ହୋଇଥିଲା । ପାକିସ୍ତାନ ସମ୍ବିଧାନର ଧାରା ୫୨ ଅନୁଯାୟୀ ସରକାର ୫ବର୍ଷ ପୂର୍ତ୍ତି ଅବସରରେ ନ୍ୟାସନାଲ ଆସେମ୍ବିଲ ଭାଙ୍ଗିବା ଜରୁରୀ ।

ଯେମିତି ଭାରତରେ ଜଣେ ଲୋକସଭା ସଦସ୍ୟଙ୍କ ପାଇଁ ମଧ୍ୟ ନିର୍ବାଚନ ହୋଇଥାଏ, ପାକିସ୍ତାନ ନ୍ୟାସନାଲ ଆସେମ୍ବିଲରେ ମଧ୍ୟ ସମାନ ବ୍ୟବସ୍ଥା ରହିଛି । ପାକିସ୍ତାନ ନ୍ୟାସନାଲ ଆସେମ୍ବିଲରେ ବର୍ତମାନ ୩୪୨ ଟି ଆସନ ରହିଛି । ସେଥିମଧ୍ୟରୁ ୨୪୩ଟି ଆସନ ପାଇଁ ଭୋଟ ହୋଇଥାଏ । ବାକି ୭୦ଟି ଆସନ ସଂଖ୍ୟାଲଘୁ ଓ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥାଏ । ସେହିଭଳି ୧୦ଟି ଆସନ ପାକିସ୍ତାନର ପାରମ୍ପାରିକ ଓ ଧାର୍ମିକ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟ ସଂରକ୍ଷିତ ରହିଛି ।

ପାକିସ୍ତାନର ସମ୍ବିଧାନ ଅନୁଯାୟୀ ସଂସଦକୁ ମଜଲିସ-ଏ-ଶୁରା ଏବଂ ତଳ ସଦନକୁ ଅର୍ଥାତ ନ୍ୟାସନାଲ ଆସେମ୍ବିଲକୁ କୌମି ଇସ୍ନବଲି କୁହାଯାଏ । ଆଜି ବି ପାକିସ୍ତାନରେ ବାଲଟ୍ ପେପର ମାଧ୍ୟମରେ ଭୋଟ ଗ୍ରହଣ ହେଉଛି । ଇଲେକ୍ଟୋରାଲ କଲେଜ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ସିନେଟର କାର୍ଯ୍ୟକାଳ ୬ ବର୍ଷ ଏବଂ ପ୍ରତି ୩ବର୍ଷରେ ଏହାର ସଦସ୍ୟମାନଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ରାଷ୍ଟ୍ରପତି ଓ ଉପାଧ୍ୟକ୍ଷ ହେଉଛନ୍ତି ସିନେଟର ମୁଖ୍ୟ । ଏହାର କାର୍ଯ୍ୟକାଳ ୫ବର୍ଷ ।

ଏହି ନିର୍ବାଚନ ମାଧ୍ୟମରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତା ନିର୍ବାଚିତ ହୋଇଥାନ୍ତି । ଆଉ ଏକ କଥା ହେଉଛି ପାକିସ୍ତାନ ସମ୍ବିଧାନ ମୁତାବକ ପାକିସ୍ତାନ ଏକ ଧର୍ମ ନିରପେକ୍ଷ ଦେଶ ନୁହେଁ ବରଂ ଏକ ଇସଲାମିକ ଦେଶ । ତେଣୁ ସେଠିକାର ପ୍ରଧାନମନ୍ତ୍ରୀ ଇସଲାମ୍ ଧର୍ମରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ହୋଇପାରିବେ ।