ଚେତାବନୀର ୨୪ଘଂଟା ପରେ ଇରାନ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ । ଆତଙ୍କୀ ସଂଗଠନ ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟରେ ମିସାଇଲ ମାଡ଼

249

କନକ ବ୍ୟୁରୋ : ମଙ୍ଗଳବାର ଏୟାରଷ୍ଟ୍ରାଇକ, ବୁଧବାର ପ୍ରତିଶୋଧ । ଇରାନକୁ ପାଲଟା ଜବାବ ଦେଇ ଘନ ଘନ ଆକ୍ରମଣ କରିଛି ପାକିସ୍ତାନ । ଇରାନର ଆତଙ୍କୀ ଠିକଣା ଉପରେ ପାକିସ୍ତାନ ମିସାଇଲ ଓ ଡ୍ରୋନ ଆକ୍ରମଣ କରି ମାଟିରେ ମିଶାଇଛି । ମଙ୍ଗଳବାର ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଥିବା ଜଣାପଡିଛି । ଇରାନର ସିସ୍ତାନ ଓ ସରୱାନ ସହରରେ ରହିଛି ଏମାନଙ୍କ ମୁଖ୍ୟ ଠିକଣା । ପାକିସ୍ତାନ ଏହାକୁ ସେନା କାର୍ଯ୍ୟାନୁଷ୍ଠାନର ନାଁ ଦେଇଛି । ପାକ ସେନା ଅପରେସନ ନାଁ ଦେଇଛି ‘ମାର୍ଗ ବାର ସରମାଚାର’ । ଆକ୍ରମଣ ପରେ ପାକିସ୍ତାନ ସେନା ପକ୍ଷରୁ ବିବୃତି ଜାରି କରାଯାଇଛି । ପାକ ସେନା କହିଛି ୪୮ଘଂଟା ମଧ୍ୟରେ ଶତ୍ରୁଙ୍କୁ ଉଚିତ ଜବାବ ଦିଆଯାଇଛି । ଇରାନ ଦୀର୍ଘବର୍ଷ ଧରି ଆତଙ୍କୀଙ୍କୁ ଆଶ୍ରୟ ଦେଇ ଆସୁଛି । ବାରମ୍ବାର ଚେତାବନୀ ସତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଇରାନ । ପାକିସ୍ତାନର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଇରାନ ମଙ୍ଗଳବାର ପାକିସ୍ତାନର ଜୈଶ ଅଲ ଅଦଲ ଆତଙ୍କୀ ସଂଗଠନର ମୁଖ୍ୟାଳୟରେ ଉପରେ ମିସାଇଲ ମାଡ଼ କରିଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନ ପକ୍ଷରୁ ଇରାନର ଅନେକ ଆତଙ୍କୀ ଠିକଣା ଉପରେ ରକେଟ ମାଡ କରାଯାଇଛି । ଇରାନର ଆକ୍ରମଣକୁ ବର୍ଦାସ୍ତ କରାଯିବନି ବୋଲି ଚେତାବନୀ ଦେବାର କିଛି ଘଂଟା ମଧ୍ୟରେ ହିଁ ପାକିସ୍ତାନ ପାଲଟା ଆକ୍ରମଣ କରିଛି । ପାକିସ୍ତାନ ଅଭିଯୋଗ କରିଛି ଯେ ମଙ୍ଗଳବାର ବଲୁଚିସ୍ତାନ ଲିବରେସନ ଫୋର୍ସ, ଲିବରେସନ ଆର୍ମି ପୋଷ୍ଟ ପାକିସ୍ତାନ ବିରୋଧରେ ଷଡ଼ଯନ୍ତ୍ର କରିବା ସହ ବାରମ୍ବାର ଆକ୍ରମଣ କରୁଛି । ଯାହାକୁ ଖଣ୍ଡନ କରି ଆସୁଛି ଇରାନ ।

ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଇରାନକୁ ଉସକାଇଛି ପାକିସ୍ତାନ । ଆଗକୁ ପାକିସ୍ତାନ ନିର୍ବାଚନ । ଜନତାଙ୍କ ବିଶ୍ୱାସ ଫେରି ପାଇବା ପାଇଁ ପାକିସ୍ତାନର ଏହା ଏକ ପ୍ରୋପାଗେଣ୍ଡା ହୋଇଥାଇପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ଘମାଘୋଟ ଆକ୍ରମଣ ଭିତରେ ଯୁଦ୍ଧ ଆଶଙ୍କା ମଧ୍ୟ ଉପଜିଛି । ଏଭଳି ସ୍ଥିତିରେ ଇରାନରୁ ନିଜ ନିଜ ରାଷ୍ଟ୍ରଦୂତଙ୍କୁ ପାକିସ୍ତାନ ଫେରାଇ ଅଣିଛି । ସେପଟେ ଇସଲାମାବାଦରେ ଥିବା ଇରାନ ରାଷ୍ଟ୍ରଦୁତଙ୍କୁ ମଧ୍ୟ ବହିଷ୍କାର କରିଛି ପାକିସ୍ତାନ । ସେପଟେ ଡାବୋସରେ ଚାଲିଥିବା ୱାଲ୍ଡ ଇକୋନୋମିକ ସମ୍ମିଳନୀକୁ ଅଧାରୁ ଛାଡି ସ୍ୱଦେଶ ଫେରି ଆସିପାରନ୍ତି ପାକିସ୍ତାନା କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର ।