ଏପଟେ ବାକିଆ ତେଲ ପଇସା ଦେଇନଥିବାରୁ ବିଦେଶରେ ପାକିସ୍ତାନୀର ଯାତ୍ରୀବାହୀ ବିମାନ ଗୁଡିକୁ ଅଟକ ରଖାଯାଇଛି ସେପଟେ କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାକିସ୍ତାନ ତାର ଆଣବିକ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି କରିଚାଲିଛି ।

Advertisment

ପାକିସ୍ତାନରେ ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।

ଦରଦାମ ଆଉ ନିୟନ୍ତ୍ରଣରେ ନାହିଁ ।

ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି। ଶନିବାର ସକାଳେ ଶୋଇକି ଉଠିଲା ବେଳକୁ ସେମାନେ ଆଉ ଏକ ଦରବୃଦ୍ଧିର ଶିକାର ହୋଇସାରିଥିଲେ ।  ମଧ୍ୟରାତ୍ରରେ  ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ପାକିସ୍ତାନରେ ବର୍ତ୍ତମାନ ଡିଜେଲର ଲିଟର ପିଛା ୩୨୯.୧୮ ଟଙ୍କା ରହିଛି ।

ପାକିସ୍ତାନର ଜନତାଙ୍କ ଉପରେ ପୁଣି ଏକ ଦରଦାମର ବୋଝ ଲଦି ହେଇଛି । ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ଦରଦାମ ନିୟନ୍ତ୍ରଣରେ ରହୁନାହିଁ । ମୁଦ୍ରାସ୍ଫୀତି ବୃଦ୍ଧି ବନ୍ଦ ହୋଇପାରୁ ନାହିଁ। ସରକାର ଶୁକ୍ରବାର ଦିନ ପେଟ୍ରୋଲ ଲିଟର ପିଛା ୨୬.୨ ଟଙ୍କା ବୃଦ୍ଧି କରିଛନ୍ତି । ଏଥି ସହିତ ହାଇ ସ୍ପିଡ୍ ଡିଜେଲ (HSD)ର ମୂଲ୍ୟ ଲିଟର ପିଛା ୧୭.୩୪ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମର ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକଙ୍କ ପାଇଁ ବର୍ତ୍ତମାନର ମୂଲ୍ୟ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏହାର ସର୍ବାଧିକ ସ୍ତରରେ ପହଞ୍ଚିଛି। ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୩୧.୮୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩୨୯.୧୮ ଟଙ୍କା ହେଇଛି । ୧୫ ସେପ୍ଟେମ୍ବର ମଧ୍ୟରାତ୍ରିରୁ ଏହି ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ଅର୍ଥାତ୍ ଜନତା ଶୋଇଥିବା ବେଳେ ତାଙ୍କ ଉପରେ ଏହି ବୋଝ ଲଦି ଦିଆଯାଇଛି । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୩୦୦ ଟଙ୍କା ଅତିକ୍ରମ କରିଛି ।

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ୩୧ ଟି ଆନ୍ତର୍ଜାତୀୟ ଉଡାଣରୁ ୧୪ ଟି ବନ୍ଦ ହେଇସାରିଲାଣି । ଯଦି ଏଭଳି ପରିସ୍ଥିତି ଜାରି ରହେ ତେବେ ପାକିସ୍ତାନ ତାର ସମସ୍ତ ବିମାନ ଉଡାଣ ବାତିଲ କରିବାକୁ ପଡିବ ।

ବୋଇଙ୍ଗ ଓ ଏୟାରବସ କମ୍ପାନୀ ପୁରୁଣା ବକେୟା ପଇଠ ନକରିଥିବାରୁ ପାକିସ୍ତାନକୁ ଆଉ ବିମାନ ଯନ୍ତ୍ରାଂଶ ଦେବେ ନାହିଁ ବୋଲି ଧମକ ଦେଇ ସାରିଲେଣି ।

ଏପରିକି ପୂର୍ବରୁ ତାର ମିତ୍ରଦେଶ ମାଲେସିଆ ମଧ୍ୟ ପାଉଣା ଚୁକ୍ତି ଖିଲାଫ ଯୋଗୁ ତାଙ୍କର କିଛି ବିମାନକୁ ଜବତ କରିଥିଲା ।  ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ଉପରେ ଛ’ ଟି କମ୍ପାନୀର  ପ୍ରାୟ ଏକ ମିଲିୟନ ଡଲାର (୮୩୦ କୋଟି ଟଙ୍କା) ବାକି ପଡିଛି । ଏହି ରୁଣକୁ ତୁରନ୍ତ ସୁଝିବାକୁ ପଡ଼ିବ ନହେଲେ ବିମାନ ଗୁଡିକ ଜବତ ହେବାର ସମ୍ଭାବନା ରହିଛି ।

ଏପଟେ କିନ୍ତୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି

ଏତେ ଆର୍ଥିକ ସଙ୍କଟ ସତ୍ବେ ପାକିସ୍ତାନ ତାର  ଆଣବିକ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି କରିଚାଲିଛି

ଅର୍ଥନୈତିକ ସଙ୍କଟ ସମୟରେ ମଧ୍ୟ ପାକିସ୍ତାନ ତାର ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି ।  ନିକଟରେ ଆମେରିକାର ପରମାଣୁ ବୈଜ୍ଞାନିକ ମାନଙ୍କର 'ପାକିସ୍ତାନ ନ୍ୟୁକ୍ଲିଅର ହ୍ୟାଣ୍ଡବୁକ-୨୦୨୩' ନାମକ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ସେହି ରିପୋର୍ଟ ଅନୁସାରେ ବର୍ତ୍ତମାନ ପାକିସ୍ତାନ ପାଖରେ ୧୭୦ ପରମାଣୁ ଯୁଦ୍ଧାସ୍ତ୍ର ରହିଛି । ୨୦୨୫ ବେଳକୁ ଏହାର ସଂଖ୍ୟା ବୃଦ୍ଧି ପାଇ ୨୦୦ ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ୧୯୯୯ ରେ ଆକଳନ କରିଥିଲା ​​ଯେ ୨୦୨୦  ସୁଦ୍ଧା ପାକିସ୍ତାନ ୬୦ ରୁ ୮୦ ଆଣବିକ ଯୁଦ୍ଧାସ୍ତ୍ରର ଅଧିକାରୀ ହେଇଥିବ କିନ୍ତୁ ସେମାନଙ୍କ ସମସ୍ତ ଆକଳନକୁ ପାକିସ୍ତାନ ଭୁଲ ପ୍ରମାଣିତ କରିଦେଇଛି ।

ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ଏବେ ବିଶ୍ବର ସମସ୍ତଙ୍କ ପାଇଁ  ଚିନ୍ତାର କାରଣ ସାଜିଛି ।  କାରଣ ଏହା ଉଗ୍ରବାଦୀ ଗୋଷ୍ଠୀ ମାନଙ୍କ ହାତରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।