ଅଭିନନ୍ଦନଙ୍କ ହସ୍ତାନ୍ତର ନେଇ ସବୁଠୁ ବଡ ରହସ୍ୟର ହେଲା ପର୍ଦ୍ଦାଫାସ । ନିଜ ଛବିରେ ସୁଧାର ପାଇଁ ଅଭିନନ୍ଦନଙ୍କୁ ନେଇ ପ୍ରଚାର ଭିଡିଓ ସୁଟ୍ କରୁଥିଲା ପାକ୍ ସେନା

455

କନକ ବ୍ୟୁରୋ: ଶୁକ୍ରବାର ସକାଳୁ ସାରାଦେଶ ଅପେକ୍ଷା କରି ରହିଥିଲେ କେତେବେଳେ ଭାରତ ମାଟିକୁ ଆସିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ସକାଳୁ ଦ୍ୱିପ୍ରହର, ସଂଧ୍ୟା ଓ ରାତି ଗଡିଲା ବେଳକୁ ଦେଶବାସୀଙ୍କ ଉତ୍ସୁକତା ମଧ୍ୟ ଚରମ ସୀମାରେ ପହଂଚିଥିଲା । କିନ୍ତୁ କୁହାଗଲା କାଗଜପତ୍ର କାମ ଯୋଗୁଁ ଫେରିବାରେ ବିଳମ୍ବ ହେଉଛି । ଶେଷରେ ରାତି ୯ଟା ୨୫ରେ ୱାଘା ବର୍ଡର ଦେଇ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ଅଭିନନ୍ଦନ । ହେଲେ ଲାହୋରରୁ ଅଟାରୀ ଆସିବ ମଧ୍ୟରେ ଅଧ ରାସ୍ତାରେ ଅଟକାଇ ପାକିସ୍ତାନ ଏକ ପ୍ରଚାର ଭିଡିିଓ ସୁଟିଂ କରିଥିଲା ଯେଉଁଥି ପାଇଁ ବିଳମ୍ବ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ୱିଙ୍ଗ କମାଣ୍ଡର ଅଭିନନ୍ଦନକୁ ଅପଲକ ନୟନରେ ଚାହିଁ ରହିଥିଲା ସାରା ଦେଶ । ୱାଘା ସୀମାରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ସକାଳୁ ପହଂଚିଯାଇଥିଲେ ଦେଶବାସୀ । ପ୍ରଥମେ ଦିନ ୧୦ଟାରେ ପହଂଚିବେ ବୋଲି ପାକିସ୍ତାନ ପକ୍ଷରୁ ଜଣାଇଦିଆଯାଇଥିଲା । ଏହାପରେ ଏହି ସମୟ ଘୁଂଚି ଘୁଂଚି ୧୨ ପରେ ୩ଟାରୁ ୪ଟା ହୋଇଥିଲା । ହେଲେ କାଗଜପତ୍ର ପ୍ରକ୍ରୀୟା ଯୋଗୁଁ ବିଳମ୍ବ ହେଉଥିବା କୁହାଯାଇଥିଲା । ପରେ ସଂଧ୍ୟାରେ ଅଭିନନ୍ଦନଙ୍କୁ ଭାରତୀୟ ଅଧିକାରୀଙ୍କୁ ପ୍ରତ୍ୟାର୍ପଣ କରାଯାଇଥିବା ମଧ୍ୟ ଖବର ଆସିଥିଲା । କିନ୍ତୁ ସେହି ସମୟରେ ବି ସେ ଲାହୋରରେ ଥିଲେ ବୋଲି ଜଣାପଡିଥିଲା । ଶେଷରେ ରାତି ୯ଟା ୨୫ରେ ଏହି ଅପେକ୍ଷାର ଅନ୍ତ ଘଟିଥିଲା ଏବଂ ବୀରପୁଅ ଅଭିନନ୍ଦନ ଆସି ପହଂଚିଥିଲେ ଭାରତ ସୀମାରେ ।

ୱିଙ୍ଗ କମାଣ୍ଡର ଅଭିନନ୍ଦନ ସ୍ୱଦେଶ ଫେରିବାରେ ଅହେତୁକ ବିଳମ୍ବ ହେବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଉଛି ନିଜର ପ୍ରଚାର କରିବା ପାଇଁ ଅଭିନନ୍ଦନଙ୍କୁ ଅଧାରାସ୍ତାରେ ଅଟକାଇ ପ୍ରଚାର ପାଇଁ ବାଧ୍ୟ କରି ଭିଡିଓ ସୁଟ୍ କରିଥିଲା ପାକ୍ ଆର୍ମି । ଯାହାକୁ ନେଇ ପୁଣି ଥରେ ପାକିସ୍ତାନ ଉପରେ ସନ୍ଦେହ ବଢ଼ିଛି । ଏହା ଜେନେଭା ସନ୍ଧିକୁ ଉଲଘଂନ କରୁଛି ବୋଲି କୁହାଯାଉଛି ।

ତେବେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରଶୟ ଓ ସମର୍ଥନ ଦେଇ ବିଶ୍ୱରେ ଏକଘରିକିଆ ହୋଇପଡିଥିବା ପାକିସ୍ତାନ ନିଜ ଛବି ବଂଚେଇବାକୁ ଏହି ଭିଡିଓ ଜରିଆରେ ନୂଆ ବାଟ ଖୋଜୁଛି ବୋଲି ଚର୍ଚ୍ଚା ହେଉଛି । ପରେ ଏହି ଭିଡିଓକୁ ପ୍ରତ୍ୟାହାର କରିନେଇଛି ପାକ୍ ସେନା ।