ଗୋ କୋଲ୍ଡ… ଗୋ କୋଲ୍ଡ… । ଭାରତୀୟ କଣ୍ଟ୍ରୋଲ ୟୁନିଟରୁ ପଠାଯାଇଥିବା ମେସେଜକୁ ଅଟକାଇ ଦେଇଥିଲା ପାକ୍, ଯେଉଁଥିପାଇଁ ଶତ୍ରୁ ଦେଶର ସୀମାରେ ପଶି ଯାଇଥିଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ।

1,407

କନକ ବ୍ୟୁରୋ : ଫେବ୍ର୍ରୁଆରୀ ୨୭ । ଆଜକୁ ଠିକ୍ ଏକ ବର୍ଷ ତଳେ ପାକିସ୍ତାନ ବାୟୁସେନା ଭାରତର ସୀମା ମଧ୍ୟକୁ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଆଉ ଏହାର ପ୍ରତିଜବାବ ଦେଇଥିଲା ଭାରତୀୟ ବାୟୁ ସେନା । ଆଉ ଭାରତୀୟ ବାୟୁସେନା ଆକ୍ଟିଭ ମୋଡକୁ ଆସିବା ପରେ ପଛଘୁଞ୍ଚା ଦେଇଥିଲା ପାକ୍ । ଆକାଶପଥରେ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ ଉଭୟ ଭାରତ-ପାକିସ୍ତାନ । ଆଉ ଏହାରି ଭିତରେ ପାକିସ୍ତାନର ଏଫ-୧୬ ବିମାନକୁ ଟାର୍ଗେଟ କରିବାକୁ ଯାଇ ପାକିସ୍ତାନ ସୀମା ମଧ୍ୟକୁ ପ୍ରବେଶ କରିଥିଲା ଭାରତର ମିଗ-୨୧ । ଯେଉଁଥିରେ ଥିଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ଶତ୍ରୁ ଦେଶରେ ସୀମାରେ ପଶି ପାକିସ୍ତାନର ଏଫ-୧୬ ଫାଇଟର ଜେଟକୁ ଖସାଇ ଦେଇଥିଲେ ଅଭିନନ୍ଦନ । ତେବେ ସେଠାରୁ ଫେରିବା ପୂର୍ବରୁ ପାକିସ୍ତାନ ଭୂପୃଷ୍ଠରୁ ଏକ ମିସାଇଲ ହିଟ୍ କରିଥିଲା ଅଭିନନ୍ଦନଙ୍କ ମିଗ-୨୧କୁ । ତେବେ ମିଗ୍-୨୧ ବିମାନ ଧ୍ୱଂସ ହେବା ପୂର୍ବରୁ ପାରାଚ୍ୟୁଟରେ ଖସିପଡିଥିଲେ ଅଭିନନ୍ଦନ । କିନ୍ତୁ ଶତ୍ରୁ ଦେଶର ମାଟିରେ ପାଦ ଦେଉ ଦେଉ ତାଙ୍କୁ କାବୁ କରି ନେଇଥିଲା ପାକ୍ ସେନା । ଆଉ ୫୬ ଘଣ୍ଟା ଧରି ଅଭିନନ୍ଦନଙ୍କୁ ବନ୍ଦୀ କରି ରଖିଥିଲା ପାକ୍ । କିନ୍ତୁ ଭାରତ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇ ଅଭିନନ୍ଦନଙ୍କୁ ଛାଡିଥିଲା ପାକ୍ ।

ଅତି ସଙ୍କଟଜନକ ସ୍ଥିତିରେ ମଧ୍ୟ ଏଲଓସି ଡେଇଁ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରିବାର ଅନୁମତି ନଥିବା ବେଳେ ଅଭିନନ୍ଦନ କିଭଳି ପାକିସ୍ତାନ ସୀମାରେ ପହଞ୍ଚିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ପଛର କାରଣ ସାମ୍ନାକୁ ଆସିଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅପରେସନର ଶେଷ ସମୟରେ ବାୟୁସେନାର କଣ୍ଟ୍ରୋଲ ୟୁନିଟ ପକ୍ଷରୁ ପଠାଯାଇଥିବା ରେଡିଓ ମେସେଜ ଅଭିନନ୍ଦନଙ୍କ ପାଖରେ ପହଞ୍ଚି ପାରିନଥିଲା । ଯେଉଁଥିପାଇଁ ଟାର୍ଗେଟର ପିଛା କରୁ କରୁ ପାକିସ୍ତାନ ସୀମା ମଧ୍ୟକୁ ପ୍ରବେଶ କରିଥିଲା ମିଗ-୨୧ । ପାକିସ୍ତାନ ଫାଇଟର ଜେଟ ଗୁଡିକ ଫେରି ଯାଉଥିବା ବେଳେ ଆମ୍ବଲା ସ୍ଥିତ ଇଣ୍ଟିଗ୍ରେଟେଡ କମାଣ୍ଡ ସେଣ୍ଟରରୁ ରେଡିଓ ମେସେଜ ଯୋଗେ ଗୋ କୋଲ୍ଡ ଗୋ କୋଲ୍ଡ ଅଥାର୍ତ ଫେରି ଆସ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହି ସନ୍ଦେଶ ଅଭିନନ୍ଦନଙ୍କ ପାଖରେ ପହଞ୍ଚି ପାରିନଥିଲା । ଭାରତର ଏହି ସନ୍ଦେଶକୁ ପାକିସ୍ତାନ ଡିକୋଡ କରି ଦେଇଥିଲା । ଯେଉଁଥିପାଇଁ ଏଫ-୧୬ର ପିଛା କରୁ କରୁ ପାକିସ୍ତାନ ସୀମା ମଧ୍ୟକୁ ପଶି ଯାଇଥିଲେ ଅଭିନନ୍ଦନ ।

ଏହି ଘଟଣା ପରେ ବାୟୁସେନାର ଉପମୁଖ୍ୟ ଯେଉଁ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ ସେଥିରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ତାହା ଉପରେ ଧ୍ୟାନ ଦିଆଯାଇଥିଲା । ଏପରିକି ଏଥିପାଇଁ ଇସ୍ରାଏଲ ଠାରୁ ଅତ୍ୟାଧୁନିକ ରେଡିଓ ଜ୍ଞାନକୌଶଳ କିଣିବାକୁ ନିଷ୍ପତି ନିଆଯାଇଛି । ଯାହାଦ୍ୱାରା ଯବାନଙ୍କୁ ପଠାଯାଉଥିବା ମେସେଜକୁ ଶତ୍ରୁ ଦେଶ ଚାହିଁଲେ ମଧ୍ୟ ଡିକୋଡ କରିପାରିବ ନାହିଁ ।