ପାକିସ୍ତାନ ଉପରେ ବର୍ଷିଲା ଭାରତ । ବୈଦେଶିକ ମନ୍ତ୍ରାଳୟ କହିଲା, ନୂଆ ପାକିସ୍ତାନ କଥା କହୁଛି, ହେଲେ ଆତଙ୍କବାଦୀଙ୍କୁ ଦେଉଛି ସୁରକ୍ଷା

ପୁଲୱାମା ହମଲାର ପ୍ରମାଣ ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ

133

କନକ ବ୍ୟୁରୋ: ଆତଙ୍କବାଦ ବିରୋଧରେ ଭାରତ ଦେଇଥିବା ତଥ୍ୟ ଆଧାରରେ କୌଣସି ପଦକ୍ଷେପ ନେଇନି ଇସଲାମାବାଦ । ସାମ୍ବାଦିକ ସମ୍ମିଳନୀ କରି ଆଜି ପାକିସ୍ତାନକୁ ଘେରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଆତଙ୍କବାଦ ବିରୁଦ୍ଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବା କହୁଥିବା ବେଳେ ଏହା ସତ୍ୟ ନୁହଁ ବୋଲି କହିଛି ବିଦେଶ ମନ୍ତ୍ରାଳୟ । ସେପଟେ ବାଲାକୋଟରେ ଏୟାରଷ୍ଟ୍ରାଇକ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉରି ଆତଙ୍କବାଦୀ ଆକ୍ରମଣ ପରର ସର୍ଜିକାଲ ଷ୍ଟ୍ରାଇକ ପରି ଆକ୍ରମଣ କଥା ଭାବିଥିଲା ପାକିସ୍ତାନ । କିନ୍ତୁ ଆମେ ଆକାଶମାର୍ଗରେ ଆକ୍ରମଣ କଲୁ ।

ପ୍ରମାଣ ଦେଇଛି ଭାରତ । କାର୍ଯ୍ୟାନୁଷ୍ଠାନ ନେଉନାହିଁ ଇସଲାମାବାଦ । କିଛି ଏଭଳି ଶବ୍ଦରେ ପାକିସ୍ତାନ ସରକାରକୁ ଟାର୍ଗେଟ କରିଛି ବିଦେଶ ମନ୍ତ୍ରାଳୟ । ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି, ଭାରତ ଦେଇଥିବା ପ୍ରମାଣ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ପାକିସ୍ତାନ । ପାକିସ୍ତାନ ଦୁନିଆ ଆଖିରେ ଧୁଳି ଦେଇ ସତକୁ ଲୁଚାଉଛିା ନୂଆ ପାକିସ୍ତାନର କଥା କହୁଛନ୍ତି ପ୍ଧଳ ପ୍ରଧାନମନ୍ତ୍ରୀ, ହେଲେ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ନୂଆ ଆଭିମୁଖ୍ୟ ଦେଖାଉନାହିଁ ପାକିସ୍ତାନ ।

 

 

ପଢନ୍ତୁ କ’ଣ କହିଛି ବିଦେଶ ମନ୍ତ୍ରାଳୟ ?

– ପୁଲୱାମା ହମଲା ପାଇଁ ଜୈସ-ଇ-ମହମ୍ମଦ ନିଜକୁ ଦାୟୀ କରିଥିବା ବେଳେ ପାକିସ୍ତାନ ଜୈସର ଭୂମିକାକୁ ମନା କରିଆସୁଛି ।

– ନିଜକୁ ନୂଆ ପାକିସ୍ତାନ କହୁଥିବା ଦେଶ ଆତଙ୍କ ବିରୁଦ୍ଧରେ ନୂଆ ଆକ୍ସନ ନେବା ଉଚିତ ।

– ଭାରତର ଦୁଇଟି ଲଢ଼ୁଆ ବିମାନ ଖସାଇଥିବା ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ମିଛ ଓ ଯଦି ପ୍ରମାଣ ଅଛି ତେବେ ଗଣମାଧ୍ୟମ ସାମ୍ନାକୁ ଆଣୁ ।

– ପାକିସ୍ତାନରେ ଜୈସ ସଙ୍ଗଠନର ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ଥିବା ଜାତିସଂଘ ଜାଣିଥିବା ବେଳେ ସତ ଲୁଚାଉଛି ଇସଲାମାବାଦ ।

– ପାକିସ୍ତାନ ନୁହଁ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ଥିଲା ।

ସେପଟେ ନୋଏଡାରେ ଏକ ସଭା ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏବେ କାନ୍ଦୁଛି ପାକିସ୍ତାନ । ଉରି ଆକ୍ରମଣ ପରେ ଭାରତ କରିଥିବା ସର୍ଜିକାଲ ଷ୍ଟାଇକ ପରି ପୁଲବାମା ଘଟଣା ପରେ ପାକିସ୍ତାନ ଅପେକ୍ଷା କରିଥିଲା ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ । କିନ୍ତୁ ବାଲାକୋଟ ଉପରେ ଆକ୍ରମଣ କରିଥିଲା ବାୟୁସେନା । ତେବେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଥିବା ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ଉଦ୍ୟମ କରୁଥିବା ବେଳେ ଆତଙ୍କବାଦୀଙ୍କ ଉପରେ ଲଗାମ ଲଗାଇବାକୁ ପାକିସ୍ତାନ ସରକାର୍ କାର୍ଯ୍ୟାନୁଷ୍ଠାନ ନେଉଥିବା କହିଛନ୍ତି । ଅନ୍ୟପଟେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ କେବଳ ଏକ ନାଟକବାଜୀ ବୋଲି କହିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।