ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଚାଲିଥିଲା । ହଠାତ୍ ଶୁଭିଲା ପାକିସ୍ତାନ ମୁର୍ଦ୍ଦାବାଦ ନାରା, ଭାଇରାଲ ହେଲା ଭିଡ଼ିଓ । 

477

କନକ ବ୍ୟୁରୋ : କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ପ୍ରାରମ୍ଭିକ ଝଟକା ପରେ ଟିମ୍ ଇଣ୍ଡିଆ ଦୃଢ ବ୍ୟାଟିଂ କରୁଥିବା ବେଳେ ଦର୍ଶକ ଷ୍ଟାଡିୟମରେ ମ୍ୟାଚର ମଜା ନେଉଛନ୍ତି ।  ତେବେ ଏହି ମ୍ୟାଚ୍ ସମୟରେ ଷ୍ଟାଡିୟମରେ କିଛି ଏମିତି ଶୁଣିବାକୁ ମିଳିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମ୍ୟାଚ ମଝିରେ ଷ୍ଟାଡିୟମ ମଧ୍ୟରେ ପାକିସ୍ତାନ ମୁର୍ଦ୍ଦାବାଦର ନାରା ଶୁଣିବାକୁ ମିଳିଥିଲା । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ବିରାଟଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଆଜିଙ୍କ୍ୟ ରାହାଣେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମରୁ ବେଶ ସର୍ତକତାର ସହ ବ୍ୟାଟିଂ କରୁଥିଲା ଭାରତ । ମ୍ୟାଚର ଷଷ୍ଠ ଓଭର ଚାଲିଥିବା ବେଳେ ବ୍ୟାଟିଂ କରୁଥିଲେ ଶୁଭମାନ ଗିଲ ଓ ବୋଲିଂ କରୁଥିଲେ ଜେମିସନ । ଆଉ ଏହି ସମୟରେ ଷ୍ଟାଡିୟମରେ ହଠାତ୍ ଶୁଭିଥିଲା ପାକିସ୍ତାନ ମୁର୍ଦ୍ଦାବାଦର ନାରା । କମେଣ୍ଟ୍ରି ଚାଲୁଥିବା ବେଳେ ଅତି ସ୍ପଷ୍ଟ ଭାବେ ଶୁଭୁଥିଲା ଏହି ନାରା । ଦର୍ଶକ ଗ୍ୟାଲେରୀରୁ କିଛି ଦର୍ଶକ ବଡ ପାଟିରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା ପକାଉଥିଲେ । ଏହା ପଛର କୌଣସି ସ୍ପଷ୍ଟ କାରଣ ଜଣାପଡିନଥିଲେ ମଧ୍ୟ ନ୍ୟୁଜିଲାଣ୍ଡକୁ ନେଇ ପାକିସ୍ତାନ ଯେଉଁଭଳି ଟିପ୍ପଣୀ କରିଥିଲା ତାହା ବିରୋଧରେ ଦର୍ଶକ ମାନେ ଏଭଳି ନାରା ଦେଉଥିବା ନେଇ ଚର୍ଚ୍ଚା ହେଉଛି ।

ଗତ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗସ୍ତରେ ଯାଇଥିଲା ନ୍ୟୁଜିଲାଣ୍ଡ । ତେବେ ମ୍ୟାଚ୍ ଖେଳିବା ପୂର୍ବରୁ ସୁରକ୍ଷା କାରଣ ଦର୍ଶାଇ ଗସ୍ତ ବାତିଲ କରିଥିଲା ନ୍ୟୁଜିଲାଣ୍ଡ । ଆଉ ଏଥିରେ କ୍ଷୁବ୍ଧ ହୋଇ ପାକିସ୍ତାନର କ୍ରିକେଟର ଓ ପାକିସ୍ତାନବାସୀ ନ୍ୟୁଜିଲାଣ୍ଡ ଉପରେ ବର୍ଷିଥିଲେ । ଆଉ ଆଜି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଚାଲିଥିବା ବେଳେ କିୱି ଖେଳାଳୀଙ୍କୁ ଖୁସି କରିବାକୁ କିଛି ଏଭଳି ନାରା ଦେଇଥିଲେ ଷ୍ଟାଡିୟମରେ ଥିବା ଦର୍ଶକ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଶ୍ରେୟସ ଆୟର ଟେଷ୍ଟ ପଦାପର୍ଣ କରିଥିବା ବେଳେ ଜାଡେଜା ଦୀର୍ଘ ଦିନ ପରେ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି ।