ଭାରତ-ପାକ୍ ମ୍ୟାଚ୍ ଦେଖିବାକୁ ଦୁବାଇ ଯାଇଥିଲେ ପାକିସ୍ତାନ ଗୃହମନ୍ତ୍ରୀ । ପଢନ୍ତୁ, କେଉଁ କାରଣରୁ ପାକିସ୍ତାନକୁ ଡାକି ଆଣିଲେ ଇମ୍ରାନ୍ ଖାନ?

55

କନକ ବ୍ୟୁରୋ: ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରସିଦ୍ ଭାରତ-ପାକ୍ ମ୍ୟାଚ୍ ଦେଖିବାକୁ ଦୁବାଇ ଯାଇଥିଲେ । ହେଲେ ତାଙ୍କ ମ୍ୟାଚ୍ ଦେଖିବାର ଇଚ୍ଛା କେବଳ ଇଚ୍ଛାରେ ରହିଯାଇଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ତାଙ୍କୁ ମ୍ୟାଚ୍ ଦେଖିବା ପୂର୍ବରୁ ତୁରନ୍ତ ପାକିସ୍ତାନ ଫେରାଇ ଆଣିଛନ୍ତି । ତେବେ ଏହା ପଛରେ ଏକ ବଡ କାରଣ ରହିଥିବା ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ, ଶନିବାର ପାକ୍ ଗୃହମନ୍ତ୍ରୀ ଶେଖ୍ ରସିଦ ଦୁବାଇରୁ ପାକିସ୍ତାନ ଚାଲିଆସିଛନ୍ତି । ତେଣୁ ରବିବାର ହେବାକୁ ଥିବା ଭାରତ-ପାକ୍ ମ୍ୟାଚକୁ ସେ ଷ୍ଟାଡିୟମରେ ବସି ଦେଖିପାରିବେ ନାହିଁ ।

କୁହାଯାଇଛି, ପାକିସ୍ତାନରେ ଏବେ କିଛି ବି ଠିକ୍ ଚାଲିନାହିଁ । ଯାହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଚିନ୍ତାରେ ଅଛନ୍ତି । ଯାହାର ଫଳସ୍ୱରୂପ ପାକିସ୍ତାନ ଗୃହମନ୍ତ୍ରୀଙ୍କୁ ଏପରି ହଠାତ୍ ଦୁବାଇରୁ ପାକିସ୍ତାନ ଫେରିବାକୁ ପଡିଛି । ଅସଲ କଥା ହେଉଛି, ପାକିସ୍ତାନର କଠୋରପନ୍ଥୀ ସଙ୍ଗଠନ ଟିଏଲପି ନିଜ ପ୍ରମୁଖ ହାଫିଜ୍ ହୁସେନଙ୍କ ନଜରବନ୍ଦୀଙ୍କୁ ନେଇ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛି । ତେବେ ଏହା ଫଳରେ ପାକିସ୍ତାନରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ଇମ୍ରାନ ତାଙ୍କର ଗୃହମନ୍ତ୍ରୀଙ୍କୁ ପାକିସ୍ତାନକୁ ଫେରାଇ ଆଣିଛନ୍ତି ।

ଅନ୍ୟପଟେ ଟିଏଲପିର ଏହି ମାର୍ଚ୍ଚକୁ ରୋକିବା ପାଇଁ ପାକିସ୍ତାନୀ ଅର୍ଦ୍ଧସୈନିକ ବଳର ୫୦୦ରୁ ଅଧିକ ଯବାନ ଓ ଏକ ହଜାର ଫଣ୍ଟ୍ରିୟର ଯବାନଙ୍କୁ ନିୟୋଜିତ କରାଯାଇଛି । ପାକିସ୍ତାନର ଖବରକାଗଜ ଦ ଡନ୍ ମୁତାବକ, ଶୁକ୍ରବାର ନମାଜ ପରେ ଶାନ୍ତିପୂର୍ଣ୍ଣ ଭାବରେ ଏହି ଧାରଣା ବାହାରିବା ନେଇ ଘୋଷଣା କରାଯାଇଥିଲା । ହେଲେ ଏହି ଧାରଣା କିଛି ବି ବିଶୃଙ୍ଖଳା, ବଡ ଧରଣର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ପାକିସ୍ତାନ ସରକାର ଏବେ ଚିନ୍ତାରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଟିଏଲପି ନେତା ହାଫିଜ୍ ହୁସେନ୍ ରିଜବୀଙ୍କୁ ଗତ ୧୨ ଦିନ ହେଲା ସେଠାକାର ପଞ୍ଜାବ ସରକାର ନଜରବନ୍ଦୀ କରି ରଖିଛନ୍ତି । ଯାହାକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଉଛି ।