ସୁଧୁରୁନି ସୈତାନ ପାକିସ୍ତାନ । ଭାରତୀୟ ଦୂତାବାସ ଉପରେ ଉଡାଇଲା ଡ୍ରୋନ୍ । ସେପଟେ ଆଜି ପୁଣି ଜମ୍ମୁ ସୀମାରେ ଦେଖାଦେଲା ସନ୍ଦିଗ୍ଧ ଡ୍ରୋନ୍, ବିଏସଏଫ ଯବାନଙ୍କ ଗୁଳିରେ ହେଲା ନଷ୍ଟ ।

245

କନକ ବ୍ୟୁରୋ : ସୁଧୁରିବନି ପାକିସ୍ତାନ । ଜମ୍ମୁ ସ୍ଥିତ ଇଣ୍ଡିଆନ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଆକ୍ରମଣ କରିବା ପରେ ଜମ୍ମୁ ଆକାଶରେ ବାରମ୍ବାର ଅଜଣା ଡ୍ରୋନ୍ ଗତିବିଧି ଦେଖିବାକୁ ମିଳୁଛି । ସେପଟେ ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଉପରେ ମଧ୍ୟ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପ୍ରତିବାଦ ଜଣାଇଛି ଭାରତ । ମାତ୍ର ପାକିସ୍ତାନର ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୁଧୁରିବନି ପାକିସ୍ତାନ ! ଡ୍ରୋନ୍ ଆକ୍ରମଣର କରୁଛି ଷଡଯନ୍ତ୍ର । ରବିବାର ପାକିସ୍ତାନ ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ ନିକଟରେ ସନ୍ଦିଗ୍ଧ ଡ୍ରୋନ ଗତିବିଧି ଦେଖିବାକୁ ମିଳିଛି । ଗତ ଏକ ସପ୍ତାହ ମଧ୍ୟରେ ଏକାଧିକ ଥର ଡ୍ରୋନ୍ ଗତିବିଧି ପାକିସ୍ତାନର ନୂଆ ଷଡଯନ୍ତ୍ର ବୋଲି ସ୍ପଷ୍ଟ ଜଣାପଡୁଛି । ପ୍ରଥମେ ଜମ୍ମୁ ସ୍ଥିତ ଏୟାରଫୋର୍ସ ଷ୍ଟେସନ ଉପରେ ଡ୍ରୋନ୍ ଆକ୍ରମଣ । ଏହାପରେ ବାରମ୍ବାର ଜମ୍ମୁ ଆକାଶରେ ଅଜଣା ଡ୍ରୋନ୍ ଦେଖାଦେବା ପାକିସ୍ତାନର ନୂଆ ଚାଲକୁ ପଦାରେ ପକାଇଛି । କେବଳ ସେତିକି ନୁହେଁ ପାକିସ୍ତାନରେ ଥିବା ଭାରତୀୟ ଦୁତାବାସ ନିକଟରେ ଡ୍ରୋନ୍ ଉଡିବାକୁ ପ୍ରତିବାଦ କରିଛି ଭାରତ । ଡ୍ରୋନ୍ ଆକ୍ରମଣର ଛାନବିନ୍ ବେଳେ ଏହାପଛରେ ପାକିସ୍ତାନର ଆତଙ୍କୀ ଅନୁଷ୍ଠାନ ଲସ୍କର-ଇ-ତୋଇବାର ହାତ ଥିବା ଜଣାପଡିଛି । ଯାହାର ଯାଂଚ କରୁଛି ଏନଆଇଏ ।

କିଛି ଦିନର ନିରବତା ପରେ ଘାଟିରେ ପୁଣି ଆତଙ୍କୀ ଗତିବିଧି ଦେଖିବାକୁ ମିଳୁଛି । ଆଉ ଏଥର ଆତଙ୍କୀ ଆକ୍ରମଣ ପାଇଁ ଡ୍ରୋନର ସାହାରା ନେଉଛନ୍ତି । ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ କହିଛନ୍ତି, ଡ୍ରୋନ୍ ଭଳି ଟେକ୍ନୋଲୋଜିର ସହଜରେ ମିଳିବା ହିଁ ଏଭଳି ଆକ୍ରମଣର ମୁଖ୍ୟ କାରଣ ।

ପୁଣି ଜମ୍ମୁ ଆକାଶରେ ଠାବ ହେଲା ଡ୍ରୋନ୍ । ବିଏସଏଫ ଯବାନ ଗୁଳି ମାଡରେ ହେଲା ନଷ୍ଟ । ଶୁକ୍ରବାର ଭୋର ୪.୩୦ରେ ପୁଣିଥରେ ଅନ୍ତର୍ଜାତୀୟ ସୀମାରେ ଦେଖିବାକୁ ମିଳିଲା ଅଜଣା ଡ୍ରୋନ୍ । ପାକିସ୍ତାନ ସୀମାରୁ ଉଡିଆସୁଥିବା ଏହି ସନ୍ଦିଗ୍ଧ ଡ୍ରୋନ୍ ଦେଖି ସୀମାରେ ମୁତୟନ ଥିବା ବିଏସଏଫ ଯବାନ ଗୁଳି କରି ଡ୍ରୋନଟିକୁ ନଷ୍ଟ କରି ଦେଇଥିଲେ । ରବିବାର ପରଠାରୁ ବାରମ୍ବାର ଜମ୍ମୁ ଆକାଶରେ ଅଜଣା ଡ୍ରୋନ୍ ଦେଖିବାକୁ ମିଳୁଛି । ଏଥିପାଇଁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ରଜୋରି ସେକ୍ଟରରେ ଡ୍ରୋନ୍ ଉଡାଣ ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି ।

ଡ୍ରୋନ୍ ଆକ୍ରମଣ ପାଇଁ ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି । ସେପଟେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ କହିଛନ୍ତି ଭାରତୀୟ ସେନା ସବୁ ପ୍ରକାର ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ।