ପାକିସ୍ତାନ ଲଂଚ କଲା ସ୍ୱଦେଶୀ ଜ୍ଞାନ କୌଶଳରେ କରୋନା ଟିକା ‘ପାକ୍ ଭ୍ୟାକ୍’ । ଟିକାର ପ୍ରଭାବ ଓ ପରୀକ୍ଷଣକୁ ରଖିଲା ଗୁପ୍ତ

881

କନକ ବ୍ୟୁରୋ : ସାରା ବିଶ୍ୱ ଏବେ କରୋନା ଭୂତାଣୁରୁ ରକ୍ଷା ପାଇବାକୁ ଟିକାକରଣ ଅଭିଯାନକୁ ତୀବ୍ର କରିଥିବା ବେଳେ ୧୨ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି । ଏହାରି ମଧ୍ୟରେ ପାକିସ୍ତାନ ବି ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ଲଂଚ କରିଛି । ଯାହାର ନାମ ‘ପାକ ଭ୍ୟାକ୍’ ରଖା ଯାଇଛି । ପାକିସ୍ତାନ ତ କରୋନା ଟିକା ଲଂଚ କରିଛି ହେଲେ ଏହି ଟିକା କେତେ ପ୍ରତିଶତ ପ୍ରଭାବଶାଳୀ, ଏହା କେତେ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି ଓ ଏହାର ଫଳାଫଳ କ’ଣ ଆସିଛି ତାହାକୁ ଗୁପ୍ତ ରଖିଛି ।

ପାକିସ୍ତାନର ଜାତୀୟ କମାଣ୍ଡ ଏବଂ ଅପରେଶନ ସେଣ୍ଟର ପ୍ରମୁଖ ଅସଦ ଓମର ଏହି ଭ୍ୟାକ୍ସିନର ଲଂଚ କରିଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ଖୁବଶୀଘ୍ର କୋଭିଡ-୧୯ ଔଷଧ ପ୍ରସ୍ତୁତ କରିବାକୁ ସକ୍ଷମ ହେବ । ଏହାସହ ପ୍ରସ୍ତୁତ ହୋଇଥିବା ଟିକାର ମଜଭୁତ୍ ପରୀକ୍ଷଣ, ଗୁଣବତ୍ତାର ଯାଂଚ କରାଯାଇ ଏହାକୁ ଲଂଚ କରାଯାଇଛି ।

ଏହାସହ ଏହି ମହାମାରୀ ବେଳେ ଚୀନ ପାକିସ୍ତାନର ବନ୍ଧୁଭାବେ କାର୍ଯ୍ୟ କରିଛି । ଏହାସହ ଚୀନ ବି ପାକିସ୍ତାନକୁ ସହାୟତା କରିଥିବା କଥା ଓମର କହିଛନ୍ତି । ଅନ୍ୟପଟେ ଟିକା ପ୍ରସ୍ତୁତ ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନକୁ ପ୍ରଶଂସା କରିଥିଲେ ଓମର ।

ଏହାସହ ଆସନ୍ତା ସପ୍ତାହରୁ ପାକିସ୍ତାନରେ ଟିକାକରଣ ଆରମ୍ଭ ହେବ ବୋଲି ଯୋଜନା ମନ୍ତ୍ରୀ ଅସଦ ଓମର କହିଛନ୍ତି । ସେ କହିଛନ୍ତି କି ଜୁଲାଇ ଶେଷ ସପ୍ତାହରେ ବକରୀଦ୍ ପର୍ବ ପଡୁଥିବାରୁ ଏହାକୁ ନଜରରେ ରଖି ଜୁଲାଇ ମାସ ସୁଦ୍ଧା ଦେଶରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି । ଓମରଙ୍କ କହିବା ମୁତାବକ ଏବେ ସୁଦ୍ଧା ଦେଶରେ ୭୦ ଲକ୍ଷ ଲୋକଙ୍କୁ ଟିକା ଦିଆସରିଛି । ଯାହା ମଧ୍ୟରୁ ୨୦ ଲକ୍ଷ ଲୋକଙ୍କୁ ଟିକାର ୨ ଟି ଯାକ ଖୋରାକ ଦିଆଯାଇଛି ।