ସୀମାଙ୍କ ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା। ସଚିନଙ୍କ ସହ ଉଡ଼ାଇଲେ ଜାତୀୟ ପତାକା, ମଥାରେ ବାନ୍ଧିଲେ ‘ଜୟ ମାତାଦି’ ଚୂନରି

286

କନକ ବ୍ୟୁରୋ: ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା । ଏପରି କହୁଥିବା ମହିଳା ଜଣକ ହେଉଛନ୍ତି ସୀମା ହାଇଦର । ଯିଏ କିଛି ଦିନ ତଳେ ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ । ତେବେ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ହର୍ ଘର୍ ତିରଙ୍ଗା ଅଭିଯାନରେ ସୀମା ଏବେ ସାମିଲ ହୋଇଛନ୍ତି । ତ୍ରିରଙ୍ଗା ସାଢ଼ି ପିନ୍ଧିବା ସହ ମୁଣ୍ଡରେ ବାନ୍ଧିଛନ୍ତି ‘ଜୟ ମାତାଦି’ର କପଡ଼ା । ସଚିନ ଓ ପଡ଼ୋଶୀଙ୍କ ସହ ଏକାଠି ହୋଇ ଭାରତ ମାତାଙ୍କ ଜୟଗାନ କରିଛନ୍ତି । ବନ୍ଦେ ମାତାରମ୍ ନାରାରେ ପରିବେଶ କମ୍ପି ଉଠୁଛି । ପତାକା ଉଡ଼ାଇବା ପରେ ଏକାଠି ଜାତୀୟ ସଙ୍ଗୀତ ଗାନ କରିଛନ୍ତି ସୀମା ଓ ସଚିନ୍ ।
ବନ୍ଦେ ମାତରମ୍ ବ୍ୟତୀତ ମୋଦୀ ସରକାର ଓ ଯୋଗୀ ସରକାରଙ୍କ ଜୟଗାନ କରିଛନ୍ତି ସୀମା । ଭାରତରେ ଜାତୀୟ ପତାକା ଉଡ଼ାଇ ଖୁବ ଖୁସି ଥିବା କହିଛନ୍ତି ସୀମା । ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେବା ସହ ସୀମା ହିନ୍ଦୁସ୍ଥାନ ଜିନ୍ଦାବାଦ ନାରା ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ସୃଷ୍ଟି ହୋଇଛି ।

ବଲିଉଡ ସିନେମାରେ ସୀମାଙ୍କ ଅଭିନୟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଉ ଏହାରି ମଧ୍ୟରେ ସୀମା-ସଚିନଙ୍କ କାହାଣୀକୁ ନେଇ ନିର୍ମିତ ହେବାକୁ ଥିବା ସିନେମା ‘ କରାଚୀ ଟୁ ନୋଏଡ଼ା’ର ଅଡ଼ିସନ ମଧ୍ୟ ଆରମ୍ଭ ହୋଇଯାଇଛି । ଏହାର କିଛି ସୁଟିଂ ମଧ୍ୟ ଆରମ୍ଭ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ‘ଏମ୍ଏନଏସ୍’ର ନେତା ଅମେୟ ଖୋପକର ସୀମା ହାଇଦରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଏପରି ଡ୍ରାମା ଯଥା ଶୀଘ୍ର ବନ୍ଦ ହେବା ଉଚିତ ନହେଲେ ଏମଏନଏସ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି । ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପାକିସ୍ତାନୀ ନାଗରିକଙ୍କ ସ୍ଥାନ ନାହିଁ ବୋଲି ସେ ଟ୍ୱିଟ କରିଛନ୍ତି । ଇଣ୍ଡଷ୍ଟ୍ରିର କିଛି ଲୋକ ସାମାନ୍ୟ ଖ୍ୟାତି ପାଇଁ ସୀମା ହାଇଦରଙ୍କୁ ଅଭିନେତ୍ରୀ କରିବାକୁ ଚାହୁଁଛନ୍ତି । ଏହି ଦେଶଦ୍ରୋହୀ ପ୍ରଯୋଜକ ଲଜ୍ଜା ଅନୁଭବ କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟପଟେ ସୀମା ହାଇଦର କୈାଣସି ସିନେମା ପାଇଁ ସାଇନ୍ କରି ନଥିବା କହିଛନ୍ତି ।

ଅନ୍ୟପଟେ ଭାରତରୁ ନିଜ ପୁରୁଷ ବନ୍ଧୁ ନସରୁଲ୍ଲାଙ୍କ ପାଇଁ ପାକିସ୍ତାନ ଯାଇଥିବା ଅଂଜୁ ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରୁଥିବା ଭିଡ଼ିଓ ସାମ୍ନାକୁ ଆସିଛି । କେକ୍ କାଟି ଖୁସି ମନାଇଛନ୍ତି ଅଂଜୁ । ଯାହାର ଭିିଡ଼ିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହୋଇଛି ।