ଦୀର୍ଘ ବର୍ଷର ମିଛ ପରେ ସତ ଓଗାଳିଲା ପାକିସ୍ତାନ ! କରାଚିରେ ଅଛି ମୁମ୍ବାଇ ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ଦାଉଦ୍ ଇବ୍ରାହିମ୍: ୮୮ଟି ଆତଙ୍କବାଦୀ ସଂଗଠନ ଉପରେ ଆର୍ଥିକ କଟକଣା ଲଗାଇବା ପରେ ସାମ୍ନାକୁ ଆସିଲା ସତ

ତାଲିକାରେ ଅଛି ଦାଉଦ୍ର ନାଁ, ଠିକଣା କରାଚି

497

କନକ ବ୍ୟୁରୋ: ଭାରତର ମୋଷ୍ଟ ୱାଂଟେଡ୍ ଆତଙ୍କୀ କରାଚୀରେ ରହୁଛି । ବାରମ୍ବାର ଏହି କଥା ଭାରତ କହି ଆସିଛି, ହେଲେ ଦାଉଦ କରାଚୀରେ ରହୁଥିବା ନେଇ ପ୍ରଥମ ଥର ସ୍ୱୀକାର କରିଛି ପାକିସ୍ତାନ ସରକାର । ୧୯୯୩ ମୁମ୍ବାଇ ସିରିଜ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଖଳନାୟକ ଦାଉଦ ଇବ୍ରାହିମ୍ ପାକିସ୍ତାନରେ ରହୁଥିବା ନେଇ ଭାରତର ଦାବିକୁ ଆଗ୍ରାହ୍ୟ କରୁଥିଲା ପାକିସ୍ତାନ । ତେବେ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଥିବା ଅଭିଯୋଗ ଯୋଗୁଁ ଅନ୍ତର୍ଜାତୀୟ ଚାପ ବୃଦ୍ଧି ପାଇବାରୁ ବାଧ୍ୟ ହୋଇ ଭାରତର ଦାବିକୁ ଏକପ୍ରକାର ମାନିନେଇଛି ପାକିସ୍ତାନ । ୮୮ଟି ଆତଙ୍କୀ ସଂଗଠନ ଓ ସଂଗଠନ ମୁଖ୍ୟଙ୍କ ତାଲିକା ପ୍ରକାଶ କରାଯାଇଥିବା ବେଳେ ଦାଉଦ ଇବ୍ରାହିମର ନାଁକୁ ତାଲିକାଭୁକ୍ତ କରିଛି ଇମ୍ରାନ୍ ଖାଁଙ୍କ ସରକାର ।

ପାକିସ୍ତାନ କହିଛି, ‘ଜମାତ୍-ଉଦ୍-ଦାୱା’ ମୁଖ୍ୟ ହାଫିଜ୍ ସଇଦ, ‘ଜୈସ-ଇ-ମହମ୍ମଦ’ ମୁଖ୍ୟ ମାସୁଦ ଆଝାର, ଅଣ୍ଡର ୱାଲ୍ଡ ଡନ୍ ଦାଉଦ ଇବ୍ରାହିମ୍ଙ୍କ ସମେତ ୮୮ଟି ଆତଙ୍କୀ ସଂଗଠନ ଓ ସଂଗଠନ ମୁଖ୍ୟଙ୍କ ବିରୋଧରେ ଆର୍ଥିକ କଟକଣା ଲଗାଯାଇଛି । ପାକିସ୍ତାନରେ ଥିବା ସେମାନଙ୍କ ସଂପତିକୁ ଜବତ କରାଯାଇଛି ଓ ବ୍ୟାଙ୍କ ଆକାଉଂଟକୁ ଅଚଳ କରି ଦିଆଯାଇଛି । ୨୦୧୮ ଜୁନ ମାସରେ ପ୍ୟାରିସ୍ରେ ଥିବା ଫାଇନାନସିଆଲ ଆକ୍ସନ୍ ଟ୍ୟାକ୍ସ ଫୋର୍ସ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଚେତାବନୀ ଦେଇଥିଲା । ୨୦୧୯ ସୁଦ୍ଧା ଆତଙ୍କୀ ସଂଗଠନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲା । ତେବେ କରୋନା ମହାମାରୀ ଯୋଗୁଁ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଥିଲା । ଏଫଏଟିଏଫର ପାକିସ୍ତାନ ଉପରେ ଚାପ ବୃଦ୍ଧି ପାଇବାରୁ ବାଧ୍ୟ ହୋଇ ଆତଙ୍କୀ ସଂଗଠନର ତାଲିକା ପ୍ରକାଶ କରିବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛି ପାକିସ୍ତାନ । ଏହି ତାଲିକାରେ ଦାଉଦ ଇବ୍ରାହିମଙ୍କ ଠିକଣା କରାଚୀରେ ବୋଲି ଦର୍ଶାଯାଇଛି । ଫଳରେ ଭାରତର ଦୀର୍ଘଦିନର ଦାବି ସତ ବୋଲି ପ୍ରମାଣିତ ହୋଇଛି ।

ପାକିସ୍ତାନରେ ଦାଉଦ ଇବ୍ରାହିମର କେତୋଟି ଠିକଣା ରହିଛି । ଦାଉଦ ପାକିସ୍ତାନର କରାଚୀରେ ଥିବା ସ୍ୱୀକାର କରିବା ପରେ ଏବେ କେତୋଟି ସ୍ଥାନରେ ରହୁଛି ଦାଉଦ ସେନେଇ ଉଠିଲାଣି ପ୍ରଶ୍ନଚିହ୍ନ । ସୂଚନା ଅନୁସାରେ କରାଚି ସହରର ତିନୋଟି ଠିକଣା ସାମ୍ନାକୁ ଆସୁଛି । ଅତିକମରେ ତା ନିକଟରେ ଗୋଟିଏ ପାକିସ୍ତାନ ପାସ୍ ପୋର୍ଟ ରହିଛି । ପାକିସ୍ତାନର ସରକାରୀ ଦଲିଲରେ ହ୍ୱାଇଟ ହାଉସ, କରାଚି ସହରରେ ଥିବା ଦାଉଦର ତିନୋଟି ଠିକଣା ତାଲିକାଭୁକ୍ତ ହୋଇଛି ।

• ଗୋଟିଏ କରାଚି ସହର ଭିତରେ । ଅନ୍ୟ ଦୁଇଟି ଠିକଣା ହେଉଛି ।

• ହାଉସ ନଂବର ୩୭, ଗଳି ନଂବର ୩୦, ପ୍ରତିରକ୍ଷା ହାଉସିଂ ଅଥରିଟି କରାଚି, ପାକିସ୍ତାନ ।

• ପାଲାଟିଆ ବଙ୍ଗଳା, ନୋରବାଡ ପାହାଡିଆ ଅଂଚଳ, କରାଚି

• ପ୍ରଥମ ଥର ପାଇଁ ପାକିସ୍ତାନ ନିଜ ଦେଶରେ ଅଣ୍ଡର ୱାର୍ଲଡ୍ ଡନ୍ ଦାଉଦର ଉପସ୍ଥିତି ସ୍ୱୀକାର କରିଛି । ୨୦୦୩ରେ ଆମେରିକା ଦାଉଦକୁ ଏକ ସ୍ୱତନ୍ତ୍ର ଭାବେ ବିଶ୍ୱ ଆତଙ୍କୀ ଘୋଷଣା କରିଥିଲା । ମାର୍ଚ ୨୦୧୦ରେ ଅଲକାଏଦା ପ୍ରତିବନ୍ଧିତ କମିଟି ଏକ ବିବୃତିରେ ଦାଉଦର ୪ଟି ଠିକଣା ତାଲିକାଭୁକ୍ତ କରିଥିଲା ।

• କରାଚି, ପାକିସ୍ତାନ, ହ୍ୱାଇଟହାଉସ , ସାଉଦି ମସଜିଦ୍ ନିକଟ ।

• ହାଉସ ନ୍ୟୁ ୩୭, ଗଳି ନଂବର ୩୦, ପ୍ରତିରକ୍ଷା ଗୃହ କର୍ତୃପକ୍ଷ , କରାଚି ପାକିସ୍ତାନ ।

• ପାଲିଟିଆ ବଙ୍ଗଳା, ନୁରବାଡ, ପାହାଡିଆ ଅଂଚଳ, କରାଚି ।

• ଘର ନଂ ୨୯, ମାରଗଲା ରୋଡ୍ ଏଫ ୬/୨, ଗଳି ନଂ ୨୨, କରାଚି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଆରମ୍ଭରେ ଦାଉଦ ପାକିସ୍ତାନ ମିଲିଟାରୀ ସୁରକ୍ଷା ଅଧିନରେ କରାଚୀରେ ବସବାସ କରୁଛି । ତାଙ୍କ ନିକଟରେ ୩ଟି ବୁଲେଟ୍ ପ୍ରୁଫ୍ କାର ରହିଛି । ଅନେକ ସମୟରେ ଇସଲାମାବାଦ ଯାତ୍ରା କରନ୍ତି । ଜାତିସଂଘ ବିବୃତିରେ ଇସଲାମାବାଦର ଯୁଗ୍ମ ସହର ଯେଉଁଠାରେ ସେନା ମୁଖ୍ୟାଳୟ ଅଛି, ସେଠାରେ ତାଙ୍କର ନୂଆ ପାସପୋର୍ଟକୁ ତାଲିକାଭୁକ୍ତ କରାଯାଇଛି । ଖବର ଅନୁସାରେ ପାକିସ୍ତାନୀ ସରକାରୀ ଡକୁମେଂଟରେ ରାୱଲପିଣ୍ଡି ଓ କରାଚି କାର୍ଯ୍ୟାଳୟରୁ ଦାଉଦକୁ ପାସପୋର୍ଟ ଦିଆଯାଇଥିବା ଦର୍ଶାଯାଇଛି ।