ଏଲଏସିରେ ଭାରତ- ଚୀନ ମଧ୍ୟରେ ବିବାଦ ଭିତରେ ପିଓକେରେ ସେନା ଠୁଳ କରୁଛି ପାକିସ୍ତାନ । ୩ ଦିନ ଭିତରେ ୨୦ ହଜାର ସେନା ମୂତୟନ କରିଥିବା ସୂଚନା 

413

କନକ ବ୍ୟୁରୋ : ଏଲଏସିରେ ଭାରତ- ଚୀନ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ପିଓକେରେ ବହୁ ସଂଖ୍ୟାରେ ସେନା ଠୁଳ କରୁଛି ପାକିସ୍ତାନ । ସୂଚନା ଅନୁସାରେ ବଲୁଚିିସ୍ତାନ ଓ ଗିଲଗିଟ ଅଂଚଳରେ ତିନି ଦିନ ମଧ୍ୟରେ ପ୍ରାୟ ୨୦ ହଜାର ସେନା ମୂତୟନ କରିଛି ପାକିସ୍ତାନ । ଲଦାଖରେ ଚୀନ ସେନାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭାରତ ଉପରେ ଚାପ ପକାଇବାକୁ ପାକିସ୍ତାନ ଓ ଚୀନ ଉଭୟ ମିଶି ଏଭଳି ଷଡଯନ୍ତ୍ର କରିଥିବା କୁହାଯାଉଛି । ଏପଟେ ପରିସ୍ଥିତିର ମୁକାବିଲା ପାଇଁ ଭାରତ ଉଭୟ ଏଲଏସି ଓ ଏଲଓସିରେ ଜୋରଦାର ପ୍ରସ୍ତୁତି କରିଛି । ଆବଶ୍ୟକ ପଡିଲେ କିଭଳି ଦୁଇ ଦେଶକୁ ଏକାସାଙ୍ଗରେ ମୁକାବିଲା କରି ହେବ ସେଥିପାଇଁ ଉଭୟ ସୀମାରେ ସଜାଗ ରହିଛି ଭାରତୀୟ ସେନା । ଲଦାଖରେ ଭାରତ ୪୫ ହଜାର ସେନା ମୂତୟନ କରିଛି ।

ସୀମାରେ ଆକାଶ କ୍ଷେପଣାସ୍ତ୍ର ସହ ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ର ମଧ୍ୟ ମୂତୟନ କରାଯାଇଛି । ଅତ୍ୟାଧୁନିକ ସାମରୀକ ଡ୍ରୋନ ଜରିଆରେ ଚୀନର ଗତିବିଧି ଉପରେ ନଜର ରଖାଯାଉଛି । ପାକିସ୍ତାନର ଗତିବିଧି ଉପରେ ମଧ୍ୟ ନଜର ରଖିଛି ଭାରତୀୟ ସେନା । ସେପଟେ ଚୀନ ଲଦାଖ ସୀମାରେ ୨୦ ହଜାର ସୈନ୍ୟ ମୂତୟନ କରିଛି ଓ କିଛି ଦୂରରେ ୧୦ ରୁ ୧୨ ହଜାର ସେନା ପ୍ରସ୍ତୁତ କରି ରଖିଛି । ଏମାନେ ୪୮ ଘଂଟା ମଧ୍ୟରେ ଏଲଏସିରେ ପହଁଚି ପାରିବେ । ଅନ୍ୟପଟେ ଉତେଜନା ହ୍ରାସ ପାଇଁ ଦୁଇ ଦେଶର ଜେନେରାଲ ସ୍ତରୀୟ ଆଲୋଚନା ଜାରି ରହିଛି । କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ । ଚୀନ ସେନା ଏପ୍ରିଲର ସ୍ଥିତିକୁ  ଫେରିବା ପାଇଁ ପ୍ରସ୍ତୁତ ହେଲେ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି ଭାରତ ।