ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଆଉ ସୁରକ୍ଷିତ ସ୍ଥାନ ହେଇ ରହିନାହିଁ । ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କ ହତ୍ୟା ହେଇଚାଲିଛି । ଏହା ଆତଙ୍କବାଦୀ ସଂଗଠନ ମଧ୍ୟରେ ଏକ ଭୟ ବାତାବରଣ ସୃଷ୍ଟି କରିଦେଇଛି । ଅନ୍ୟପାଇଁ ଯେଉଁମାନେ ମୃତ୍ଯୁର ତାଣ୍ଡବ କରୁଥିଲେ ଏବେ ସେମାନଙ୍କ ନିଜ ଜୀବନ ଉପରେ ବିପଦ ସୃଷ୍ଟି ହେଇସାରିଲାଣି । ହାଫିଜ ସଇଦର  ଘରେ ହୋଇଥିବା ଆକ୍ରମଣ ପାଇଁ ପାକିସ୍ତାନ ଭାରତକୁ ଦାୟୀ କରିଥିଲା । ତେବେ ଭାରତ ଏହି ଅଭିଯୋଗକୁ ଅସ୍ୱୀକାର କରିଛି ।

Advertisment

୨୦୦୮ ରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ଯୁ ଘଟିଥିଲା । ଏହି  ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ନିଜକୁ ଦାୟୀ କରିଥିଲା । ହାଫିଜ ସଇଦ ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିଲା । ହାଫିଜ ସଇଦ ଜୀବନ ପାଇଁ ଏବେ ବିପଦ ଘନେଇ ଆସିଲାଣି । ଜଣ ଜଣ କରି ତାର ନିକଟ ସହଯୋଗୀ ମାନଙ୍କୁ  କିଏ ହତ୍ୟା କରିବାରେ ଲାଗିଛି ।  ସେପ୍ଟେମ୍ବର ୨୬ ରୁ ହାଫିଜ ସଇଦର ପୁଅ କମଲୁଦ୍ଦିନ ସଇଦ ନିଖୋଜ ଥିବା କୁହାଯାଉଛି। ଏପରିକି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ମଧ୍ୟ ତାକୁ ଖୋଜି ପାଇବାରେ ସକ୍ଷମ ହେଇ ପାରିନାହିଁ । କେବଳ ଏତିକି ନୁହେଁ ହାଫିଜ ସଇଦର ଘନିଷ୍ଠ ସହଯୋଗୀ  ମୁଫତି କାଇସର ଫାରୁକକୁ କରାଚିରେ ଅଜଣା ଆତତାୟୀମାନେ ଗୁଳିକରି ହତ୍ୟା କରିଛନ୍ତି ।

ହାଫିଜ ସଇଦ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ । । ଏହାପୂର୍ବରୁ ଜୁନ୍ ୨୦୨୧  ରେ ଲାହୋରରେ ସଇଦର ଘର ବାହାରେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆତଙ୍କବାଦୀ ହାଫିଜ ସଇଦର ଦିନ ପାଖେଇ ଆସୁଛି  

ସଇଦର ଘର ବାହାରେ ବିସ୍ଫୋରଣ

ଜୁନ୍ ୨୦୨୧ ରୁ ହାଫିଜ ସଇଦଙ୍କ ଖରାପ ଦିନ ଆରମ୍ଭ ହୋଇଯାଇଛି । ଜୁଲାଇ ୧୭ , ୨୦୧୯ ରେ ଆମେରିକାର ଚାପରେ ଲଶ୍କର ନେତା ହାଫିଜ ସଇଦକୁ ପାକିସ୍ତାନରେ ଗିରଫ କରାଯାଇଥିଲା ।  ଗିରଫ ପରେ ସଇଦକୁ ଜେଲ ପଠାଯାଇଥିଲା । କିଛି ସମୟ ପରେ ଖବର ଆସିଲା ଯେ ହାଫିଜ ସଇଦଙ୍କ ଗିରଫ କେବଳ ଆନ୍ତର୍ଜାତୀୟ ସଂଗଠନ ଆଖିରେ ଧୂଳି ଫିଙ୍ଗିବାର ଏକ ପ୍ରୟାସ ଥିଲା । ପ୍ରକୃତ ଖବର ହେଲା ହାଫିଜ ସଇଦ ଲାହୋରର ଜୋହର ଟାଉନରେ ଥିବା ଟା ନିଜ ଘରେ ରାହୁଥିଲା ।

ଜୁନ୍ ୨୩, ୨୦୨୧ ରେ ଲାହୋରର ଜୋହର ଟାଉନରେ ଲଶ୍କର ମୁଖ୍ୟ ହାଫିଜ ସଇଦର ଘର ଉପରେ ଆକ୍ରମଣ କରାଯାଇଥିଲା । ପାକିସ୍ତାନୀ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ ଯେ ଏହି ହତ୍ୟା ଷଡଯନ୍ତ୍ର ପଛରେ ଭାରତୀୟ ଏଜେନ୍ସିର ହାତ ରହିଛି । ଏହି ଆକ୍ରମଣ ଷଡଯନ୍ତ୍ର ପଛରେ ବବୁଲୁ  ଶ୍ରୀବାସ୍ତବର ହାତ ଥିବାର ଅଭିଯୋଗ ମଧ୍ୟ  ପାକିସ୍ତାନ କରିଥିଲା । ଯଦିଓ ଭାରତ ଏହି ଅଭିଯୋଗକୁ ଅସ୍ୱୀକାର କରିଛି । ଏହି ଘଟଣାରେ ପାକିସ୍ତାନ ସମୁଦାୟ ପାଞ୍ଚ  ଜଣଙ୍କୁ ଗିରଫ କରିଥିଲା । ସମସ୍ତେ ପାକିସ୍ତାନୀ ନାଗରିକ ଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।

 ସଇଦର ପୁଅ ନିଖୋଜ  

ସଇଦର ପୁଅ କମଲୁଦ୍ଦିନ ୨୬ ସେପ୍ଟେମ୍ବର ୨୦୨୩ ଦିନ ହଠାତ ନିଖୋଜ ହେଇଯାଇଥିବା କଥା ଜଣାଯାଇଛି । ହଠାତ୍ ନିଖୋଜ ହୋଇଯାଇଥିବା ଏହି ଘଟଣା ପରେ  ଆଇଏସଆଇ ସମେତ ସମସ୍ତ ଆତଙ୍କବାଦୀ ସଂଗଠନ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାରରେ ଆସିଥିବା କିଛି ଲୋକ କାମଲୁଦ୍ଦିନକୁ  ପେଶୱାରରୁ ଅପହରଣ କରି ନେଇଛନ୍ତି । ପାକିସ୍ତାନରେ ଆତଙ୍କବାଦୀଙ୍କ କ୍ରମାଗତ ହତ୍ୟା ହେତୁ ହାଫିଜ ସଇଦ ପରି ଆଇଏସଆଇ ତାକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଛି ବୋଲି କିଛି ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ।

ହାଫିଜର ସହଯୋଗୀକୁ ହତ୍ୟା  

କାଇସର ଫାରୁକ୍ ଲଶ୍କର ପ୍ରମୁଖ୍ୟ ଆତଙ୍କବାଦୀ ମଧ୍ୟରୁ ଜଣେ ଥିଲା । ସେ ହାଫିଜର ଘନିଷ୍ଠ  ସହଯୋଗୀ ଥିଲା । ଡନ୍‌ ରିପୋର୍ଟ ଅନୁଯାୟୀ ସାମନାବାଦ ଅଞ୍ଚଳର ଏକ ଧାର୍ମିକ ଅନୁଷ୍ଠାନ ନିକଟରେ ୩୦ ବର୍ଷିୟ କାଇସରଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା ।