ନାବାଳିକାକୁ ବିବାହ କରି ଅଡୁଆରେ ପାକିସ୍ତାନୀ ସାଂସଦ । ୫୦ ବର୍ଷର ସାଂସଦ ବିବାହ କରିଛନ୍ତି ୧୪ ବର୍ଷର କନିଆଁ ।

708

କନକ ବ୍ୟୁରୋ : ସବୁବେଳେ କିଛି ନା କିଛି ବେଆଇନ କାର୍ଯ୍ୟକରି ଚର୍ଚ୍ଚାରେ ରହିଆସିଛି ପାକିସ୍ତାନ । କେତେବେଳେ ଆତଙ୍କବାଦୀଙ୍କୁ ସହାୟତା ତ କେତେବେଳେ କ୍ଷମତା ଦଖଲ ଲାଗି ସେନାର ଅପବ୍ୟବହାର । କିଛି ନା କିଛି ବିବାଦ ପାକିସ୍ତାନର ପିଛା ଛାଡୁନି । ହେଲେ ଏବେ ଯେଉଁ ବିବାଦ ପାଇଁ ପାକିସ୍ତାନର ଜଣେ ସାଂସଦ ଚର୍ଚ୍ଚାକୁ ଆସିଛନ୍ତି ତାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ । ସେ ପାକିସ୍ତାନ ହେଉ କି ଭାରତ, ଆଇନ ତିଆରି କରିବା ହେଉଛି ଲୋକପ୍ରତିନିଧିଙ୍କ କାର୍ଯ୍ୟ । ହେଲେ ସେହି ଆଇନ ତିଆରି କରୁଥିବା ଲୋକ ଯଦି ଆଇନ ଭାଙ୍ଗେ ତାହେଲେ ଜନତା କାହାକୁ ଭରସା କରିବେ ।

ପାକିସ୍ତାନର ଜଣେ ରାଜନେତା ତଥା ନ୍ୟାସନାଲ ଆସେମ୍ବଲୀ ଅଫ୍ ପାକିସ୍ତାନର ସଦସ୍ୟ ମୌଲାନା ଅୟୁବି ଜଣେ ୧୪ ବର୍ଷୀୟ ନାବାଳିକାକୁ ବିବାହ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । କହିରଖୁ କି ମୌଲାନା ଆୟୁବି ୨୦୧୮ ମସିହାରୁ ନ୍ୟାସନାଲ ଆସେମ୍ବଲୀର ସଦସ୍ୟ ରହିଛନ୍ତି ।

ସୂତ୍ରରୁ ମଳିଥିବା ସୂଚନା ଅନୁସାରେ ପୋଲିସ ଏହି ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି । ସାଂସଦଙ୍କ ଏଭଳି ବେଆଇନ ବାହାଘରକୁ ନେଇ ଏକ ଏନଜିଓ ପ୍ରଥମେ ଅଭିଯୋଗ ଆଣିଥିଲା । ଅଭିଯୋଗ ମୁତାବକ ରାଜନେତା ଜଣଙ୍କ ଜଣେ ଚିତ୍ରାଲ ସଂପ୍ରଦାୟର ନାବାଳିକାକୁ ବିବାହ କରିଛନ୍ତି । ଅଭିଯୋଗ କରିଥିବା ଏନଜିଓ ଦୀର୍ଘଦିନ ହେବ ଚିତ୍ରାଲ ସଂପ୍ରଦାୟର ମହିଳାଙ୍କ ପାଇଁ କାମ କରୁଛି ।

ଡନ୍ ର ରିପୋର୍ଟ ମୁତାବକ ନାବାଳିକା ଜଣଙ୍କ ଜୁଘୁରର ଏକ ସରକାରୀ ସ୍କୁଲରେ ପାଠ ପଢୁଛନ୍ତି । ସ୍କୁଲର ରେକର୍ଡ ମୁତାବକ ନାବାଳିକା ଜଣଙ୍କର ଜନ୍ମ ତାରିଖ ହେଉଛି ୨୦୦୬ ମସିହା ଅକ୍ଟୋବର ମାସ ୨୮ ତାରିଖ । ଏହି ଜନ୍ମ ତାରିଖକୁ ଅନୁଧ୍ୟାନ କଲେ ନାବାଳିକା ଜଣଙ୍କର ବିବାହଯୋଗ୍ୟ ବୟସ ହୋଇ ନାହିଁ । ଅନ୍ୟପଟେ ତାଙ୍କୁ ବିବାହ କରିଥିବା ସାଂସଦ ଜଣଙ୍କର ବୟସ ୫୦ ବର୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।

ଅଭିଯୋଗ ପାଇବା ପରେ ଚିତ୍ରାଲ ଥାନା ଅଧିକାରୀ ସେହଜାଦ ଅହମ୍ମଦ କହିଛନ୍ତି ଯେ ପୋଲିସ ନାବାଳିକାର ଘରକୁ ଯାଇଥିଲା ହେଲେ ନାବାଳିକା ଜଣଙ୍କ ଘରେ ନଥିଲେ । ଏନେଇ ନାବାଳିକାର ପିତାଙ୍କୁ ପଚରା ଉଚରା କରିବାରୁ ସେ ବାହାଘରକୁ ଖଣ୍ଡନ କରିବା ସହ ଏକ ସତ୍ୟପାଠ ଦାଖଲ କରିଛନ୍ତି । ପାକିସ୍ତାନର ଆଇନ ଅନୁସାରେ ଯୁବତୀଙ୍କ ସର୍ବନିମ୍ନ ବିବାହ ବୟସ ହେଉଛି ୧୬ ବର୍ଷ । ହେଲେ ଯଦି ବାସ୍ତବରେ ରାଜନେତା ଜଣଙ୍କ ସେହି ନାବାଳିକାକୁ ବିବାହ କରିଥା’ନ୍ତି ତେବେ ରାଜନେତାଙ୍କ ବୟସ ତୁଳନାରେ ତାଙ୍କ ପତ୍ନୀଙ୍କ ବୟସ ପାଖା ପାଖି ୪ ଗୁଣା ସାନ । ଯାହାକି ବେଆଇନ ଅଟେ ।